ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଜଗତସିଂହପୁରରେ ହୋଟେଲ ଉପରେ ପ୍ରଶାସନର ବଡ଼ ଚଢ଼ାଉ: ୩ ହୋଟେଲ ଓ ଜଳଖିଆ ଦୋକାନ ସିଲ୍

ଜଗତସିଂହପୁର, ୨୫/୮ (ବିଭୁତି TV): ଖାଦ୍ୟର ଗୁଣବତ୍ତା, ସ୍ୱଚ୍ଛତା ଓ ଜନସ୍ୱାସ୍ଥ୍ୟକୁ ନେଇ ଜଗତସିଂହପୁର ସହରରେ ପ୍ରଶାସନ ପକ୍ଷରୁ କଡ଼ା ଯାଞ୍ଚ ଓ ଚଢ଼ାଉ କରାଯାଇଛି। ନିମ୍ନମାନର ଖାଦ୍ୟ, ବାସୀ ଖାଦ୍ୟ ପରିବେଷଣ ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ଅଭିଯୋଗରେ ସହରର ୩ଟି ହୋଟେଲ ଓ ଜଳଖିଆ ଦୋକାନକୁ ସିଲ୍ କରାଯାଇଛି।
ଜିଲ୍ଲାପାଳ ଜେ. ସୋନାଲଙ୍କ ନେତୃତ୍ୱରେ ଏସ୍‌ପି ଅଙ୍କିତ ବର୍ମା, ପୌର ଅଧିକାରୀ ଏବଂ ଫୁଡ୍ ସେଫ୍ଟି ଅଧିକାରୀଙ୍କ ସମେତ ଏକ ଟିମ୍ ବିଭିନ୍ନ ହୋଟେଲ ଓ ଜଳଖିଆ ଦୋକାନରେ ଚଢ଼ାଉ କରିଥିଲେ। ଏହି ସମୟରେ ଖାଦ୍ୟର ଗୁଣବତ୍ତା, ରୋଷେଇ ଘରର ସ୍ୱଚ୍ଛତା, ଖାଦ୍ୟ ସଂରକ୍ଷଣ ପ୍ରଣାଳୀ ଏବଂ ପରିବେଶର ଯାଞ୍ଚ କରାଯାଇଥିଲା।
ଯାଞ୍ଚ ସମୟରେ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ଓ ନିୟମ ଉଲ୍ଲଂଘନ ଦେଖାଯିବା ପରେ ଡାକବଙ୍ଗଳା ଛକରେ ଥିବା ବିଶ୍ୱନାଥ କ୍ୟାଣ୍ଟିନ, ନାଳ ଅପରପାର୍ଶ୍ୱରେ ଥିବା ସ୍ୱାଦ ହୋଟେଲ ଏବଂ ଥାନା ଛକରେ ଥିବା ମହାଦେବ କ୍ୟାଣ୍ଟିନକୁ ସିଲ୍ କରାଯାଇଥିବା ସୂଚନା ମିଳିଛି।
ଏଥିସହ ବିଶ୍ୱନାଥ କ୍ୟାଣ୍ଟିନକୁ ୫୦ ହଜାର ଟଙ୍କା ଏବଂ ମହାଦେବ କ୍ୟାଣ୍ଟିନକୁ ୨୬ ହଜାର ଟଙ୍କା ଜରିମାନା କରାଯାଇଛି। ସ୍ୱାଦ ହୋଟେଲକୁ ମଧ୍ୟ ଜରିମାନା କରାଯାଇଥିବା ଜଣାପଡ଼ିଛି। ଜରିମାନା ଅର୍ଥ ପୌର ଦପ୍ତରରେ ଜମା କରିବାକୁ ସମ୍ପୃକ୍ତ ହୋଟେଲ ଓ କ୍ୟାଣ୍ଟିନ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦିନରେ ମଧ୍ୟ ହୋଟେଲ, ଜଳଖିଆ ଦୋକାନ ଓ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତି କେନ୍ଦ୍ରରେ ଏଭଳି ଯାଞ୍ଚ ଓ ଚଢ଼ାଉ ଜାରି ରହିବ। ଲୋକଙ୍କ ସ୍ୱାସ୍ଥ୍ୟ ସହ କୌଣସି ପ୍ରକାରର ଅବହେଳାକୁ ବରଦାସ୍ତ କରାଯିବ ନାହିଁ।
ଅପରିଷ୍କାର ରୋଷେଇ ଘର ଓ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ଖାଦ୍ୟ ଜନସ୍ୱାସ୍ଥ୍ୟ ପାଇଁ ବିପଦର କାରଣ ହୋଇପାରେ। ତେଣୁ ହୋଟେଲ ଓ ଖାଦ୍ୟ ବ୍ୟବସାୟୀମାନେ ଖାଦ୍ୟ ପ୍ରସ୍ତୁତି ସ୍ଥାନ, ରୋଷେଇ ଘର ଓ ଖାଦ୍ୟ ସଂରକ୍ଷଣ ସ୍ଥାନକୁ ସ୍ୱଚ୍ଛ ରଖିବା ସହ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଖାଦ୍ୟ ପ୍ରସ୍ତୁତ କରିବାକୁ ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।
ବିଭୁତି TV — ଜନସ୍ୱାସ୍ଥ୍ୟ ଓ ଜନସ୍ୱାର୍ଥର ଖବର।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *