ଉତ୍କଳମଣି ଙ୍କ ତ୍ୟାଗ, ସେବା ଓ ମାନବିକତାର ଆଦର୍ଶ ସ୍ମରଣ
ନିମାପଡ଼ା: (BT)ତ୍ୟାଗ ଥିଲା ଯାହାଙ୍କ ଜୀବନର ଭୂଷଣ, ମାନବସେବା ଥିଲା ଯାହାଙ୍କ ଜୀବନର ମହାମନ୍ତ୍ର—ସେହି ମହାନ ଜନନାୟକ ତଥା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଡି.ଏ.ଭି. ପବ୍ଲିକ୍ ସ୍କୁଲ, ନିମାପଡ଼ାରେ ଶ୍ରଦ୍ଧା ଓ ଭକ୍ତିପୂତ ପରିବେଶରେ ପାଳିତ ହୋଇଯାଇଛି।
ଏହି ଅବସରରେ ବିଦ୍ୟାଳୟ ପରିସରରେ ଅବସ୍ଥିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପ୍ରଧାନ ଶିକ୍ଷକ ଶ୍ରୀ ଏମ୍. ଏମ୍. ହକ୍ ମାଲ୍ୟାର୍ପଣ କରି ମହାନ ଦେଶସେବୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ ପ୍ରଧାନ ଶିକ୍ଷକ ଶ୍ରୀ ହକ୍, ଶ୍ରୀ ଅମୂଲ୍ୟ ଷଡ଼ଙ୍ଗୀ, ଶ୍ରୀ ଗଜାନନ ଡାକୁଆ ଓ ଶ୍ରୀ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।
କାର୍ଯ୍ୟକ୍ରମରେ ଶ୍ରୀ ମାଧବ ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରି ଉତ୍କଳମଣିଙ୍କ ଜୀବନାଦର୍ଶ ଓ ଓଡ଼ିଆ ଜାତି ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ଏମ୍. ଏମ୍. ହକ୍ ନିଜ ଅଭିଭାଷଣରେ ଗୋପବନ୍ଧୁ ଦାସଙ୍କ ତ୍ୟାଗ, ନିଃସ୍ୱାର୍ଥପର ସେବା, ଶିକ୍ଷା ପ୍ରତି ନିଷ୍ଠା ଓ ଦୁଃଖୀ ମାନବର ସେବାରେ ଜୀବନ ଉତ୍ସର୍ଗ କରିବାର ମହାନ ଆଦର୍ଶକୁ ସ୍ମରଣ କରିଥିଲେ। ତାଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରି ଛାତ୍ରଛାତ୍ରୀମାନେ ଜଣେ ଦାୟିତ୍ୱବାନ ନାଗରିକ ଓ ସମାଜର ଉପକାରୀ ମଣିଷ ଭାବେ ଗଢ଼ିଉଠିବାକୁ ସେ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ୱାତୀଲେଖା ପଧାନ ଧନ୍ୟବାଦ ଅର୍ପଣ କରି ଉପସ୍ଥିତ ସମସ୍ତଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ। ସମଗ୍ର କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ମଧ୍ୟ ଶ୍ରୀମତୀ ପଧାନଙ୍କ ଦ୍ୱାରା କରାଯାଇଥିଲା।
ଉତ୍କଳମଣିଙ୍କ ଜୀବନାଦର୍ଶକୁ ସ୍ମରଣ କରିବା ସହ ତାଙ୍କର ତ୍ୟାଗ, ସେବା ଓ ମାନବିକତାର ମୂଲ୍ୟବୋଧକୁ ନିଜ ଜୀବନରେ ଅଙ୍ଗୀକାର କରିବାର ବାର୍ତ୍ତା ଦେଇ ଏହି ଜୟନ୍ତୀ ସମାରୋହର ପରିସମାପ୍ତି ଘଟିଥିଲା।
“ମହାନ ବ୍ୟକ୍ତିତ୍ୱଙ୍କୁ ସ୍ମରଣ କରିବାର ସାର୍ଥକତା ତାଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରିବାରେ ନିହିତ।”
















Leave a Reply