ନିମାପଡ଼ା, ୦୬/୧୦ (ବିଭୂତିTV):
ଦୀର୍ଘ ୮ ବର୍ଷ ପରେ ନିମାପଡ଼ାରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ଚଳିତ ମାସ ୧୫ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ ପ୍ରକ୍ରିୟା ଆରମ୍ଭ ହୋଇଛି। ୯ ତାରିଖରେ ନାମାଙ୍କନ ଦାଖଲ ହେବ ଏବଂ ୧୬ ତାରିଖରେ ନବନିର୍ବାଚିତ ପ୍ରତିନିଧିମାନେ ଶପଥ ନେବେ।
ନିର୍ବାଚନ ଘୋଷଣା ପରେ କ୍ୟାମ୍ପସରେ ଉତ୍ସାହ ବଢ଼ିଛି। ଦୀର୍ଘଦିନ ଧରି ଛାତ୍ର ପ୍ରତିନିଧି ନଥିବାରୁ ଛାତ୍ରଛାତ୍ରୀଙ୍କ ସମସ୍ୟା ପ୍ରଶାସନ ନିକଟରେ ଉଠାଇବାରେ ନୂଆ ପ୍ରତିନିଧିମାନେ ଭୂମିକା ନେବେ ବୋଲି ଆଶା ରହିଛି।
କେଉଁ ପ୍ରସଙ୍ଗ ହେବ ମୁଖ୍ୟ ମୁଦ୍ଦା?
କଲେଜ ପରିସର ଦେଇ ଯାଇଥିବା ସର୍ବସାଧାରଣ ରାସ୍ତା, କଲେଜ ଅଧୀନ ଅଞ୍ଚଳରେ କୁପଡ଼ିଆ ନିର୍ମାଣ, ଅଣଛାତ୍ରଙ୍କ ପ୍ରବେଶ ରୋକ ଏବଂ କ୍ୟାମ୍ପସ୍କୁ ସରକାରୀ ବସ୍ ଚଳାଚଳ ଭଳି ପ୍ରସଙ୍ଗ ନିର୍ବାଚନର ମୁଖ୍ୟ ମୁଦ୍ଦା ହୋଇପାରେ। ପ୍ରାର୍ଥୀମାନେ ଏଗୁଡ଼ିକୁ ନିଜ ନିର୍ବାଚନୀ ପ୍ରତିଶ୍ରୁତିରେ ସାମିଲ କରିବେ ବୋଲି ଚର୍ଚ୍ଚା ଚାଲିଛି।
ଛାତ୍ର ନିର୍ବାଚନ ନା ରାଜନୈତିକ ପ୍ରଭାବର ପରୀକ୍ଷା?
ଛାତ୍ରଛାତ୍ରୀଙ୍କ ଉତ୍ସାହ ସହ ନିମାପଡ଼ାର ରାଜନୈତିକ ମହଲରେ ମଧ୍ୟ ତତ୍ପରତା ବଢ଼ିଛି। ବିଭିନ୍ନ ଦଳ ସହ ସମ୍ପୃକ୍ତ ନେତାମାନେ ନିଜ ଛାତ୍ର ଗୋଷ୍ଠୀଙ୍କୁ ସଂଗଠିତ କରୁଥିବା ଚର୍ଚ୍ଚା ହେଉଛି। ବିରୋଧୀ ଗୋଷ୍ଠୀମାନେ ମତଭେଦ ଭୁଲି ଏକାଠି ନିର୍ବାଚନ ଲଢ଼ିବା ନେଇ ଆଲୋଚନା କରୁଥିବା ସୂଚନା ମଧ୍ୟ ମିଳୁଛି।
ଛାତ୍ର ସମାଜକୁ ନିଜ ପକ୍ଷକୁ ଆଣିବା ପାଇଁ ବିଭିନ୍ନ ଶିବିର ରଣନୀତି ପ୍ରସ୍ତୁତ କରୁଥିବା କୁହାଯାଉଛି।
ନିର୍ବାଚନ ଖର୍ଚ୍ଚ ନିୟମକୁ ନେଇ ପ୍ରଶ୍ନ
ସରକାରୀ ନିୟମ ଅନୁସାରେ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚର ସୀମା ରହିଛି ଏବଂ ଫଳ ପ୍ରକାଶ ପରେ ଖର୍ଚ୍ଚର ହିସାବ ଦାଖଲ କରିବାକୁ ପଡ଼େ। ରାଜନୈତିକ ଦଳଠାରୁ ଆର୍ଥିକ ସହାୟତା ନେବା ନିଷିଦ୍ଧ ହୋଇଥିଲେ ମଧ୍ୟ, ଏହି ନିୟମ କେତେଦୂର ପାଳନ ହେବ ତାହା ନେଇ ପ୍ରଶ୍ନ ଉଠିଛି।
‘ଭୋଜିଭାତ’ ରାଜନୀତିକୁ ନେଇ ଚର୍ଚ୍ଚା
ନିର୍ବାଚନ ଘୋଷଣା ପରେ କିଛି ଛାତ୍ର ଗୋଷ୍ଠୀଙ୍କୁ ନେଇ ଭୋଜିଭାତ ଆୟୋଜନ ହେଉଥିବା ଚର୍ଚ୍ଚା ଜୋର ଧରିଛି। ଛାତ୍ରମାନଙ୍କୁ ନିଜ ପକ୍ଷକୁ ଆଣିବା ପାଇଁ ଏଭଳି ଆୟୋଜନ ହେଉଛି କି ନାହିଁ, ତାହା ନେଇ ମଧ୍ୟ ପ୍ରଶ୍ନ ଉଠୁଛି।
୮ ବର୍ଷ ପରେ ହେଉଥିବା ଏହି ନିର୍ବାଚନ ଛାତ୍ର ସମସ୍ୟା ସମାଧାନର ମଞ୍ଚ ହେବ ନା ରାଜନୈତିକ ପ୍ରଭାବ ପ୍ରଦର୍ଶନର ମାଧ୍ୟମ—ଆସନ୍ତା ଦିନରେ ଏହା ସ୍ପଷ୍ଟ ହେବ।



















Leave a Reply