ରାସ୍ତା, ପାନୀୟ ଜଳ ଓ ଷ୍ଟ୍ରିଟ୍ ଲାଇଟ୍ ସମସ୍ୟାରେ ଗ୍ରାମବାସୀ ହନ୍ତସନ୍ତ
ଜାଗ୍ରତ ଯୁବଶକ୍ତି ପକ୍ଷରୁ ସ୍ଥିତି ଅନୁଧ୍ୟାନ, ପ୍ରଶାସନ ନିକଟରେ ଦାବି ଉପସ୍ଥାପନ ପାଇଁ ନିଷ୍ପତ୍ତି
ନିମାପଡ଼ା, ବିଭୂତି ଟିଭି: ସ୍ୱାଧୀନତାର ୮୦ ବର୍ଷ ପରେ ମଧ୍ୟ ଏକ ଗାଁକୁ ଯାତାୟାତ ପାଇଁ ଉପଯୁକ୍ତ ରାସ୍ତା ନଥିବା ଘଟଣା ନିମାପଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ନିମାପଡ଼ା ବ୍ଲକଠାରୁ ମାତ୍ର ୨ କିଲୋମିଟର ଦୂରରେ ଥିବା ମିଟେଇପୁର ପଞ୍ଚାୟତ ଅନ୍ତର୍ଗତ ପଣ୍ଡାଗୋରଡ଼ା ଗ୍ରାମର ଏହି ଦୁରବସ୍ଥା ସମ୍ପର୍କରେ ଜାଣିବା ପରେ ଜାଗ୍ରତ ଯୁବଶକ୍ତି ସଂଗଠନର ଏକ ପ୍ରତିନିଧି ଦଳ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ସଂଗଠନର ଆବାହକ ଆଦର୍ଶ ଦାଶ, ସଂଯୋଜକ ସମୀର ରଞ୍ଜନ ରାଉତରାୟ, ମୁଖ୍ୟ ଉପଦେଷ୍ଟା ଅଜୟ କୁମାର ମିଶ୍ର, ମୁଖ୍ୟ କାର୍ଯ୍ୟନିର୍ବାହୀ ବିଜୟାନନ୍ଦ ଦାସ, କୈଳାଶ ଚନ୍ଦ୍ର ସାହୁ ଓ ଅଜୟ କୁମାର ପଣ୍ଡା ପ୍ରମୁଖ ଗ୍ରାମକୁ ଯାଇ ସ୍ଥାନୀୟ ଲୋକଙ୍କ ସମସ୍ୟା ବୁଝିଥିଲେ।
ମୁଖ୍ୟ ରାସ୍ତାଠାରୁ ମାତ୍ର ୨୦୦ ମିଟର, ହେଲେ ଯୋଗାଯୋଗ ବିଚ୍ଛିନ୍ନ!
କୁଶଭଦ୍ରା ନଦୀ ଓ ଗୋପ ବ୍ରାଞ୍ଚ କେନାଲ ମଧ୍ୟରେ ଦ୍ୱୀପ ସଦୃଶ ଅବସ୍ଥିତ ପଣ୍ଡାଗୋରଡ଼ା ଗ୍ରାମ ନିମାପଡ଼ା-ହଂସପାଳ ମୁଖ୍ୟ ରାସ୍ତାଠାରୁ ମାତ୍ର ୨୦୦ ମିଟର ଦୂରରେ ରହିଛି। ହେଲେ ଗ୍ରାମକୁ ଯିବା ପାଇଁ ଉପଯୁକ୍ତ ରାସ୍ତା ନଥିବାରୁ ଗ୍ରାମବାସୀ ବର୍ଷତମାମ ମାଟି ଓ କାଦୁଅ ରାସ୍ତାରେ ଯାତାୟାତ କରୁଛନ୍ତି।
ବିଶେଷକରି ବର୍ଷାଦିନେ ଏହି ସମସ୍ୟା ଅଧିକ ଗମ୍ଭୀର ହୋଇପଡ଼ୁଛି। ଗାଁକୁ ରାସ୍ତା ନଥିବାରୁ ରୋଗୀଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇବା ଗ୍ରାମବାସୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି।
ପାନୀୟ ଜଳ ଓ ଆଲୋକୀକରଣ ସମସ୍ୟାରେ ଗ୍ରାମବାସୀ
ଗ୍ରାମର ମୁରବୀ, ଯୁବଗୋଷ୍ଠୀ ଓ ମହିଳାମାନଙ୍କ ସହ ଆଲୋଚନା ସମୟରେ ରାସ୍ତା ସମସ୍ୟା ସହିତ ପାନୀୟ ଜଳ ଓ ଷ୍ଟ୍ରିଟ୍ ଲାଇଟ୍ର ଅଭାବ ଥିବା ଜଣାପଡ଼ିଥିଲା। ଗାଁରେ ରାସ୍ତା ଆଲୋକୀକରଣ ବ୍ୟବସ୍ଥା ନଥିବାରୁ ସନ୍ଧ୍ୟା ପରେ ଲୋକଙ୍କ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହେଉଛି।
ଗ୍ରାମବାସୀଙ୍କ ଏହି ମୌଳିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବା ଜରୁରୀ ବୋଲି ସଂଗଠନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।
ବ୍ଲକ୍ ଓ ଜିଲ୍ଲା ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରିବ ଜାଗ୍ରତ ଯୁବଶକ୍ତି
ପଣ୍ଡାଗୋରଡ଼ା ଗ୍ରାମର ଦୁରବସ୍ଥା ଦୂର କରିବା ସହ ଗ୍ରାମକୁ ଏକ ସ୍ଥାୟୀ ଓ ଉପଯୁକ୍ତ ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ ଏବଂ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା କରିବା ଦାବିରେ ବିଧିବଦ୍ଧ ଭାବେ ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରିବାକୁ ଜାଗ୍ରତ ଯୁବଶକ୍ତି ସଂଗଠନ ନିଷ୍ପତ୍ତି ନେଇଛି।
ସ୍ୱାଧୀନତାର ଆଠ ଦଶନ୍ଧି ପରେ ମଧ୍ୟ ଗ୍ରାମାଞ୍ଚଳର ଲୋକଙ୍କୁ ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେବାକୁ ପଡ଼ୁଥିବା ଘଟଣା ଗ୍ରାମୀଣ ବିକାଶର ବାସ୍ତବତା ଉପରେ ପ୍ରଶ୍ନ ଉଠାଇଛି। ଏବେ ପ୍ରଶାସନ ଏହି ଗ୍ରାମର ସମସ୍ୟା ପ୍ରତି କେବେ ଦୃଷ୍ଟି ଦେଉଛି ଏବଂ ଗ୍ରାମବାସୀଙ୍କୁ କେବେ ମୌଳିକ ସୁବିଧା ମିଳୁଛି, ତାହାକୁ ଅପେକ୍ଷା କରାଯାଇଛି।
















Leave a Reply