ସ୍ନେହ, ସ୍ମୃତି ଓ ଶୈଶବ ର ରଙ୍ଗରେ ମୁଖରିତ ହେଲା ବିଦ୍ୟାଳୟ ପରିସର
ନିମାପଡ଼ା: ଅଭିଜ୍ଞତାର ଭଣ୍ଡାର, ସ୍ନେହର ନିର୍ଭରଯୋଗ୍ୟ ଆଶ୍ରୟ ଏବଂ ପରିବାରର ମୂଲ୍ୟବୋଧର ବାହକ ଜେଜେବାପା ଓ ଜେଜେମାଙ୍କ ପ୍ରତି ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଡି.ଏ.ଭି. ପବ୍ଲିକ୍ ସ୍କୁଲ, ନିମାପଡ଼ା ପରିସରରେ ଆନନ୍ଦ ଓ ଉତ୍ସାହର ସହ ‘ଗ୍ରାଣ୍ଡପ୍ୟାରେଣ୍ଟସ୍ ଡେ’ ପାଳିତ ହୋଇଯାଇଛି।
ଜେଜେବାପା-ଜେଜେମାଙ୍କୁ ଉଷ୍ମ ସ୍ୱାଗତ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପ୍ରଦୀପ ପ୍ରଜ୍ୱଳନ ଓ ଡିଏଭି ଗାନ ପରିବେଷଣ ପରେ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀମାନେ ସମବେତ ସଙ୍ଗୀତ ପରିବେଷଣ କରିଥିଲେ। ଶିକ୍ଷୟିତ୍ରୀ ଶ୍ରୀମତୀ ସସ୍ମିତା ବିଶ୍ୱାଳ ନିଜ ଅଭିଭାଷଣରେ ଜେଜେବାପା-ଜେଜେମାଙ୍କ ସ୍ନେହ, ଅଭିଜ୍ଞତା ଓ ପରିବାର ଗଠନରେ ସେମାନଙ୍କ ଅବଦାନର ଗୁରୁତ୍ୱ ଉପସ୍ଥାପନ କରିଥିଲେ।
କେଜି ବିଭାଗର କୁନି କୁନି ଶିଶୁଙ୍କ ମନୋରମ ଦଳୀୟ ନୃତ୍ୟ ପରେ ପ୍ରଧାନ ଶିକ୍ଷକ ଶ୍ରୀ ଏମ୍. ଏମ୍. ହକ୍ ନିଜ ଅଭିଭାଷଣରେ କହିଥିଲେ ଯେ, ଜେଜେବାପା-ଜେଜେମା କେବଳ ପରିବାରର ବୟୋଜ୍ୟେଷ୍ଠ ନୁହନ୍ତି, ସେମାନେ ଶିଶୁମାନଙ୍କ ପାଇଁ ଅନୁଭବ, ସଂସ୍କାର, ମୂଲ୍ୟବୋଧ ଓ ନିଃସ୍ୱାର୍ଥ ସ୍ନେହର ଜୀବନ୍ତ ପାଠଶାଳା। ବର୍ତ୍ତମାନର ବ୍ୟସ୍ତ ଜୀବନରେ ନୂଆ ପିଢ଼ି ଓ ପୁରୁଣା ପିଢ଼ି ମଧ୍ୟରେ ଭାବନାତ୍ମକ ସମ୍ପର୍କକୁ ଦୃଢ଼ କରିବାରେ ଏପରି ଆୟୋଜନର ଗୁରୁତ୍ୱ ସେ ଉଲ୍ଲେଖ କରିଥିଲେ।
ପରବର୍ତ୍ତୀ ପର୍ଯ୍ୟାୟରେ ଦ୍ୱିତୀୟ ଓ ପ୍ରଥମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଦଳୀୟ ନୃତ୍ୟ, ରାମ୍ପ୍ ୱାକ୍ ଓ ରେଟ୍ରୋ ଡ୍ୟାନ୍ସ ଉପସ୍ଥିତ ସମସ୍ତଙ୍କୁ ଆନନ୍ଦିତ କରିଥିଲା। ସୁବେନ୍ଦୁ ସାର୍ ଓ ପ୍ରତ୍ୟୁଷ ସାର୍ଙ୍କ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମରେ ସୁରର ମାଧୁର୍ଯ୍ୟ ଭରିଦେଇଥିଲା।
ଏହି ଅବସରରେ ଜେଜେବାପା-ଜେଜେମାମାନେ ନିଜ ଅତୀତର ସ୍ମୃତି ଓ ଅନୁଭୂତି ବାଣ୍ଟିଥିଲେ। ଏହି ‘ମେମୋରି ରିଭ୍ୟୁ’ ପର୍ଯ୍ୟାୟଟି ପିଢ଼ିରୁ ପିଢ଼ିକୁ ସ୍ମୃତି ଓ ଅନୁଭବର ସେତୁ ଗଢ଼ିବାର ଏକ ଭାବପୂର୍ଣ୍ଣ ମୁହୂର୍ତ୍ତ ପାଲଟିଥିଲା।
ଶେଷରେ ଶ୍ରୀମତୀ ପ୍ରିୟଙ୍କା ରଥ ଧନ୍ୟବାଦ ଅର୍ପଣ କରିଥିବାବେଳେ ଶାନ୍ତିପାଠ ସହ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା। ଜେଜେବାପା-ଜେଜେମାଙ୍କ ସ୍ନେହ, ଶିଶୁମାନଙ୍କ ହସ ଓ ବିଦ୍ୟାଳୟର ଆତ୍ମୀୟ ପରିବେଶରେ ଦିନଟି ସମ୍ପର୍କକୁ ସମ୍ମାନ ଓ ସ୍ମୃତିକୁ ସଂରକ୍ଷଣ କରିବାର ଏକ ଅବିସ୍ମରଣୀୟ ଅବସର ଭାବେ ପରିଣତ ହୋଇଥିଲା। ଏହାକୁ ପରିଚାଳନା କରିଥିଲେ ଶିକ୍ଷୟତ୍ରୀ ଅନୁ କୁମାରି ଚୋବେ।



















Leave a Reply