ଭୁବନେଶ୍ୱର, ୨/୯(BT): ରାଜଧାନୀ ଭୁବନେଶ୍ୱରର ଖାରବେଳ ନଗରସ୍ଥିତ ରାଷ୍ଟ୍ରୀୟ ଲଳିତ କଳା ଏକାଡେମୀର ଆଞ୍ଚଳିକ କେନ୍ଦ୍ରରେ ପାରମ୍ପରିକ ଓ ସମସାମୟିକ ଟେରାକୋଟା କଳାକୃତିକୁ ନେଇ ‘ଦ କ୍ଲେ କଣ୍ଟିନ୍ୟୁଅମ୍’ ଶୀର୍ଷକ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଛି।
ଉଦ୍ଘାଟନୀ ଉତ୍ସବରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଚିତ୍ରଶିଳ୍ପୀ ବିନୋଦ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଓଡ଼ିଶାର ପାରମ୍ପରିକ କଳାକୁ ଆଧାର କରି ସମସାମୟିକ କଳାର ସୃଷ୍ଟି ହେଲେ ହିଁ କଳାର ପ୍ରକୃତ ବିକାଶ ସମ୍ଭବ।
ଏହି ଅବସରରେ କ୍ରାଫ୍ଟ କାଉନସିଲର ଅଧ୍ୟକ୍ଷ ସନ୍ତୋଷ କୁମାର ମହାପାତ୍ର, ହସ୍ତଶିଳ୍ପ ବିଭାଗର ସହକାରୀ ନିର୍ଦ୍ଦେଶକ ଭୁବନ ଭାସ୍କର, ଦେବବ୍ରତ ନାୟକ, ରାଷ୍ଟ୍ରୀୟ ଲଳିତ କଳା ଏକାଡେମୀ ର କ୍ଷେତ୍ରୀୟ ସଚିବ ରାମକୃଷ୍ଣ ବେଦାଲା, ବରିଷ୍ଠ ଚିତ୍ରଶିଳ୍ପୀ ରାମହରି ଜେନା, ବିଜେପି ନେତ୍ରୀ ସସ୍ମିତା ସାମନ୍ତ ଏବଂ ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ଡ. ପଞ୍ଚାନନ ସାମଲ ପ୍ରମୁଖ ଯୋଗଦେଇ ଓଡ଼ିଶାର ସମସାମୟିକ ଟେରାକୋଟା କଳାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।
ପ୍ରଦର୍ଶନୀରେ ବନ ରଣା, ଜୟଦେବ ରଣା, ମୁକୁନ୍ଦ ରଣା, ନରୋତ୍ତମ ଦାସ, ସଞ୍ଜୟ ମୁଦୁଲି, ସରୋଜ କୁମାର ରାଉତ, ସୁଧୀ ରଞ୍ଜନ ମହାରଥା ଓ ସୁକାନ୍ତ ମୁଦୁଲିଙ୍କ ସମେତ ଆଠଜଣ ଶିଳ୍ପୀଙ୍କ ସୃଜନଶୀଳ ଟେରାକୋଟା କଳାକୃତି ସ୍ଥାନ ପାଇଛି।
ପ୍ରଦର୍ଶନୀର କ୍ୟୁରେଟର ସର୍ବେଶ୍ୱର ବିଶ୍ୱାଳ କହିଛନ୍ତି ଯେ, ପାରମ୍ପରିକ ଟେରାକୋଟା ଶିଳ୍ପୀ ଓ ସମସାମୟିକ ଭାସ୍କର୍ଯ୍ୟ ଶିଳ୍ପୀଙ୍କ କଳାକୃତିକୁ ଏକ ମଞ୍ଚରେ ଆଣି ଦର୍ଶକଙ୍କୁ ଉଭୟ ଧାରାର କଳାକୁ ଏକାଠି ଦେଖିବାର ସୁଯୋଗ ଦେବା ହେଉଛି ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ।
ପ୍ରଦର୍ଶନୀରେ ଓଡ଼ିଶାର ପାରମ୍ପରିକ ଟେରାକୋଟା କଳା ସହିତ ସମସାମୟିକ ଶିଳ୍ପୀଙ୍କ ନୂତନ ଚିନ୍ତାଧାରା ଓ ସୃଜନଶୀଳତାର ଅନନ୍ୟ ସମନ୍ୱୟ ଦେଖିବାକୁ ମିଳିଛି। ମାଟିକୁ ଆଧାର କରି ସୃଷ୍ଟ ଏହି ଶିଳ୍ପକୃତିଗୁଡ଼ିକ ଦର୍ଶକଙ୍କ ମନ ଜିଣିବା ସହ ଉପସ୍ଥିତ କଳାପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
ଏହି କଳା ପ୍ରଦର୍ଶନୀ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। କଳାପ୍ରେମୀ ଓ ସାଧାରଣ ଦର୍ଶକମାନେ ଏହି ଅବସରରେ ଟେରାକୋଟା କଳାର ବିଭିନ୍ନ ରୂପକୁ ନିକଟରୁ ଦେଖିବାର ସୁଯୋଗ ପାଇପାରିବେ।
ଭୁବନେଶ୍ୱରରେ ‘ଦ କ୍ଲେ କଣ୍ଟିନ୍ୟୁଅମ୍’ ଟେରାକୋଟା ପ୍ରଦର୍ଶନୀ ଉଦ୍ଘାଟିତ



















Leave a Reply