ଭୁବନେଶ୍ବର: ନିଜ ସପକ୍ଷରେ ସମର୍ଥନ ଲୋଡିବାକୁ କଂଗ୍ରେସ ବିଧାୟକମାନଙ୍କୁ ଅନୁରୋଧ କଲେ ବିଜେଡିର ମିଳିତ ରାଜ୍ୟସଭା ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତା । ସେପଟେ କଂଗ୍ରେସ ବିଧାୟକ ଦଳ ବୈଠକରେ ଆରମ୍ଭରୁ କେଁ ଆସିଲେନି ଦୁଇ ବିଧାୟକ । ଆଜି ଭୁବନେଶ୍ୱରରେ ଏକ ଘରୋଇ ହୋଟେଲରେ କଂଗ୍ରେସର ବିଧାୟକମାନଙ୍କୁ ଭେଟି ନିଜ ସପକ୍ଷରେ ଭୋଟ ମାଗିଛନ୍ତି ଡାକ୍ତର ଦତ୍ତେଶ୍ବର ହୋତା । କଂଗ୍ରେସ ମଧ୍ୟ ତାଙ୍କୁ ସମର୍ଥନ ଦେବା ନେଇ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।
ପିସିସି ସଭାପତି ଭକ୍ତ ଦାସ ଆଜି ଦିଲ୍ଲୀ ଗସ୍ତ ସାରି ଭୁବନେଶ୍ୱର ଫେରିବା ପରେ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡ଼ାମଙ୍କ ସରକାରୀ ବାସଭବନରେ ଅପରାହ୍ନ ୩ ଟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ଯେଉଁଥିରେ କେନ୍ଦ୍ରୀୟ ପ୍ରଭାରୀ ଅଜୟ କୁମାର ଲଲୁ, ନବ ନିଯୁକ୍ତ ସହ ପ୍ରଭାରୀ ମୟୂରା ଜୟ କୁମାର, ପିସିସି ସଭାପତି ଭକ୍ତ ଦାସ, ବିଧାୟକ ଅଶୋକ ଦାଶ, ରାଜେନ ଏକ୍କା, ପବିତ୍ର ସାଉନ୍ତା, ପ୍ରଫୁଲ୍ଲ ପ୍ରଧାନ, ସାଗର ଦାସ, ନୀଳମାଧବ ହିକ୍କା, ମଙ୍ଗୁ ଖିଲ, ସତ୍ୟଜିତ ଗମାଙ୍ଗ ଉପସ୍ଥିତ ରହିଥିଲେ । କିନ୍ତୁ ବରିଷ୍ଠ ବିଧାୟକ ତାରା ବାହିନୀପତି, ରମେଶ ଜେନା, ଦାଶରଥି ଗମାଙ୍ଗ ଏବଂ ସୋଫିଆ ଫିର୍ଦ୍ଦୋସ ବୈଠକକୁ ଆସିନଥିଲେ ।
ଏହାପରେ ଏକ ଘରୋଇ ହୋଟେଲରେ କଂଗ୍ରେସର ବିଧାୟକମାନଙ୍କୁ ଭେଟି ନିଜ ସପକ୍ଷରେ ଭୋଟ ମାଗିଛନ୍ତି ବିଜେଡିର ମିଳିତ ରାଜ୍ୟସଭା ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତା । ହେଲେ ଏହି ବୈଠକରେ ବିଧାୟକ ତାରା ବାହିନୀପତି ଏବଂ ଦାଶରଥି ଗମାଙ୍ଗଙ୍କୁ ଦେଖିବାକୁ ମିଳିଥିବା ବେଳେ ସୋଫିଆ ଏବଂ ରମେଶ ଜେନାଙ୍କ ଦେଖା ମିଳିନଥିଲା । ଯାହାକୁ ନେଇ ଏବେ କଂଗ୍ରେସର ଦଳୀୟ କନ୍ଦଳ ପଦାରେ ପଡ଼ିଛି । ଦତ୍ତେଶ୍ବରଙ୍କୁ ସମର୍ଥନ ନେଇ କଂଗ୍ରେସ, ବିଜେଡି ସହ ଏକମତ ହୋଇ ପାରୁନାହିଁ ବୋଲି ଚର୍ଚ୍ଚା ହୋଇଥିବା ବେଳେ ଦଳର ୧୪ଟି ଭୋଟ ଏକାଠି ନାହିଁ, ଯାହା ପିସିସି ସଭାପତିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ଏହି ଅବସରରେ ରାଜ୍ୟସଭା ପ୍ରାର୍ଥୀଡାକ୍ତର ଦତ୍ତେଶ୍ୱର ହୋତା କହିଛନ୍ତି,” ମୁଁ ମିଳିତ ରାଜ୍ୟସଭା ପ୍ରାର୍ଥୀ । ସମସ୍ତଙ୍କ ସହଯୋଗ ଲୋଡିଛି । ଆଜି କଂଗ୍ରେସ ବିଧାୟକ ଦଳର ବୈଠକରେ ଯୋଗଦେଇ ସମର୍ଥନ ଲୋଡ଼ିଛି । ବୈଠକରେ ଅନୁପସ୍ଥିତି ଥିବା କଂଗ୍ରେସ ବିଧାୟକଙ୍କୁ ମଧ୍ୟ ଭେଟିବି ।”
କଂଗ୍ରେସର ବିଧାୟକ ଦଳର ବୈଠକ ଶେଷ ହେବା ପରେ ଉପସ୍ଥିତ ସମସ୍ତ ବିଧାୟକଙ୍କ ଏବଂ ପ୍ରଭାରୀଙ୍କୁ ନେଇ ରାମଚନ୍ଦ୍ର କାଡ଼ାମଙ୍କ ବାସଭବନରେ ପହଞ୍ଚିଥିଲେ ପସିସି ସଭାପତି, ସେଠାରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେବା ବେଳେ ଅତି ଚତୁରତାର ସହ ଅନୁପସ୍ଥିତ ବିଧାୟକମାନଙ୍କ ପ୍ରଶ୍ନକୁ ଏଡାଇ ଯାଇଥିଲେ ଭକ୍ତ ଦାସ । ପିସିସି ସଭାପତି କହିଥିଲେ,”ଡାକ୍ତର ଦତ୍ତେଶ୍ବର ହୋତା ହେଉଛନ୍ତି ମିଳିତ ପ୍ରାର୍ଥୀ । ସମସ୍ତେ କିଭଳି ସମର୍ଥନ କରିବେ ସେନେଇ ବୈଠକରେ ନିଷ୍ପତ୍ତି ହୋଇଛି । ଏ ବାବଦରେ କେନ୍ଦ୍ରୀୟ ନେତୃତ୍ବ ନିଷ୍ପତି ପରେ ରାଜ୍ୟ କଂଗ୍ରେସ ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ କରୁଛି ।” ବାକି ସୋଫିଆ ଓ ରମେଶଙ୍କୁ ନେଇ ଭକ୍ତ କହିଛନ୍ତି ସେମାନେ ପରେ ଆମ ସହିତ ସାମିଲ ହେବେ ।

















Leave a Reply