ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ନିମାପଡ଼ାରେ ୬ ଦଫା ଦାବିରେ ମିଟର ରିଡରଙ୍କ ଧାରଣା ଓ ବିକ୍ଷୋଭଆଲୋଚନା ବିଫଳ; ଆସନ୍ତାକାଲିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

ନିମାପଡ଼ା, ୧୨/୮: ୬ ଦଫା ଦାବି ନେଇ ନିମାପଡ଼ା ବିଦ୍ୟୁତ ଡିଭିଜନ ଅଧୀନରେ କାର୍ଯ୍ୟରତ ମିଟର ରିଡରମାନେ ବୁଧବାର ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (TP Central Odisha Distribution Limited) କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ମିଟର ରିଡର ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଦୀର୍ଘ ପ୍ରାୟ ୧୫ ବର୍ଷ ଧରି ସେମାନେ ବିଦ୍ୟୁତ ବିଭାଗରେ ମିଟର ରିଡିଂ ଓ ବିଲିଂ କାର୍ଯ୍ୟ କରିଆସୁଥିଲେ ମଧ୍ୟ ମଜୁରୀ ଓ କାର୍ଯ୍ୟ ସୁରକ୍ଷାକୁ ନେଇ ଅନେକ ସମସ୍ୟା ରହିଛି। ନିଯୁକ୍ତି ଏଜେନ୍ସି ମାଧ୍ୟମରେ ମଜୁରୀ ନିର୍ଦ୍ଧାରଣ ହେଉଥିବାରୁ ସରକାରଙ୍କ ନିର୍ଦ୍ଧାରିତ ମଜୁରୀ ନୀତି ଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବା ସଂଘ ଅଭିଯୋଗ କରିଛି।
ସଂଘର ପ୍ରମୁଖ ଦାବି ମଧ୍ୟରେ ମିଟର ରିଡରଙ୍କ ଛଟେଇ ବନ୍ଦ, ଏମ୍‌ବିସି କର୍ମଚାରୀଙ୍କୁ ସରକାରୀ ନିର୍ଦ୍ଧାରିତ ମଜୁରୀ ପ୍ରଦାନ, ମୋଟରସାଇକେଲ ପେଟ୍ରୋଲ ଖର୍ଚ୍ଚ ବାବଦକୁ ମାସିକ ₹୨,୦୦୦, ବିଲ୍ କଲେକ୍ଟରଙ୍କୁ ₹୨,୫୦୦, ନିର୍ଦ୍ଧିଷ୍ଟ ବିଲିଂ ଓ ମିଟର ରିଡିଂ ପରେ ଅତିରିକ୍ତ ପାରିଶ୍ରମିକ, ମୋବାଇଲ୍ ଡାଟା ଖର୍ଚ୍ଚ ବାବଦକୁ ମାସିକ ₹୪୦୦ ଏବଂ କ୍ୟାସ୍ ଜମା ପାଇଁ CCO ବ୍ୟବସ୍ଥା ଆଦି ରହିଛି।
ଆନ୍ଦୋଳନକୁ ନେଇ ଟିପିକୋଡିଏଲ୍‌ର ନିମାପଡ଼ା ପରିଚାଳକ ବିଶ୍ୱଭୂଷଣ ବେହେରା ଓ ମିଟର ରିଡର ସଂଘର ସଭାପତି ଶୁଭ୍ରାଂଶୁ କୁଣ୍ଡୁ, ପ୍ରଶାନ୍ତ କୁମାର ଓଝା, ଅମିତ କୁମାର ନାୟକ ଓ ତୋଫାନ ତରାଇ ପ୍ରମୁଖଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ଆଲୋଚନାରୁ କୌଣସି ସମାଧାନର ବାଟ ବାହାରିନଥିବା ସଂଘ ପକ୍ଷରୁ କୁହାଯାଇଛି।
ଫଳରେ ଆସନ୍ତାକାଲିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଅଧିକ ଜୋରଦାର କରାଯିବ ବୋଲି ମିଟର ରିଡର ସଂଘର ନେତାମାନେ ସୂଚନା ଦେଇଛନ୍ତି। ଦାବିଗୁଡ଼ିକର ସମାଧାନ ନହେଲେ ଆନ୍ଦୋଳନ ଆଗକୁ ଆହୁରି ତୀବ୍ର ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି।
— ବିଭୁତି TV, ନିମାପଡ଼ା

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *