ନିମାପଡ଼ା, ୧୫/୦୯: ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ପ୍ରତିଷ୍ଠାନ, ଭାରତ ପକ୍ଷରୁ ଆସନ୍ତା ଅକ୍ଟୋବର ୧୧ ଓ ୧୨ ତାରିଖରେ ନିମାପଡ଼ାରେ ଆୟୋଜିତ ହେବାକୁ ଥିବା ଶ୍ରୀଜଗନ୍ନାଥ ମହୋତ୍ସବ-୨୦୨୬ର ସଫଳ ଆୟୋଜନ ନିମନ୍ତେ ଏକ ଅତିଥି ଅଭ୍ୟର୍ଥନା କମିଟି ଗଠନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ମଙ୍ଗଳବାର ନିମାପଡ଼ାସ୍ଥିତ ସାଇ ଲୋଟସ୍ ମଣ୍ଡପଠାରେ ଅନୁଷ୍ଠିତ ଏହି ବୈଠକରେ ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ପ୍ରତିଷ୍ଠାନ, ଭାରତର ସଭାପତି ଡକ୍ଟର ଦିଲ୍ଲୀପ କୁମାର ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ମହୋତ୍ସବକୁ ସୁଚାରୁରୂପେ ପରିଚାଳନା କରିବା, ଆମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ ଓ ଅଭ୍ୟର୍ଥନା ପ୍ରଦାନ କରିବା ସହିତ ଆୟୋଜନର ବିଭିନ୍ନ ଦିଗ ଉପରେ ଉପସ୍ଥିତ ସଦସ୍ୟମାନେ ଆଲୋଚନା କରିଥିଲେ। ଏଥିସହିତ ଅତିଥି ଅଭ୍ୟର୍ଥନା କମିଟିରେ ଅଞ୍ଚଳର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱଙ୍କୁ ସାମିଲ କରିବା ନିମନ୍ତେ ନାମ ଗ୍ରହଣ କରାଯାଇଥିଲା।
ବୈଠକରେ ମତ ପ୍ରକାଶ ପାଇଥିଲା ଯେ, ଶ୍ରୀଜଗନ୍ନାଥ ମହୋତ୍ସବ ନିମାପଡ଼ାବାସୀଙ୍କ ସାମୂହିକ ସହଯୋଗରେ ଆୟୋଜିତ ହୋଇ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର ଓ ସୁରକ୍ଷା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ। ଏହି ମହୋତ୍ସବ ମାଧ୍ୟମରେ ନିମାପଡ଼ାରେ ଶ୍ରୀକ୍ଷେତ୍ରର ଭାବଧାରା ଓ ଶ୍ରୀଜଗନ୍ନାଥମୟ ପରିବେଶ ସୃଷ୍ଟି କରିବା ସହିତ ଅଞ୍ଚଳର ଐତିହାସିକ ଗରିମାକୁ ଆହୁରି ସମୃଦ୍ଧ କରିବା ଲକ୍ଷ୍ୟ ରହିଛି।
ଆୟୋଜକଙ୍କ ସୂଚନା ଅନୁସାରେ, ମହୋତ୍ସବରେ ବହୁ ସାଧୁସନ୍ଥ, ପୁରୀର ବିଭିନ୍ନ ମଠର ମଠାଧୀଶ, ଶ୍ରୀମନ୍ଦିରର ସେବାୟତ, ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକ, ପ୍ରଚାରକ, ପ୍ରବଚକ, ସଙ୍ଗୀତଜ୍ଞ, ନୃତ୍ୟଶିଳ୍ପୀ, ଗାୟକ ଓ ଭକ୍ତମାନଙ୍କ ସମାଗମ ହେବାର ଆଶା ରହିଛି। ଏହି ବିଶାଳ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମାଗମ ନିମାପଡ଼ାର ସାଂସ୍କୃତିକ ପରିଚୟକୁ ଆହୁରି ଉଜ୍ଜ୍ୱଳ କରିବ ବୋଲି ଉପସ୍ଥିତ ପ୍ରତିନିଧିମାନେ ଆଶାବ୍ୟକ୍ତ କରିଥିଲେ।
ଏହି ବୈଠକରେ ପ୍ରତିଷ୍ଠାନର ସଭାପତି ଡକ୍ଟର ଦିଲ୍ଲୀପ କୁମାର ପଟ୍ଟନାୟକ, ମହାନିର୍ଦ୍ଦେଶକ ଡକ୍ଟର ଭାସ୍କର ମିଶ୍ର, ଉପଦେଷ୍ଟା ସୁମିତ୍ରା ଜେନା, ପ୍ରଶାସନ ନିର୍ଦ୍ଦେଶକ ମନୋଜ କୁମାର ରଥ, ଲୋକସମ୍ପର୍କ ନିର୍ଦ୍ଦେଶକ ଶ୍ୟାମ ପ୍ରକାଶ ସେନାପତି ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ନନ୍ଦ କିଶୋର ଜେନାଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ।
ବୈଠକ ଶେଷରେ ମହୋତ୍ସବର ସଫଳତା ପାଇଁ ସମସ୍ତଙ୍କ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ନିମାପଡ଼ାରେ ଶ୍ରୀଜଗନ୍ନାଥ ମହୋତ୍ସବ ପାଇଁ ଅତିଥି ଅଭ୍ୟର୍ଥନା କମିଟି ଗଠନ ନିମନ୍ତେ ପ୍ରସ୍ତୁତି ବୈଠକ
















Leave a Reply