ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଡିଏଭି ପବ୍ଲିକ ସ୍କୁଲ, ନିମାପଡ଼ାରେ ଭକ୍ତିମୟ ପରିବେଶରେ ରଥଯାତ୍ରା ମହୋତ୍ସବ ପାଳିତ

ନିମାପଡ଼ା: (BT)ଓଡ଼ିଆ ଅସ୍ମିତା, ଆଧ୍ୟାତ୍ମିକତା ଓ ସାଂସ୍କୃତିକ ଐତିହ୍ୟର ଅନନ୍ୟ ପ୍ରତୀକ ବିଶ୍ୱବନ୍ଦିତ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ମହୋତ୍ସବ ଡିଏଭି ପବ୍ଲିକ ସ୍କୁଲ, ନିମାପଡ଼ା ପରିସରରେ ଅତ୍ୟନ୍ତ ଭକ୍ତି, ଉଲ୍ଲାସ ଓ ଆଧ୍ୟାତ୍ମିକ ଆବେଗର ସହ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଏମ୍. ଏମ୍. ହକ୍ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରକୁ ଏକ ଛୋଟ ଶ୍ରୀକ୍ଷେତ୍ରର ରୂପ ପ୍ରଦାନ କରିଥିଲା।

କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲେ ଛାତ୍ର ଶାଶ୍ୱତ କୁମାର ନାୟକ ଶର୍ମା, ଯିଏ ପାରମ୍ପରିକ ବେଶଭୂଷାରେ ଗଜପତି ମହାରାଜ ରୂପେ ସଜ୍ଜିତ ହୋଇ ଉପସ୍ଥିତ ସମସ୍ତଙ୍କ ପ୍ରଶଂସା ସାଉଁଟିଥିଲେ। ସଂସ୍କୃତ ଶିକ୍ଷକ ଶ୍ରୀ ସଦାଶିବ ଶତପଥୀଙ୍କ ପୌରୋହିତ୍ୟରେ ବିଧିବଦ୍ଧ ପୂଜାର୍ଚ୍ଚନା ସମ୍ପନ୍ନ ହେବା ପରେ ଭକ୍ତିର ଆବହରେ ରଥଯାତ୍ରା ଆରମ୍ଭ ହୋଇଥିଲା।

ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଏକାଠି ହୋଇ ମହାପ୍ରଭୁଙ୍କ ରଥକୁ ଟାଣିଥିଲେ। “ଜୟ ଜଗନ୍ନାଥ” ଧ୍ୱନି, ଶଙ୍ଖନାଦ ଓ ଭକ୍ତି ସଙ୍ଗୀତରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ଭାବରେ ମୁଖରିତ ହୋଇଉଠିଥିଲା। ରଥ ଟାଣିବାର ଏହି ସାମୂହିକ ଅଂଶଗ୍ରହଣ ଏକତା, ଭ୍ରାତୃତ୍ୱ ଓ ସମର୍ପଣର ଅନନ୍ୟ ବାର୍ତ୍ତା ବହନ କରିଥିଲା।

ଏହି ଅବସରରେ ଆରାଧ୍ୟା ପ୍ରିୟଦର୍ଶିନୀ ଓ ସୁରୀୟାଂଶି ସାହୁଙ୍କ ଭକ୍ତିମୟ ନୃତ୍ୟ ପରିବେଷଣ ଉପସ୍ଥିତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିବାବେଳେ ଛାତ୍ର ଆୟୁଷ ଅଂଶୁମାନ ମହାପାତ୍ରଙ୍କ ସୁମଧୁର କଣ୍ଠରେ ପରିବେଷିତ ଜଗନ୍ନାଥ ଭଜନ ସମଗ୍ର ପରିବେଶକୁ ଭକ୍ତିରସରେ ଭିଜାଇ ଦେଇଥିଲା। ସଙ୍ଗୀତ ପରିଚାଳନାରେ ଶ୍ରୀ ପୀତବାସ ନାୟକଙ୍କ ଅବଦାନ କାର୍ଯ୍ୟକ୍ରମକୁ ଅଧିକ ପ୍ରାଣବନ୍ତ କରିଥିଲା।

ସମଗ୍ର କାର୍ଯ୍ୟକ୍ରମକୁ ଶ୍ରୀମତୀ କଲ୍ୟାଣୀ ଇତିଶ୍ରୀ ମିଶ୍ର ସୁନ୍ଦର, ସାବଲୀଳ ଓ ଆକର୍ଷଣୀୟ ଢଙ୍ଗରେ ପରିଚାଳନା କରିଥିଲେ। ଓଡ଼ିଆ ଶିକ୍ଷକ ଶ୍ରୀ ମାଧବ ମଲ୍ଲିକ ତାଙ୍କ ବକ୍ତବ୍ୟରେ ରଥଯାତ୍ରାର ଐତିହାସିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ଶ୍ରୀଜଗନ୍ନାଥ ସଂସ୍କୃତି ହେଉଛି ସମତା, ସହିଷ୍ଣୁତା, ସେବା ଓ ବିଶ୍ୱବନ୍ଧୁତ୍ୱର ଜୀବନ୍ତ ପ୍ରତୀକ। ଏହି ପରମ୍ପରାକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବା ପ୍ରତ୍ୟେକଙ୍କର ନୈତିକ ଦାୟିତ୍ୱ ବୋଲି ସେ ମତ ପ୍ରକାଶ କରିଥିଲେ।

ଶେଷରେ ଅଧ୍ୟକ୍ଷ ଶ୍ରୀ ଏମ୍. ଏମ୍. ହକ୍ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ, ଏଭଳି ସାଂସ୍କୃତିକ ଆୟୋଜନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମନରେ ନିଜ ମାତୃଭୂମି, ମାତୃଭାଷା ଓ ଓଡ଼ିଆ ସଂସ୍କୃତି ପ୍ରତି ଶ୍ରଦ୍ଧା, ଗର୍ବ ଏବଂ ଆତ୍ମପରିଚୟର ଭାବନା ଅଧିକ ସୁଦୃଢ଼ ହୋଇଥାଏ।

ଭକ୍ତି, ସଂସ୍କୃତି ଓ ଐତିହ୍ୟର ଅପୂର୍ବ ସମନ୍ୱୟରେ ଅନୁଷ୍ଠିତ ଏହି ରଥଯାତ୍ରା ମହୋତ୍ସବ ଉପସ୍ଥିତ ସମସ୍ତଙ୍କ ମନରେ ମହାପ୍ରଭୁଙ୍କ ପ୍ରତି ଭକ୍ତିଭାବ ସୃଷ୍ଟି କରିବା ସହ ଓଡ଼ିଆ ସଂସ୍କୃତିର ମହିମାକୁ ଆହୁରି ଉଜ୍ଜ୍ୱଳ କରିଥିଲା।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *