ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ମିଶନ ଶକ୍ତିର ମା’ମାନେ ହେଉଛନ୍ତି ଓଡ଼ିଶାର ବିକାଶର ପ୍ରମୁଖ ଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ପୁରୀ, ୩୧ ଜୁଲାଇ: ଓଡ଼ିଶାର ମହିଳାମାନଙ୍କ ମଧ୍ୟରେ ରହିଥିବା ଆତ୍ମବିଶ୍ୱାସ, କର୍ମଦକ୍ଷତା ଓ ଉଦ୍ୟମୀ ମନୋଭାବ ରାଜ୍ୟକୁ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ସମଗ୍ର ଦେଶରେ ୨୬.୫୦ ଲକ୍ଷରୁ ଅଧିକ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାରେ ଓଡ଼ିଶା ଶୀର୍ଷ ସ୍ଥାନ ହାସଲ କରିଥିବା କଥା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଛନ୍ତି।
ଶୁକ୍ରବାର ପୁରୀସ୍ଥିତ ସ୍ୱାମୀ ନାରାୟଣ ମନ୍ଦିର ପରିସରରେ ଆୟୋଜିତ ଆଞ୍ଚଳିକ ‘ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ’ରେ ଯୋଗଦେଇ ସେ କହିଥିଲେ ଯେ, ମିଶନ ଶକ୍ତି କେବଳ ମହିଳାଙ୍କ ଆର୍ଥିକ ସଶକ୍ତିକରଣର କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ସମାଜ ଓ ରାଜ୍ୟର ବିକାଶର ଏକ ସୁଦୃଢ଼ ଭିତ୍ତି।
ଏହି ସମ୍ମିଳନୀରେ ପୁରୀ, କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ୬୦୦ରୁ ଅଧିକ ଡିଏଲଏଫ୍ ଓ ବିଏଲଏଫ୍ ସଦସ୍ୟା ଯୋଗଦେଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ସେମାନେ ନିଜ ଅନୁଭୂତି, କାର୍ଯ୍ୟକ୍ଷେତ୍ରର ସମସ୍ୟା, ନୂତନ ଯୋଜନା ଏବଂ ଉତ୍ପାଦର ବଜାର ବିସ୍ତାର ସମ୍ପର୍କରେ ବିଭିନ୍ନ ପ୍ରସ୍ତାବ ରଖିଥିଲେ।
ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହିଳାମାନଙ୍କ ଅନୁଭବ ଓ ନବ ଚିନ୍ତନକୁ ସରକାରଙ୍କ ବିକାଶ ଯୋଜନା ସହ ଯୋଡ଼ିବା ଏହି ଭିଜନ ସମ୍ମିଳନୀର ମୂଳ ଉଦ୍ଦେଶ୍ୟ। ଏହା ଦ୍ୱାରା ନୂତନ ଉଦ୍ୟୋଗ ସୃଷ୍ଟି, ଆୟ ବୃଦ୍ଧି ଏବଂ ଯୁବପିଢ଼ୀଙ୍କୁ ସ୍ୱରୋଜଗାର ଦିଗରେ ପ୍ରେରଣା ମିଳିବ।
ସେ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ହସ୍ତଶିଳ୍ପ, ଇ-ମାର୍କେଟିଂ ଓ ଡିଜିଟାଲ ବଜାର ବ୍ୟବସ୍ଥା ଭଳି କ୍ଷେତ୍ରରେ ମିଶନ ଶକ୍ତି ଗୋଷ୍ଠୀମାନ ଙ୍କ ଅଧିକ ସକ୍ରିୟ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଉତ୍ପାଦର ଗୁଣବତ୍ତା ବୃଦ୍ଧି, ବଜାର ସଂଯୋଗ ଓ ବ୍ରାଣ୍ଡିଂ ମାଧ୍ୟମରେ ମହିଳା ଉଦ୍ୟୋଗୀମାନ ଙ୍କ ଆୟକୁ ଆହୁରି ବଢ଼ାଇବା ଦିଗରେ ସରକାର ପଦକ୍ଷେପ ନେଉଥିବା ସେ ସୂଚନା ଦେଇଥିଲେ।
ପ୍ରତିକୂଳ ପାଗ ସତ୍ତ୍ୱେ ବହୁ ସଂଖ୍ୟାରେ ମହିଳାଙ୍କ ଉପସ୍ଥିତିକୁ ପ୍ରଶଂସା କରି ଶ୍ରୀମତୀ ପରିଡା କହିଥିଲେ, କେବଳ ସରକାରୀ ଯୋଜନାର ଲାଭାର୍ଥୀ ହେବା ନୁହେଁ, ବରଂ ରାଜ୍ୟ ଓ ଦେଶର ଅର୍ଥନୈତିକ ବିକାଶରେ ସହଭାଗୀ ହେବା ପାଇଁ ପ୍ରତ୍ୟେକ ମହିଳାଙ୍କୁ ଆଗକୁ ଆସିବା ଆବଶ୍ୟକ।
ଏହାପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପୁରୀର ତାଳବଣିଆ ଠାରେ ନବନିର୍ମିତ ପୁରୀ ଜିଲ୍ଲା ସୁଭଦ୍ରା ଶକ୍ତି କେନ୍ଦ୍ରର ଉଦ୍ଘାଟନ କରିଥିଲେ। ଏହି କେନ୍ଦ୍ର ମାଧ୍ୟମରେ ଜିଲ୍ଲାର ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନ ଙ୍କୁ ପ୍ରଶିକ୍ଷଣ, ବଜାର ସଂଯୋଗ ଓ ଉଦ୍ୟୋଗ ବିକାଶରେ ଅଧିକ ସହାୟତା ମିଳିବ ବୋଲି ଆଶା ପ୍ରକାଶ ପାଇଛି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *