ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ‘ଅପରେସନ ଲୋଟସ’କୁ ନେଇ ରାଜ୍ୟ ରାଜନୀତି ସରଗରମ । ସବୁ ରାଜନୈତିକ ଦଳକୁ ଘାରିଛି ଘୋଡା ବ୍ୟାପାର ଭୟ । କଂଗ୍ରେସର ୧୪ ଜଣ ବିଧାୟକଙ୍କ ମଧ୍ୟରୁ ରାଜ୍ୟସଭା ନିର୍ବାଚନ ପୂର୍ବରୁ ବାଙ୍ଗାଲୋରରେ ରହିଛନ୍ତି ୮ ଜଣ ବିଧାୟକ । ଭୁବନେଶ୍ୱରରେ ରାମଚନ୍ଦ୍ର କାଡାମ, ତାରା ବାହିନୀପତି, ସାଗର ଦାଶ, ସୋଫିଆ ଫିର୍ଦ୍ଦୋସ ରହିଥିବା ବେଳେ ରମେଶ ଜେନାଙ୍କ ସହ ଯୋଗାଯୋଗରେ ରହିଛନ୍ତି ଦଳୀୟ ମୁଖିଆ । ହେଲେ ବିଧାୟକ ଦାଶରଥି ଗମାଙ୍ଗଙ୍କ ଫୋନ ଲାଗୁନି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ।
ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ନିଜ ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ସବୁ ବଳ ଲଗାଇ ଦେଇଛି । ପିସିସି ସଭାପତି ଭକ୍ତ ଚରଣ ଦାସ ନିଜ ୮ ବିଧାୟକଙ୍କୁ ନେଇ ବେଙ୍ଗାଲୁରୁ ଯାଇଛନ୍ତି । ମାତ୍ର ବାକି ୬ ଜଣ ବିଧାୟକ ଓଡ଼ିଶାରେ ଥିଲେ ମଧ୍ୟ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ବିଧାୟକ ଦାଶରଥି ଗମାଙ୍ଗ କଂଗ୍ରେସର କୌଣସି ନେତାଙ୍କ ଟେଲିଫୋନ୍ ଉଠାଉ ନାହାଁନ୍ତି । ତେବେ ଗମାଙ୍ଗ କୌଣସି ବିଧାୟକଙ୍କ ସହ ଯୋଗାଯୋଗ ରଖୁ ନ ଥିବା ସୂତ୍ରରୁ ଜଣାପଡ଼ିଛି ।
ଗଣମାଧ୍ୟମକୁ ସୂଚନା ଦେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, “କ୍ରସ ଭୋଟିଂ ଭୟରେ ବିଧାୟକମାନଙ୍କୁ ବେଙ୍ଗାଲୁରୁ ନିଆଯାଇଛି । କିନ୍ତୁ ଦଳର ମୋହନା ବିଧାୟକ ଦାଶରଥି ଗମାଙ୍ଗ କଂଗ୍ରେସ ନେତାଙ୍କ ଫୋନ ଉଠାଉ ନାହାନ୍ତି । ଆମର ଜଣେ ବିଧାୟକ ଫୋନ ଉଠାଉନାହାଁନ୍ତି । କିନ୍ତୁ ମୋର ଆଶା ସିଏ ଦଳ ବିରୋଧରେ ଭୋଟ ଦେବେନାହିଁ । ପିସିସି ସଭାପତି ଏବଂ ସମସ୍ତ ବିଧାୟକଙ୍କ ସହ ବାରମ୍ବାର ଆଲୋଚନ ହୋଇଛି । ସମସ୍ତେ ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ଵର ହୋତା ଭୋଟ ଦେବେ ବୋଲି ପ୍ରତିଶୃତି ଦେଇଥିଲେ ।” ତେବେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ଯଦି କେହି କ୍ରସ ଭୋଟିଂ କରନ୍ତି ତେବେ ଦଳ ତରଫରୁ ତାଙ୍କ ଉପରେ ଦୃଢ କାଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।
ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡ଼ିଶାର କଂଗ୍ରେସ ବିଧାୟକମାନଙ୍କୁ ବେଙ୍ଗାଲୁରୁକୁ ନେଇ ରଖାଯାଇଥିବା ଘଟଣାକୁ ନେଇ ଗତକାଲି ଦଳର ଏକମାତ୍ର ମହିଳା ବିଧାୟିକା ସୋଫିଆ ଫିର୍ଦ୍ଦୋସ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଦଳୀୟ ବିଧାୟକମାନଙ୍କ ବେଙ୍ଗାଲୁରୁ ଗସ୍ତ ବିଷୟରେ ତାଙ୍କୁ କୌଣସି ଆଗୁଆ ସୂଚନା ଦିଆଯାଇନଥିଲା ବୋଲି ସେ କହିଥିଲେ ।

















Leave a Reply