ଭୁବନ, ଅଗଷ୍ଟ ୨ (ବିଭୂତି ଟିଭି): ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ (ଓଡିଏମ୍) ଢେଙ୍କାନାଳ ଜିଲ୍ଲା ଶାଖା ପକ୍ଷରୁ ଗନ୍ଦିଆସ୍ଥିତ ଗିରିଧାରୀ ମଠ (ଜଗନ୍ନାଥ ମନ୍ଦିର) ପ୍ରାଙ୍ଗଣରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ ବୀମା, ସଂଗଠନର ସଶକ୍ତିକରଣ ଏବଂ ସାମ୍ବାଦିକତାର ନୈତିକ ମୂଲ୍ୟବୋଧ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଜିଲ୍ଲା ସଭାପତି ସୁଶାନ୍ତ କୁମାର ପୋଥାଳ ବୈଠକରେ ଅଧ୍ୟକ୍ଷତା କରି କହିଥିଲେ ଯେ, ଓଡିଏମ୍ ମହାସଂଘ ରାଜ୍ୟର ଡିଜିଟାଲ ସାମ୍ବାଦିକଙ୍କ ପାଇଁ ଏକ ସ୍ୱତନ୍ତ୍ର ଓ ବିଶ୍ୱସନୀୟ ସଂଗଠନ। ସଦସ୍ୟମାନଙ୍କୁ ପରିଚୟପତ୍ର, ପ୍ରମାଣପତ୍ର ସହ ଏକ ଲକ୍ଷ ଟଙ୍କାର ବୀମା ସୁବିଧା ପ୍ରଦାନ କରାଯାଉଥିବା ସେ ସୂଚନା ଦେଇଥିଲେ।
ରାଜ୍ୟ ସଭାପତି ମନୋଜ କୁମାର ଶତପଥୀ ଭିଡିଓ କନଫରେନ୍ସ ମାଧ୍ୟମରେ ବୈଠକରେ ଯୋଗଦେଇ ସମସ୍ତ ସାମ୍ବାଦିକଙ୍କୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରି ପାଞ୍ଚ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ଦାବି ଜଣାଇବା ଆବଶ୍ୟକ ବୋଲି କହିଥିଲେ।
ମୁଖ୍ୟ ଅତିଥି ତଥା ଗନ୍ଦିଆ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ମଳୟ କୁମାର ସିଂହ କହିଥିଲେ, ସାମ୍ବାଦିକ ଓ ଜନପ୍ରତିନିଧି ଗଣତନ୍ତ୍ରର ଦୁଇଟି ପରିପୂରକ ସ୍ତମ୍ଭ। ସାମ୍ବାଦିକମାନେ ସତ୍ୟ, ନିରପେକ୍ଷ ଓ ତଥ୍ୟଭିତ୍ତିକ ଖବର ପରିବେଷଣ କରିବା ସହ ସାଧୁତା, ସଚ୍ଚୋଟତା ଓ ମାନବିକତାକୁ ନିଜ କାର୍ଯ୍ୟର ମୂଳମନ୍ତ୍ର କରିବା ଉଚିତ ବୋଲି ସେ ମତ ପ୍ରକାଶ କରିଥିଲେ।
ମୁଖ୍ୟବକ୍ତା ତଥା ରାଜ୍ୟ ସଂଗଠନ ସମ୍ପାଦକ ଗୌରାଙ୍ଗ ଚରଣ ମାହି କହିଥିଲେ, ଓଡିଏମ୍ ମହାସଂଘ କେବଳ ଏକ ସଂଗଠନ ନୁହେଁ, ବରଂ ସମାଜର ବଞ୍ଚିତ ଓ ଅସହାୟ ଲୋକଙ୍କ ସ୍ୱରକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଥିବା ଏକ ସାମାଜିକ ଆନ୍ଦୋଳନ।
ବୈଠକରେ ରାଜ୍ୟ ସମ୍ପାଦକ ସଦାଶିବ ମହାପାତ୍ର, ପ୍ରମୋଦ କୁମାର ମହାନ୍ତି ଓ ପୁଷ୍ପଲତା ସାମଲ ଗ୍ରାମାଞ୍ଚଳ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପନ କରି ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଆଇନ ପ୍ରଣୟନ ଏବଂ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ଦାବି କରିଥିଲେ।
ଶେଷରେ ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ସଶକ୍ତ କରିବା, ସଦସ୍ୟ ସଂଖ୍ୟା ବୃଦ୍ଧି କରିବା ଏବଂ ଦାୟିତ୍ୱବାନ ଡିଜିଟାଲ ସାମ୍ବାଦିକତାକୁ ପ୍ରୋତ୍ସାହନ ଦେବା ନେଇ ସର୍ବସମ୍ମତିକ୍ରମେ ଆଲୋଚନା ହୋଇଥିଲା। ଜିଲ୍ଲାର ବହୁ ସାମ୍ବାଦିକ ଓ ସଂଗଠନର ପଦାଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।
– ବିଭୂତି ଟିଭି ବ୍ୟୁରୋ

















Leave a Reply