ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ନିମାପଡ଼ାରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ପ୍ରତିଷ୍ଠାନର ପୂର୍ବ ପ୍ରସ୍ତୁତି ବୈଠକ

ଅକ୍ଟୋବର ୧୧ ଓ ୧୨ ରେ ଶ୍ରୀଜଗନ୍ନାଥ ମନ୍ଦିର ସମୂହ ସମ୍ମେଳନ ଓ ମହୋତ୍ସବ–୨୦୨୬

ନିମାପଡ଼ା,(BT )୧୬/୦୮: ନିମାପଡ଼ାଠାରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ପ୍ରତିଷ୍ଠାନ, ଭାରତ ପକ୍ଷରୁ ଆସନ୍ତା ଶ୍ରୀଜଗନ୍ନାଥ ମନ୍ଦିର ସମୂହ ସମ୍ମେଳନ ଓ ମହୋତ୍ସବ–୨୦୨୬ର ପୂର୍ବ ପ୍ରସ୍ତୁତି ନିମନ୍ତେ ରବିବାର ଏକ ଭବ୍ୟ ବୈଠକ ଅନୁଷ୍ଠିତ ହୋଇଛି।
ପ୍ରତିଷ୍ଠାନର ସଭାପତି ଶ୍ରୀ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପ୍ରତିଷ୍ଠାନର ଉପଦେଷ୍ଟା ଶ୍ରୀମତୀ ସୁମିତ୍ରା ଜେନା, କାର୍ଯ୍ୟକାରୀ ସଦସ୍ୟ ପଣ୍ଡିତ ଦେବେନ୍ଦ୍ର ଦାସ, ଭୁବନେଶ୍ୱର, ପଣ୍ଡିତ ରମେଶ ଚନ୍ଦ୍ର ଦାସ, ବରଗଡ଼, ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଐତିହାସିକ ଗବେଷକ ଶ୍ରୀ ଯୋଗୀନ୍ଦ୍ର ମିଶ୍ରଙ୍କ ସମେତ ବହୁ ସାଧୁସନ୍ଥ, ପ୍ରବଚକ, ସଙ୍ଗୀତ ବିଶାରଦ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ମୁଖ୍ୟ, ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ଲେଖକ ମାନେ ଯୋଗଦେଇଥିଲେ।
ବୈଠକରେ ଆସନ୍ତା ୧୧ ଓ ୧୨ ଅକ୍ଟୋବର ୨୦୨୬ ଦୁଇଦିନ ଧରି ନିମାପଡ଼ା, ପୁରୀଠାରେ “ଶ୍ରୀଜଗନ୍ନାଥ ମନ୍ଦିର ସମୂହ ସମ୍ମେଳନ ଓ ମହୋତ୍ସବ–୨୦୨୬” ଆୟୋଜନ କରାଯିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ମହୋତ୍ସବର ସୁଚାରୁ ପରିଚାଳନା, ବିଭିନ୍ନ କାର୍ଯ୍ୟକ୍ରମର ସମନ୍ୱୟ ଓ ଆବଶ୍ୟକ ପ୍ରସ୍ତୁତି ପାଇଁ ଏକ ଆୟୋଜକ କମିଟି ଗଠନ କରାଯିବା ସହ ଆଗାମୀ କାର୍ଯ୍ୟପନ୍ଥା ଚୂଡ଼ାନ୍ତ କରାଯିବ ବୋଲି ଆଲୋଚନା ହୋଇଥିଲା।
ଆୟୋଜକଙ୍କ ସୂଚନା ଅନୁଯାୟୀ, ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାନ ସଂସ୍କୃତି, ପରମ୍ପରା ଓ ରୀତିନୀତିକୁ ସାଧାରଣ ଲୋକଙ୍କ ନିକଟରେ ଉପସ୍ଥାପନ କରିବା ସହ ଏହାର ପ୍ରଚାର ଓ ପ୍ରସାର କରିବା। ମହୋତ୍ସବରେ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ସେବା, ଧୂପ, ବେଶ, ବିଭିନ୍ନ ରୀତିନୀତି, ଭୋଗ, ପର୍ବପର୍ବାଣୀ ଓ ବିଭିନ୍ନ ମନ୍ଦିର ପରମ୍ପରାର ଏକ ମନୋରମ ଦୃଶ୍ୟ ଭକ୍ତ ଓ ଦର୍ଶକମାନଙ୍କୁ ଦେଖିବାକୁ ମିଳିବ।
ଶ୍ରୀଜଗନ୍ନାଥ ସଂସ୍କୃତି କେବଳ ଓଡ଼ିଶାର ନୁହେଁ, ଏହା ସମଗ୍ର ବିଶ୍ୱର ଏକ ମହାନ ସାଂସ୍କୃତିକ ଐତିହ୍ୟ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଏହି ମହୋତ୍ସବ ମାଧ୍ୟମରେ ଶ୍ରୀଜଗନ୍ନାଥ ଚେତନା, ଭାଇଚାରା, ସେବା, ସମନ୍ୱୟ ଓ ମାନବିକତାର ବାର୍ତ୍ତାକୁ ଅଧିକ ବ୍ୟାପକ ଭାବରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯିବ।
ସଭାପତି ଶ୍ରୀ ଦିଲ୍ଲୀପ କୁମାର ପଟ୍ଟନାୟକ ମହୋତ୍ସବକୁ ସଫଳ ଓ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ସମସ୍ତ ସାଧୁସନ୍ଥ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ ଓ ସାଧାରଣ ଜନତାଙ୍କ ସହଯୋଗ ଓ ସମନ୍ୱୟର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ଖୁବଶୀଘ୍ର ଆୟୋଜକ କମିଟି ଗଠନ କରାଯାଇ ମହୋତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ଓ ଆଗାମୀ କାର୍ଯ୍ୟପନ୍ଥା ଚୂଡ଼ାନ୍ତ କରାଯିବ ବୋଲି ସେ ପରାମର୍ଶ ଦେଇଥିଲେ।
ନିମାପଡ଼ାରେ ଏଭଳି ଏକ ବୃହତ୍ ଶ୍ରୀଜଗନ୍ନାଥ ସାଂସ୍କୃତିକ ମହୋତ୍ସବ ଆୟୋଜନ ହେବା ନେଇ ଉପସ୍ଥିତ ଅତିଥି ଓ ଶ୍ରୀଜଗନ୍ନାଥପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା।
ଜୟ ଜଗନ୍ନାଥ।

#ବିଭୁତି TV

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *