ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ୭ଟି ଏଜେଣ୍ଡା ଉପରେ ହେବ ଆଲୋଚନା ଓ ନିଷ୍ପତ୍ତି

ପୁରୀ, ୨୬/୯ (ବିଭୂତି ଟିଭି): ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଶ୍ରୀମନ୍ଦିର ସଦର ସଭାଗୃହ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି। ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଥିବାବେଳେ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଅଛନ୍ତି।
ବୈଠକରେ ମୋଟ ୭ଟି ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ଆଲୋଚନା ସହ ଆବଶ୍ୟକ ଅନୁମୋଦନ ଦିଆଯିବ। ଏଥିମଧ୍ୟରୁ ଶ୍ରୀଜଗନ୍ନାଥ ମନ୍ଦିର ଭୂମି ପରିଚାଳନା ଅଧିନିୟମ-୨୦୨୬ ସମ୍ପର୍କରେ କମିଟି ସଦସ୍ୟମାନଙ୍କୁ ଅବଗତ କରାଯିବ। ଏହା ସହିତ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତି ଓ ମଣତି ସମ୍ପର୍କରେ ମଧ୍ୟ ସଦସ୍ୟମାନଙ୍କୁ ସୂଚନା ଦିଆଯିବ।
ସେହିପରି ୨୦୨୫-୨୬ ଆର୍ଥିକ ବର୍ଷର ଚୂଡ଼ାନ୍ତ ଅଡିଟ୍ ରିପୋର୍ଟ ବୈଠକରେ ଉପସ୍ଥାପନ କରାଯାଇ ଅନୁମୋଦନ ପାଇଁ ଆଲୋଚନା ହେବ।
ମାର୍ଚ୍ଚ ୧୮ ଓ ଜୁଲାଇ ୬ ତାରିଖରେ ଅନୁଷ୍ଠିତ ଶ୍ରୀଜଗନ୍ନାଥ ତତ୍ତ୍ୱ ଗବେଷଣା, ପ୍ରକାଶନ ଓ ପ୍ରସାର ସବ୍-କମିଟି ବୈଠକର କାର୍ଯ୍ୟବିବରଣୀ ମଧ୍ୟ ଦୃଢ଼ୀକରଣ ପାଇଁ ଉପସ୍ଥାପିତ ହେବ।
ଏହାଛଡ଼ା ଜୁନ୍ ୫ ତାରିଖରେ ଅନୁଷ୍ଠିତ ପୂର୍ବ ପରିଚାଳନା କମିଟି ବୈଠକର କାର୍ଯ୍ୟବିବରଣୀ ପଠନ, ଦୃଢ଼ୀକରଣ ଓ ଅନୁପାଳନର ସମୀକ୍ଷା କରାଯିବ।
ଚଳିତ ବର୍ଷ ଅନୁଷ୍ଠିତ ସ୍ନାନଯାତ୍ରା ଓ ରଥଯାତ୍ରାର ସଫଳ ଆୟୋଜନ ନେଇ ମଧ୍ୟ ବୈଠକରେ ବିସ୍ତୃତ ସମୀକ୍ଷା କରାଯିବ। ଘୋଷଯାତ୍ରାର ସୁଚାରୁ ପରିଚାଳନାରେ ସହଯୋଗ କରିଥିବା ସେବକ, ସେବକ ନିଯୋଗ, ଅଧିକାରୀ, କର୍ମଚାରୀ, ବ୍ୟକ୍ତିବିଶେଷ ଓ ବିଭିନ୍ନ ଅନୁଷ୍ଠାନଙ୍କୁ ବୈଠକରେ କୃତଜ୍ଞତା ଜ୍ଞାପନ କରାଯିବ।
ଏଥିସହିତ ସେପ୍ଟେମ୍ବର ୧୯ ତାରିଖରେ ଅନୁଷ୍ଠିତ ସଂସ୍ଥା ସବ୍-କମିଟି ବୈଠକର ବିବରଣୀ ମଧ୍ୟ ଅନୁମୋଦନ ପାଇଁ ଉପସ୍ଥାପିତ ହେବ।
ସଭାପତିଙ୍କ ଅନୁମତିକ୍ରମେ ଶ୍ରୀମନ୍ଦିର ସମ୍ପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *