ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ନିମାପଡ଼ା କଲେଜରେ ସପ୍ତାହବ୍ୟାପୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଶତାଧିକ ଛାତ୍ରୀ ଶିଖିଲେ ଆତ୍ମରକ୍ଷା ର ବିଭିନ୍ନ କୌଶଳ

ନିମାପଡ଼ା, ୨୦/୮ (Bibhuti TV): ଛାତ୍ରୀମାନଙ୍କୁ ଆତ୍ମନିର୍ଭର ଓ ସାହସୀ କରିବା ସହ ବିପଦ ସମୟରେ ନିଜକୁ ସୁରକ୍ଷିତ ରଖିବାର କୌଶଳ ଶିକ୍ଷା ଦେବା ଲକ୍ଷ୍ୟରେ ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଚାଲିଥିବା ସପ୍ତାହବ୍ୟାପୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଆଜି ହେରିଟେଜ୍ ବିଲ୍ଡିଂରେ ଉଦ୍‌ଯାପିତ ହୋଇଛି।

ବାଲେଶ୍ୱରରେ ଘଟିଥିବା ଛାତ୍ରୀ ପୋଡ଼ି ମୃତ୍ୟୁ ଘଟଣା ପରେ ଛାତ୍ରୀମାନଙ୍କ ସୁରକ୍ଷା ଓ ସଶକ୍ତିକରଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇ ମହାବିଦ୍ୟାଳୟଗୁଡ଼ିକରେ ଶକ୍ତିଶ୍ରୀ ସଶକ୍ତିକରଣ ବ୍ୟବସ୍ଥାକୁ ସକ୍ରିୟ କରିଛନ୍ତି। ଏହାର ଅଂଶ ଭାବେ ନିମାପଡ଼ା କଲେଜରେ ଅଗଷ୍ଟ ୧୩ ତାରିଖରୁ ଏହି ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଥିଲା।

ଉଦ୍‌ଯାପନୀ ଉତ୍ସବରେ ବଳଙ୍ଗା ଥାନା ଆଇଆଇସି ଇଂ. ସସ୍ମିତା ସାହୁ (ଏମ୍‌.ଟେକ୍‌) ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଭୟଭୀତ ନହୋଇ ସାହସର ସହ ପରିସ୍ଥିତିର ମୁକାବିଲା କରିବାକୁ ଆହ୍ୱାନ ଦେଇଥିଲେ। ଜୀବନରେ ଘଟୁଥିବା ସମସ୍ୟା ଓ ଘଟଣାକୁ ନିଜ ପରିବାର ଓ ବିଶ୍ୱସ୍ତ ବ୍ୟକ୍ତିଙ୍କ ସହ ଆଲୋଚନା କରିବାକୁ ସେ ପରାମର୍ଶ ଦେଇଥିଲେ। ନିଜ ଜୀବନର ସଂଘର୍ଷ ଓ ପୁଲିସ ଚାକିରି ପାଇବାର ଅନୁଭୂତି ମଧ୍ୟ ସେ ଛାତ୍ରୀମାନଙ୍କ ସହ ବାଣ୍ଟିଥିଲେ।

ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ରାଜକିଶୋର ମିଶ୍ର ସ୍ୱାଗତ ଭାଷଣ ଦେଇ ସମାଜରେ ଝିଅମାନଙ୍କ ପ୍ରତି ରହିଥିବା ଭିନ୍ନ ମାନସିକତା ଉପରେ ଆଲୋକପାତ କରିଥିଲେ। ସବୁ କ୍ଷେତ୍ରରେ ଝିଅମାନେ ଆଗକୁ ବଢ଼ୁଥିବା ଉଲ୍ଲେଖ କରି ସେ ଛାତ୍ରୀମାନଙ୍କୁ ସାହସୀ ହେବା ସହ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ମହିଳାମାନେ କୌଣସି କ୍ଷେତ୍ରରେ ଦୁର୍ବଳ ନୁହନ୍ତି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ନିମାପଡ଼ା ଥାନା ସବ୍‌ଇନ୍ସପେକ୍ଟର ଲକ୍ଷ୍ମୀକାନ୍ତ ମହାନ୍ତି, ପ୍ରଶାସନିକ ଅଧିକାରୀ ପ୍ରଧ୍ୟାପକ ଡ. ରବୀନ୍ଦ୍ର କୁମାର ପାଢ଼ୀ, ଅଧ୍ୟାପକ ସୁବ୍ରତ ମହାନ୍ତି, ଅଧ୍ୟାପିକା ପୁଷ୍ପାରାଣୀ ପଣ୍ଡା, ବାସନ୍ତୀ ମାଝୀ, ସସ୍ମିତା ଦଳେଇ ଓ ସୁମିତ୍ରା ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।

କଲେଜର ଶକ୍ତିଶ୍ରୀ ବିଭାଗର ମୁଖ୍ୟ ଅଧ୍ୟାପିକା ପ୍ରିୟଦର୍ଶିନୀ ସାହୁଙ୍କ ଅଧ୍ୟକ୍ଷତାରେ ଉଦ୍‌ଯାପନୀ ଉତ୍ସବ ଆୟୋଜିତ ହୋଇଥିଲା।

ଶିବିରରେ ମହିଳା ପ୍ରଶିକ୍ଷକଙ୍କ ଠାରୁ ଶତାଧିକ ଛାତ୍ରୀ ଆତ୍ମରକ୍ଷାର ବିଭିନ୍ନ କୌଶଳ ଓ ତାହାର ପ୍ରୟୋଗ ସମ୍ପର୍କରେ ପ୍ରଶିକ୍ଷଣ ନେଇଥିଲେ। ଉଦ୍‌ଯାପନୀ ଦିବସରେ ଛାତ୍ରୀମାନେ ଶିଖିଥିବା ଆତ୍ମରକ୍ଷା କୌଶଳର ଚମତ୍କାର ପ୍ରଦର୍ଶନ କରି ଅତିଥିମାନଙ୍କ ପ୍ରଶଂସା ସାଉଁଟିଥିଲେ।

Bibhuti TV | ନିମାପଡ଼ା

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *