ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ସ୍ୱପ୍ନ ହିଁ ଭବିଷ୍ୟତର ମାର୍ଗଦର୍ଶକ: ଲିଟିଲ ଷ୍ଟାର ଗ୍ରୁପର ୨୨ତମ ‘ପାଠ ମଉଜ’ ଓ ସମ୍ବର୍ଦ୍ଧନା ସମାରୋହ

ନିମାପଡ଼ା:
“ବଡ଼ ହେବା ପାଇଁ ପ୍ରଥମେ ବଡ଼ ସ୍ୱପ୍ନ ଦେଖିବା ଆବଶ୍ୟକ। ସ୍ୱପ୍ନ ଯେତେ ବିସ୍ତୃତ ହେବ, ଲକ୍ଷ୍ୟ ପଥ ସେତେ ସ୍ପଷ୍ଟ ହେବ”—ଏଭଳି ବାର୍ତ୍ତା ସହ ଲିଟିଲ ଷ୍ଟାର ଗ୍ରୁପର ୨୨ତମ ‘ପାଠ ମଉଜ’ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଛି।
ବାବା କପିଳେଶ୍ୱରଙ୍କ ପୀଠ ପରିସରରେ ଆୟୋଜିତ ଏହି ସମାରୋହରେ ଲିଟିଲ ଷ୍ଟାର ଗ୍ରୁପର ସମ୍ପାଦକ ସୁମନ୍ତ ମହାରଣାଙ୍କ ସଂଯୋଜନାରେ ଛାତ୍ରଛାତ୍ରୀଙ୍କ ଶିକ୍ଷା, ପ୍ରତିଭା ଓ ଭବିଷ୍ୟତ ଲକ୍ଷ୍ୟକୁ ନେଇ ଆଲୋଚନା ହୋଇଥିଲା।
କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଡ. ପ୍ରଣବ ସ୍ୱାଇଁ, ରବୀନ୍ଦ୍ରନାଥ ପାଢ଼ୀ, ପ୍ରକାଶ ଖଟୋଇ, ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତ, ବସନ୍ତ ସ୍ୱାଇଁ, କ୍ରୀଡ଼ାବିତ ନିର୍ମଳ ମିଶ୍ର, ଶିକ୍ଷୟିତ୍ରୀ ସୌଭାଗିନୀ ମିଶ୍ର, ସଂଯୁକ୍ତା ମହାନ୍ତି, ଗୌରୀ ପ୍ରିୟା ନନ୍ଦ, କବି କାଳିକିଙ୍କର ଏବଂ ଭି-ଗାର୍ଡର ମାନବ ସମ୍ବଳ ଅଧିକାରୀ ସଞ୍ଜୟ ବେହେରା ପ୍ରମୁଖ ଯୋଗଦେଇଥିଲେ।
ଅତିଥିମାନେ ସମ୍ବର୍ଦ୍ଧିତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ସଫଳତା କାମନା କରିଥିଲେ। ଏହି ଅବସରରେ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ଭବିଷ୍ୟତର ଲକ୍ଷ୍ୟ ଓ ସ୍ୱପ୍ନ ସମ୍ପର୍କରେ ନିଜ ଅଭିଭାଷଣ ରଖିଥିଲେ।
ଚଳିତ ବର୍ଷ ଦଶମ ଶ୍ରେଣୀର ୫୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ସମାରୋହରେ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ଛାତ୍ରଛାତ୍ରୀଙ୍କ ମନରେ ନୂଆ ଉତ୍ସାହ ଓ ଆତ୍ମବିଶ୍ୱାସ ସୃଷ୍ଟି କରିଥିଲା।
କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ, ଶିକ୍ଷକ ଓ ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ। ଲିଟିଲ ଷ୍ଟାର ଗ୍ରୁପ ପକ୍ଷରୁ ଅଜୟ ମିଶ୍ର, ନିରଞ୍ଜନ ସାହୁ, ବିଷ୍ଣୁ ପ୍ରସାଦ ମିଶ୍ର ଓ ସାରଦା ପ୍ରସନ୍ନ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
— Bibhuti TV News Desk

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *