ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଜଙ୍ଗଲୀ ଘୁଷୁରୀର ଆକ୍ରମଣରେ ଚାଷୀ ଗୁରୁତର

ଦୁଇ ହାତର ଆଙ୍ଗୁଠି ସହ ଜଙ୍ଘ ଓ ପାଦରେ ଗଭୀର କ୍ଷତ, ଭୁବନେଶ୍ୱର ସ୍ଥାନାନ୍ତର

ଅସ୍ତରଙ୍ଗ, ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ଜଙ୍ଗଲୀ ଘୁଷୁରୀଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଜଙ୍ଗଲୀ ଘୁଷୁରୀଙ୍କ ଆକ୍ରମଣରେ ଜଣେ ଚାଷୀ ଗୁରୁତର ଆହତ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ାଇଛି। ଆହତ ଚାଷୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳେ ମୁଦୁଗଲ ଗ୍ରାମର ୪୫ ବର୍ଷୀୟ ଚାଷୀ ଶିବ ଚରଣ ଖଟୋଇ ନିଜ ଗ୍ରାମ ନିକଟସ୍ଥ ପାନ ବରଜକୁ ଯାଉଥିବା ସମୟରେ ଜଙ୍ଗଲୀ ଘୁଷୁରୀଙ୍କ ଆକ୍ରମଣର ଶିକାର ହୋଇଥିଲେ। ଘୁଷୁରୀ ତାଙ୍କୁ ଅତର୍କିତ ଆକ୍ରମଣ କରିବା ସହ ଦୁଇ ହାତର ଆଙ୍ଗୁଠି, ଜଙ୍ଘ ଓ ଦୁଇ ପାଦକୁ କାମୁଡ଼ି ଗଭୀର କ୍ଷତ ସୃଷ୍ଟି କରିଥିଲା।
ଏହି ଘଟଣା ପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ଅସ୍ତରଙ୍ଗ ଡାକ୍ତରଖାନାକୁ ନେଇଥିଲେ। ପରେ ତାଙ୍କୁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିବା ଜଣାପଡ଼ିଛି।
ଚାଷୀଙ୍କ ଫସଲ ନଷ୍ଟ କରୁଛନ୍ତି ଜଙ୍ଗଲୀ ଘୁଷୁରୀ
ସ୍ଥାନୀୟ ଅଞ୍ଚଳରେ ସନ୍ଧ୍ୟା ହେବା ମାତ୍ରେ ଦଳ ଦଳ ହୋଇ ଜଙ୍ଗଲୀ ଘୁଷୁରୀ ଜନବସତି ଓ ଚାଷଜମି ନିକଟକୁ ଚାଲିଆସୁଥିବା ଅଭିଯୋଗ ହେଉଛି। ଏମାନେ ଧାନ କ୍ଷେତ, ପନିପରିବା ଚାଷ ଓ ଅନ୍ୟାନ୍ୟ ଫସଲ ଖାଇବା ସହ ଜମିକୁ ଖୋଳି ନଷ୍ଟ କରୁଛନ୍ତି। ଏହାଦ୍ୱାରା ଚାଷୀମାନେ ବ୍ୟାପକ ଆର୍ଥିକ କ୍ଷତି ସହୁଛନ୍ତି।
ଫସଲ ନଷ୍ଟ ହେବା ସହ ଜୀବନ ପ୍ରତି ବିପଦ ବଢ଼ୁଥିବାରୁ କେତେକ ଚାଷୀ ଚାଷ କାର୍ଯ୍ୟରୁ ମୁହଁ ଫେରାଇବାକୁ ବାଧ୍ୟ ହେଉଥିବା କୁହାଯାଉଛି। ଏବେ ଜଙ୍ଗଲୀ ଘୁଷୁରୀଙ୍କ ଆକ୍ରମଣରେ ଜଣେ ଚାଷୀ ଗୁରୁତର ଆହତ ହେବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଜନଜୀବନ ଓ ଚାଷର ସୁରକ୍ଷା ପାଇଁ ପଦକ୍ଷେପ ଜରୁରୀ
ଅସ୍ତରଙ୍ଗ ଅଞ୍ଚଳରେ ଜଙ୍ଗଲୀ ଘୁଷୁରୀଙ୍କ ଉପଦ୍ରବ ରୋକିବା ସହ ଚାଷୀଙ୍କ ଜୀବନ ଓ ଫସଲର ସୁରକ୍ଷା ପାଇଁ ସମ୍ପୃକ୍ତ ବିଭାଗ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ଏଥିସହ ଜଙ୍ଗଲୀ ଘୁଷୁରୀଙ୍କ ଆକ୍ରମଣରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ ସହାୟତା ଓ କ୍ଷତିପୂରଣ ପ୍ରଦାନ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *