ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ନିମାପଡାରେ ପ୍ରଥମ ଭବ୍ୟ ଶ୍ରୀଜଗନ୍ନାଥ ମହୋତ୍ସବ ପାଇଁ ସ୍ଥଳ ପରିଦର୍ଶନ

ନିମାପଡା, ୨୪/୦୮/୨୦୨୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା, ଓଡ଼ିଆ ଜାତିର ଗୌରବମୟ ସଂସ୍କୃତି ଓ ଐତିହ୍ୟକୁ ଜାତୀୟ ତଥା ବିଶ୍ୱସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ଆୟୋଜିତ ହେବାକୁ ଥିବା “ଶ୍ରୀଜଗନ୍ନାଥ ମନ୍ଦିର ସମୂହ ସମ୍ମେଳନ ଓ ମହୋତ୍ସବ-୨୦୨୬” ପାଇଁ ପୂର୍ବପ୍ରସ୍ତୁତି ଜୋରଦାର ହୋଇଛି।
ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ପ୍ରତିଷ୍ଠାନ, ଭାରତ ପକ୍ଷରୁ ଆୟୋଜିତ ଏହି ଦୁଇଦିନିଆ ଭବ୍ୟ ମହୋତ୍ସବ ଆସନ୍ତା ୧୧ ଓ ୧୨ ଅକ୍ଟୋବର ୨୦୨୬ରେ ଆୟୋଜିତ ହେବାକୁ ଥିବା ବେଳେ ଏହାର ଆୟୋଜନକୁ ନେଇ ପ୍ରସ୍ତୁତି ଆହୁରି ତ୍ୱରାନ୍ୱିତ ହୋଇଛି।
ପୂର୍ବପ୍ରସ୍ତୁତି ବୈଠକର ନିଷ୍ପତ୍ତି ଅନୁଯାୟୀ ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ପ୍ରତିଷ୍ଠାନର ଏକ ୮ ଜଣିଆ ପ୍ରତିନିଧି ଦଳ ନିମାପଡାରେ ପହଞ୍ଚି ବିଭିନ୍ନ ସମ୍ଭାବ୍ୟ ଆୟୋଜନସ୍ଥଳ ପରିଦର୍ଶନ କରିଥିଲେ। ନିମାପଡା ଟାଉନ୍ ହଲ୍ ଓ ସହିଦ ପଡ଼ିଆ ପରିଦର୍ଶନ କରି ପ୍ରତିନିଧିମାନେ ସ୍ଥାନଗୁଡ଼ିକର ଉପଯୋଗିତା, ଭିତ୍ତିଭୂମି, ଉପଲବ୍ଧ ସୁବିଧା ଓ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ସମ୍ଭାବନା ନେଇ ବିସ୍ତୃତ ଆଲୋଚନା କରିଥିଲେ।
ପ୍ରତିନିଧି ଦଳରେ ପ୍ରତିଷ୍ଠାନର ସଭାପତି ଶ୍ରୀ ଦିଲ୍ଲୀପ କୁମାର ପଟ୍ଟନାୟକ, ମହାନିର୍ଦ୍ଦେଶକ ତଥା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ଭାସ୍କର ମିଶ୍ର, ଗବେଷକ ଡ. ପୀତବାସ ରାଉତରାୟ, ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ରଥ, ମାର୍ଗଦର୍ଶକ ଉପଦେଷ୍ଟା ଶ୍ରୀମତୀ ସୁମିତ୍ରା ଜେନା, ଶ୍ରୀମନ୍ଦିର ସୁଆରବଡୁ ନିଯୋଗର ସଭାପତି ଶ୍ରୀ ବିଶ୍ୱନାଥ ସାମନ୍ତରା, କାର୍ଯ୍ୟକାରୀ ସଭ୍ୟ ଶ୍ରୀ ନନ୍ଦକିଶୋର ଜେନା ଏବଂ ଶ୍ରୀମନ୍ଦିରର ଗରାବଡୁ ସେବକ ଶ୍ରୀ ରାଧାନାଥ ପ୍ରତିହାରୀ ସାମିଲ ଥିଲେ।
ମହୋତ୍ସବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି, ରୀତିନୀତି, ବେଶ, ଭୋଗ, ଧୂପ, ଆଳତି, ବସ୍ତ୍ର ଓ ଯାନିଯାତ୍ରା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବ। ଏଥିସହ ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକ, ପଣ୍ଡିତ, ସାଧୁସନ୍ଥ, ବୈଷ୍ଣବ, ପ୍ରଚାରକ ଓ ସେବାୟତମାନଙ୍କ ଉପସ୍ଥିତିରେ ବିଭିନ୍ନ ଆଲୋଚନାଚକ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରଦର୍ଶନୀ ଆୟୋଜନ କରାଯିବାର ଯୋଜନା ରହିଛି। ମହାପ୍ରଭୁଙ୍କ ସହ ସମ୍ପୃକ୍ତ କେତେକ ଦୁର୍ଲଭ ଦ୍ରବ୍ୟ ମଧ୍ୟ ପ୍ରଦର୍ଶିତ ହେବାର ସୂଚନା ମିଳିଛି।
ବୈଠକରେ ଉପସ୍ଥିତ ସମାଜସେବୀ ସଂଗଠନ, ବୁଦ୍ଧିଜୀବୀ ଓ ବିଭିନ୍ନ ଅଞ୍ଚଳରୁ ଆସିଥିବା ବ୍ୟକ୍ତିବିଶେଷ ମହୋତ୍ସବକୁ ସଫଳ କରିବା ନେଇ ନିଜ ନିଜ ମତାମତ ରଖିଥିଲେ। ନିମାପଡା ଅଞ୍ଚଳରେ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଏହା ପ୍ରଥମ ଭବ୍ୟ ମହୋତ୍ସବ ହେବ ବୋଲି ଉପସ୍ଥିତ ବ୍ୟକ୍ତିମାନେ ମତ ପ୍ରକାଶ କରିବା ସହ ମହୋତ୍ସବର ସଫଳତା ପାଇଁ ସମସ୍ତ ପ୍ରକାର ସହଯୋଗର ଆଶ୍ୱାସନ ଦେଇଥିଲେ।
ଏହି ଭବ୍ୟ ସମ୍ମେଳନୀରେ ନିମାପଡା, ଗୋପ, ବାଲିପାଟଣା, କାକଟପୁର, ଅସ୍ତରଙ୍ଗ, ପିପିଲି ଓ ସତ୍ୟବାଦୀ ଅଞ୍ଚଳର ବିଭିନ୍ନ ସଂଗଠନ, ମନ୍ଦିର, ମଠ ଓ ଅନୁଷ୍ଠାନ ସାମିଲ ହେବେ।
ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର-ପ୍ରସାରକୁ ଆହୁରି ବ୍ୟାପକ କରିବା ସହ ଓଡ଼ିଆ ଜାତିର ମହାନ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଦିଗରେ “ଶ୍ରୀଜଗନ୍ନାଥ ମନ୍ଦିର ସମୂହ ସମ୍ମେଳନ ଓ ମହୋତ୍ସବ-୨୦୨୬” ଏକ ମାଇଲଖୁଣ୍ଟ ପଦକ୍ଷେପ ହେବ ବୋଲି ଆଶା ପ୍ରକାଶ ପାଇଛି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *