ପିପିଲି, : ଡେଲାଙ୍ଗ-ପିପିଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି ବ୍ଲକ ସ୍ତରରେ ସରକାରଙ୍କ ପ୍ରମୁଖ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ‘ସେବା ସଂକଳ୍ପ ଅଭିଯାନ’ ବେଶ୍ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି। ସରକାର ଓ ଜନତାଙ୍କ ମଧ୍ୟରେ ସେତୁ ସାଜି ସମାଜର ଶେଷ ଧାଡ଼ିରେ ଠିଆ ହୋଇଥିବା ଗରିବ ଓ ଅସହାୟ ଲୋକଙ୍କ ନିକଟରେ ସମସ୍ତ ସରକାରୀ ଯୋଜନାର ଲାଭ ସିଧାସଳଖ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ‘ସେବା ସେତୁ ଅଭିଯାନ’ ମାଧ୍ୟମରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ବ୍ଲକ ସ୍ତରୀୟ ମେଗା କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଏବଂ ସାଂସଦ ଡକ୍ଟର ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜନସାଧାରଣଙ୍କ ସୁବିଧା ପାଇଁ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରାଯିବା ସହ ହିତାଧିକାରୀ ମାନଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇଥିଲା। ବିଶେଷ କରି ସମାଜର ଭିନ୍ନକ୍ଷମ ଓ ଅସହାୟ ବ୍ୟକ୍ତିମାନଙ୍କୁ କାର୍ଯ୍ୟକ୍ରମରେ ସହାୟକ ଉପକରଣ ବଣ୍ଟନ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଓଡ଼ିଶା ବିଜେପିର ପ୍ରଭାରୀ ନିତିନ ନବୀନଙ୍କ ନିର୍ଦ୍ଦେଶରେ ରାଜ୍ୟରେ ଜନସେବାକୁ ଅଧିକ ବ୍ୟାପକ କରିବା ପାଇଁ ଏହି ଅଭିଯାନ ଚାଲୁ ରହିଛି। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ମାନସ ମହାନ୍ତି ଓ ବିଜେୱାଇଏମ୍ (BJYM) ର ଶ୍ରୀ ବିଶ୍ୱଜିତ ମହାନ୍ତିଙ୍କ ସମେତ ସ୍ଥାନୀୟ ବିଜେପି ନେତୃବୃନ୍ଦ ଏବଂ ପ୍ରଶାସନିକ ଅଧିକାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବିଧାୟକ ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ସରକାରୀ ଯୋଜନାରୁ ଯେପରି କୌଣସି ଜଣେ ବି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନ ହେବେ, ସେଥିପାଇଁ ଆମେ ସଂକଳ୍ପବଦ୍ଧ। ସେହିପରି ସାଂସଦ ଡ. ପାତ୍ର ମଧ୍ୟ ଅଞ୍ଚଳର ବିକାଶ ପାଇଁ ପ୍ରଶାସନ ଓ ଜନସାଧାରଣଙ୍କ ମିଳିତ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅଭିଯାନକୁ ସ୍ଥାନୀୟ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି।
ରିପୋର୍ଟ – ପ୍ରତାପ ଚନ୍ଦ୍ର ଘୋଡେ଼ଇ ,ପିପିଲି, ପୁରୀ
















Leave a Reply