ନୟା ସବେରା ନିମାପଡ଼ା ୟୁଥ୍ ଟ୍ରଷ୍ଟ ପକ୍ଷରୁ ୫ମ ରାଜ୍ୟସ୍ତରୀୟ ସାହିତ୍ୟ ସମ୍ମିଳନୀ ଓ ଗମ୍ହାପୂର୍ଣ୍ଣିମା ମହୋତ୍ସବ
ନିମାପଡ଼ା, ୨୮/୮ (ବିଭୁତି TV): ପବିତ୍ର ରକ୍ଷା ବନ୍ଧନ ଅବସରରେ ନୟା ସବେରା ନିମାପଡ଼ା ୟୁଥ୍ ଟ୍ରଷ୍ଟ ପକ୍ଷରୁ ୫ମ ରାଜ୍ୟସ୍ତରୀୟ ସାହିତ୍ୟ ସମ୍ମିଳନୀ ଓ ଗମ୍ହାପୂର୍ଣ୍ଣିମା ମହୋତ୍ସବ ବିଭିନ୍ନ କାର୍ଯ୍ୟକ୍ରମ ସହ ପାଳିତ ହୋଇଯାଇଛି। ଏହି ଅବସରରେ ନିମାପଡ଼ା ଅଞ୍ଚଳରେ ସାମାଜିକ ସଚେତନତା, ଗୋ ସେବା, ନିଶା ନିବାରଣ ଓ ସାହିତ୍ୟ-ସଂସ୍କୃତିକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ମହୋତ୍ସବର ପ୍ରଥମ ପର୍ଯ୍ୟାୟରେ ଗୋ ପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନିମାପଡ଼ା ଅଞ୍ଚଳରେ ଗାଈ, ଗୋରୁ ଓ ଷଣ୍ଢମାନଙ୍କୁ ପିଠା ଖୁଆଇବା ସହ ସେମାନଙ୍କୁ ରାଖୀ ବାନ୍ଧି ପୂଜା କରାଯାଇଥିଲା। ଗୋ ସୁରକ୍ଷା ଓ ଗୋ ସେବାର ବାର୍ତ୍ତା ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହାପରେ ନିଶା ନିବାରଣ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ୪୦୦ରୁ ଊର୍ଦ୍ଧ୍ୱ ସଦସ୍ୟ ନିଶା ବିରୋଧରେ ଶପଥ ନେଇଥିଲେ। ଭଉଣୀ ଯେଉଁ ହାତରେ ରାଖୀ ବାନ୍ଧିଛନ୍ତି, ସେହି ହାତରେ ନିଶା ସେବନ ନକରିବା ସହ ନିଜ ଆଖପାଖରେ ନିଶା ସେବନ କରୁଥିବା ବ୍ୟକ୍ତିଙ୍କୁ ସଚେତନ କରିବା ପାଇଁ ସଦସ୍ୟମାନେ ଶପଥ ନେଇଥିଲେ।
ପରେ ନିକଟସ୍ଥ ସହିଦ ଭବନ ଓ ନିମାପଡ଼ା ଥାନା ପରିସରରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ହୋଇଥିଲା। କବି, ଗାଳ୍ପିକ ଓ ଟ୍ରଷ୍ଟର ସଦସ୍ୟମାନେ ନିମାପଡ଼ାର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଭାଇମାନଙ୍କ ହାତରେ ରାଖୀ ବାନ୍ଧି ସେମାନଙ୍କ ପ୍ରତି ଭାଇଚାରା ଓ କୃତଜ୍ଞତା ପ୍ରକାଶ କରିଥିଲେ।
ସେହିପରି ନିମାପଡ଼ା ଅଞ୍ଚଳର ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଭଜନ ଓ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ଏଥିରେ ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇଉଠିଥିଲା।
ପରିଶେଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କବିତା ପାଠ ଓ ଗମ୍ହାପୂର୍ଣ୍ଣିମା ମହୋତ୍ସବ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦୦ ଜଣ କବି ଯୋଗଦେଇ କବିତା ପାଠ କରିବା ସହ ସମ୍ବର୍ଦ୍ଧିତ ହୋଇଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ଲୋକ ସୂଚନା ଅଧିକାରୀ ସନ୍ତୋଷ କୁମାର ସେଠୀ, ମିଲିଟାରୀ ଇଞ୍ଜିନିୟର ସର୍ଭିସର ଡ. ଇ. ପାର୍ଥସାରଥୀ ପାଣିଗ୍ରାହୀ, ଡ. ଇ. ମାନସ ଦାସ ଓ ମିଲ୍କମୁ ଗୋପର ଜେନେରାଲ ମ୍ୟାନେଜର ରବୀନ୍ଦ୍ର କୁମାର ମହାରଣା ପ୍ରମୁଖ ଯୋଗଦେଇଥିଲେ।
ଟ୍ରଷ୍ଟର ଉପଦେଷ୍ଟା ଜୀବନ ଜ୍ୟୋତି ଶତପଥୀ, ପ୍ରତାପ ଚନ୍ଦ୍ର ସାବୁତ ଓ ନିର୍ମଳ ମିଶ୍ରଙ୍କ ସହ ସମ୍ପାଦକ ନିର୍ମଳ ପରିଜା ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଦସ୍ୟ ବିଚିତ୍ରାନନ୍ଦ ପାତ୍ର, ପ୍ରଦୀପ ପତି, ଜିତେଶ କାନୁନଗୋ, ବନିତା ଜେନା, ସୁଲଗ୍ନା ସାହୁ, ଶ୍ରଦ୍ଧାଞ୍ଜଳି ଓଝା, ମିତେସ ପ୍ରଧାନ, ପ୍ରଦୀପ ସ୍ୱାଇଁ, ଅଲେଖ ସାହୁ, ସତ୍ୟକାନ୍ତ ପ୍ରଧାନ, ଅକ୍ଷୟ ମଳିକ, ସୋନାଲି ଦାସ, ରଶ୍ମିରେଖା ଜେନା, ଅନିଦିତା ସ୍ୱାଇଁ, ଶୁଭଶ୍ରୀ ପାତ୍ର, ପୂର୍ଣ୍ଣଚନ୍ଦ୍ର ପାଲ, ଦିଲ୍ଲୀପ ମହାପାତ୍ର, ସୁବାଶିଷ ସ୍ୱାଇଁ, ଶୁଭସ୍ମିତା, ସ୍ୱପ୍ନା, ପାୟଲ, ଇତିଶ୍ରୀ, ମଇନାଙ୍କ ସମେତ ୮୦ରୁ ଊର୍ଦ୍ଧ୍ୱ ଟ୍ରଷ୍ଟ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ରକ୍ଷା ବନ୍ଧନର ପବିତ୍ର ଅବସରକୁ ଆଧାର କରି ଗୋ ସେବା, ନିଶା ନିବାରଣ, ପୋଲିସ ପ୍ରତି ସମ୍ମାନ, ଭକ୍ତି ଓ ଓଡ଼ିଆ ଭାଷା-ସାହିତ୍ୟର ପ୍ରଚାର ଭଳି ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ବାର୍ତ୍ତାକୁ ଏକାଠି କରିବାର ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।


















Leave a Reply