ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଜାଗ୍ରତ ଯୁବଶକ୍ତି ର ଦାବିପତ୍ର ପ୍ରଦାନ
ନିମାପଡ଼ା, ବିଭୂତି ଟିଭି: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଗ୍ରାମକୁ ଯିବା ପାଇଁ ଉପଯୁକ୍ତ ରାସ୍ତା ନଥିବା ସମସ୍ୟାକୁ ନେଇ ନିମାପଡ଼ା ବ୍ଲକ ଅନ୍ତର୍ଗତ ମିଟେଇପୁର ପଞ୍ଚାୟତର ପଣ୍ଡାଗୋରଡ଼ା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଛି ସାମାଜିକ ସଂଗଠନ ‘ଜାଗ୍ରତ ଯୁବଶକ୍ତି’।
ଗତକାଲି ସଂଗଠନର ସଦସ୍ୟମାନେ ପଣ୍ଡାଗୋରଡ଼ା ଗ୍ରାମକୁ ଯାଇ ରାସ୍ତା ସମସ୍ୟାର ସ୍ଥିତି ଅନୁଧ୍ୟାନ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଗ୍ରାମର ସମସ୍ତ ଅଧିବାସୀଙ୍କ ମତାମତ ଓ ସମସ୍ୟାର ବିସ୍ତୃତ ତଥ୍ୟ ସଂଗ୍ରହ କରିବା ପରେ ଆଜି ସଂଗଠନ ପକ୍ଷରୁ ନିମାପଡ଼ା ବ୍ଲକ ପ୍ରଶାସନ ମାଧ୍ୟମରେ ପୁରୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଗ୍ରାମବାସୀଙ୍କ ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ କରିବା ସହ ଯଥାଶୀଘ୍ର ଗ୍ରାମକୁ ରାସ୍ତା ନିର୍ମାଣ କରିବା ପାଇଁ ଦାବିପତ୍ରରେ ଦାବି କରାଯାଇଛି। ଏକ ଉନ୍ନତ ରାସ୍ତା ନିର୍ମାଣ ହେଲେ ଗ୍ରାମବାସୀଙ୍କ ଦୈନନ୍ଦିନ ଯାତାୟାତ ସହ ଛାତ୍ରଛାତ୍ରୀଙ୍କ ଶିକ୍ଷା, ରୋଗୀଙ୍କ ଚିକିତ୍ସା ଓ ଅନ୍ୟାନ୍ୟ ଜରୁରୀ ସେବା ପାଇବାରେ ସୁବିଧା ହେବ ବୋଲି ଆଶା ପ୍ରକାଶ ପାଇଛି।
ଏହି ଅବସରରେ ଜାଗ୍ରତ ଯୁବଶକ୍ତିର ଆବାହକ ଆଦର୍ଶ ଦାଶ, ସଂଯୋଜକ ସମୀର ରଞ୍ଜନ ରାଉତରାୟ, ମୁଖ୍ୟ ଉପଦେଷ୍ଟା ଅଜୟ କୁମାର ମିଶ୍ର, କୃଷ୍ଣଚନ୍ଦ୍ର ପାତ୍ର, ଅଜୟ କୁମାର ପଣ୍ଡା, ଦୀପ୍ତି ରଞ୍ଜନ ଚାନ୍ଦ, କୈଳାସ ପାତ୍ର, ସୌମ୍ୟ ରଞ୍ଜନ ପାତ୍ର ଓ ପ୍ରକାଶ ସାହୁଙ୍କ ସମେତ ପଣ୍ଡାଗୋରଡ଼ା ଗ୍ରାମର ବହୁ ବାସିନ୍ଦା ଉପସ୍ଥିତ ରହିଥିଲେ।
ଗ୍ରାମବାସୀଙ୍କ ଦାବିକୁ ଗୁରୁତ୍ୱ ଦେଇ ଜିଲ୍ଲା ଓ ବ୍ଲକ ପ୍ରଶାସନ ତୁରନ୍ତ ରାସ୍ତା ନିର୍ମାଣ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜାଗ୍ରତ ଯୁବଶକ୍ତି ଦୃଢ଼ ଦାବି କରିଛି।
ବିଭୂତି ଟିଭି (Bibhuti TV) — ଜନସମସ୍ୟାରୁ ଜନସମାଧାନ ପର୍ଯ୍ୟନ୍ତ।
















Leave a Reply