ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଜଗତସିଂହପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ–୨୦୨୬: ଦାବି ଓ ଆପତ୍ତି ଦାଖଲ ଅବଧି ୧୯ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି

ଜଗତସିଂହପୁର, ୪ ଅଗଷ୍ଟ: ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ–୨୦୨୬ (Special Intensive Revision–2026) କାର୍ଯ୍ୟକ୍ରମ ଅଧୀନରେ ଚିଠା ଭୋଟର ତାଲିକା ଉପରେ ଦାବି ଓ ଆପତ୍ତି ଦାଖଲ ପାଇଁ ସମୟସୀମାକୁ ୧୯ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ସମ୍ପର୍କିତ ଆଧିକାରିକ ବିଜ୍ଞପ୍ତି ଗୃହ (ନିର୍ବାଚନ) ବିଭାଗ ପକ୍ଷରୁ ଓଡ଼ିଶା ଗେଜେଟ୍‌ରେ ପ୍ରକାଶ ପାଇଛି।
୦୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଚାଲିଥିବା ଏହି ସଂଶୋଧନ ପ୍ରକ୍ରିୟା ପାଇଁ ଭାରତ ନିର୍ବାଚନ ଆୟୋଗ ସଂଶୋଧିତ କାର୍ଯ୍ୟସୂଚୀ ଜାରି କରିଛନ୍ତି। ଅଧିକରୁ ଅଧିକ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ କରିବା, ଯୋଗ୍ୟ ଭୋଟରଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଏବଂ ଦାବି-ଆପତ୍ତି ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସୁବ୍ୟବସ୍ଥିତ ଓ ଅନ୍ତର୍ଭୂକ୍ତିମୂଳକ କରିବା ଉଦ୍ଦେଶ୍ୟରେ ଏହି ସମୟ ବୃଦ୍ଧି କରାଯାଇଛି।
ଜିଲ୍ଲା ପ୍ରଶାସନ ସୂଚନା ଅନୁଯାୟୀ, ଯେଉଁ ଯୋଗ୍ୟ ନାଗରିକଙ୍କ ନାମ ଚିଠା ଭୋଟର ତାଲିକାରେ ସାମିଲ ହୋଇନାହିଁ କିମ୍ବା ଭୋଟର ତାଲିକାରେ ଥିବା ତଥ୍ୟରେ କୌଣସି ତ୍ରୁଟି ରହିଛି, ସେମାନେ ୧୯ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରିପାରିବେ। ଫର୍ମ–୬ ମାଧ୍ୟମରେ ନୂତନ ଭୋଟର ଭାବେ ପଞ୍ଜୀକରଣ, ଫର୍ମ–୭ ମାଧ୍ୟମରେ ନାମ ବିଲୋପ ପାଇଁ ଆବେଦନ ଏବଂ ଫର୍ମ–୮ ମାଧ୍ୟମରେ ଭୋଟର ତାଲିକାରେ ଥିବା ତଥ୍ୟର ସଂଶୋଧନ ପାଇଁ ଆବେଦନ କରାଯାଇପାରିବ।
୦୧ ଜୁଲାଇ ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ସମସ୍ତ ଯୋଗ୍ୟ ନାଗରିକଙ୍କୁ ଏହି ସୁଯୋଗର ସଦ୍‌ବ୍ୟବହାର କରି ନିଜ ନାମ ଭୋଟର ତାଲିକାରେ ସାମିଲ କରିବା ସହ ଆବଶ୍ୟକ ସଂଶୋଧନ କରାଇବାକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି।
ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ନୋଟିସ ପ୍ରଦାନ, ଶୁଣାଣି ଓ ଦାବି-ଆପତ୍ତିର ନିଷ୍ପତ୍ତି ପ୍ରକ୍ରିୟା ୧୭ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ। ଏହାପରେ ୨୧ ସେପ୍ଟେମ୍ବର ୨୦୨୬ ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଡେପୁଟି କଲେକ୍ଟର (ନିର୍ବାଚନ) ସୂଚନା ଦେଇଛନ୍ତି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *