ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଅସ୍ତରଙ୍ଗରେ ଚଢ଼ାଉ: ଘରୁ ନଗଦ ୫୪.୮୦ ଲକ୍ଷ ଟଙ୍କା ଓ ହୁଣ୍ଡାଇ ଔରା କାର ଜବତ

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଝାଡଲିଙ୍ଗ ପଞ୍ଚାୟତ ଅନ୍ତର୍ଗତ ବାହୁଡିହ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ନଗଦ ୫୪ ଲକ୍ଷ ୮୦ ହଜାର ଟଙ୍କା ସହ ଏକ କଳା ରଙ୍ଗର ହୁଣ୍ଡାଇ ଔରା କାର ଜବତ କରିଛି ନୂଆଗଡ଼ ସାମୁଦ୍ରିକ ଥାନା ପୋଲିସ।
ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୩ଟା ସମୟରେ ପୁରୀ କଣ୍ଟ୍ରୋଲ ରୁମ୍‌ରୁ ମିଳିଥିବା ସୂଚନା ଆଧାରରେ ନୂଆଗଡ଼ ସାମୁଦ୍ରିକ ଥାନା ପୋଲିସ ବାହୁଡିହ ଗ୍ରାମର ବାସୁଦେବ ବିଶ୍ୱାଳଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଘରୁ ନଗଦ ଟଙ୍କା ଓ କାର ଜବତ କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଥିବା ଜଣାପଡ଼ିଛି।
ସୂଚନା ମୁତାବକ, ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଅବସରପ୍ରାପ୍ତ ଯନ୍ତ୍ରୀ ଅଶୋକ କୁମାର ସାହୁଙ୍କ ଘରେ ବାହୁଡିହ ଗ୍ରାମର ବିକାଶ ବିଶ୍ୱାଳ କେୟାରଟେକର ଭାବେ କାମ କରୁଥିଲେ। ଶ୍ରୀ ସାହୁ ଘରେ ରଖିଥିବା ଇପିଏଫ୍‌ ଟଙ୍କା ମଧ୍ୟରୁ ପ୍ରାୟ ୬୪ ଲକ୍ଷ ୮୦ ହଜାର ଟଙ୍କା ବିକାଶ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।
ଏନେଇ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ କେସ୍‌ ନମ୍ବର ୬୪୨/୨୬ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗ ପରେ ବିକାଶ ଟଙ୍କା ଓ କାର ନେଇ ନିଜ ଗ୍ରାମକୁ ଆସିଥିବା ବେଳେ ପରବର୍ତ୍ତୀ ସମୟରେ ଟଙ୍କା ଓ କାରକୁ ଘରେ ଛାଡ଼ି ଫେରାର ହୋଇଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।
ଘଟଣାର ତଦନ୍ତରେ ଲକ୍ଷ୍ମୀସାଗର ଥାନା ଷ୍ଟାଫ୍‌ଙ୍କ ସହ ନୂଆଗଡ଼ ସାମୁଦ୍ରିକ ଥାନା ଅଧିକାରୀ ଅଚ୍ୟୁତାନନ୍ଦ ବେହେରା ସହଯୋଗ କରୁଛନ୍ତି। ଅଭିଯୁକ୍ତ ବିକାଶ ବିଶ୍ୱାଳଙ୍କୁ ଧରିବା ପାଇଁ ପୋଲିସର ତନାଘନା ଜାରି ରହିଛି।
ଏପଟେ ନିମାପଡ଼ା ଏସ୍‌ଡିପିଓ ଜନାର୍ଦ୍ଦନ ପାଢ଼ୀ ଘଟଣାସ୍ଥଳରେ ପହଞ୍ଚି ଅଧିକ ଯାଞ୍ଚ କରିଛନ୍ତି। ତେବେ ଅଭିଯୋଗ ହୋଇଥିବା ମୋଟ ୬୪ ଲକ୍ଷ ୮୦ ହଜାର ଟଙ୍କା ମଧ୍ୟରୁ ଜବତ ସମୟରେ ପ୍ରାୟ ୧୦ ଲକ୍ଷ ଟଙ୍କା କମ୍‌ ଥିବା ଜଣାପଡ଼ିଛି। ଏହି ଟଙ୍କା କେଉଁଠାକୁ ଗଲା ଏବଂ ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *