ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଜଗତସିଂହପୁରରେ ବନ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ; ୬,୫୭୪ ପ୍ରଭାବିତ, ୧,୨୮୮ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର

ଜଗତସିଂହପୁର, ୩୧ ଜୁଲାଇ: ଜଗତସିଂହପୁର ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ସାମ୍ନା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି। ଜିଲ୍ଲାପାଳ ଜେ. ସୋନାଲଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ବନ୍ୟା ପ୍ରଭାବିତ ବ୍ଲକର ଦାୟିତ୍ୱ ଦିଆଯାଇଛି। ସେମାନେ କ୍ଷେତ୍ର ପରିଦର୍ଶନ କରି ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ରିଲିଫ ବଣ୍ଟନର ତଦାରଖ କରୁଛନ୍ତି।
ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ ଅକ୍ଷୟ ପିଲେଙ୍କୁ ଜଗତସିଂହପୁର, ନାଉଗାଁ ଓ ପୌରାଞ୍ଚଳ, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟଙ୍କୁ ତିର୍ତ୍ତୋଲ, ବିରିଡି ଓ ରଘୁନାଥପୁର, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତଙ୍କୁ ବାଲିକୁଦା-ଏରସମା ଏବଂ ଅତିରିକ୍ତ ଜିଲ୍ଲାପାଳ ପାରାଦୀପ ନିରଞ୍ଜନ ବେହେରାଙ୍କୁ କୁଜଙ୍ଗ ଓ ପାରାଦୀପ ପୌରାଞ୍ଚଳର ଦାୟିତ୍ୱ ଦିଆଯାଇଛି।
ମହାନଦୀ ଓ ଦେବୀ ନଦୀରେ ବନ୍ୟାଜଳ ବୃଦ୍ଧି ପାଇବାରୁ କୁଜଙ୍ଗ, ବିରିଡି, ନାଉଗାଁ, ତିର୍ତ୍ତୋଲ, ରଘୁନାଥପୁର ଓ ବାଲିକୁଦା ବ୍ଲକ ଅଧିକ ପ୍ରଭାବିତ ହୋଇଛି। ଅପରାହ୍ନ ୪ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର ୬,୫୭୪ ଜଣ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବାବେଳେ ୧,୨୮୮ ଜଣଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।
ବର୍ତ୍ତମାନ ୨୩ଟି ଫ୍ରି କିଚେନ୍ ମାଧ୍ୟମରେ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି। ଏହା ସହ ପଲିଥିନ୍, ଔଷଧ, ଚୁଡ଼ା, ଗୁଡ଼, ପାନୀୟ ଜଳ, ସାନିଟାରୀ ନ୍ୟାପକିନ୍ ସମେତ ଆବଶ୍ୟକ ସାମଗ୍ରୀ ପ୍ରଭାବିତଙ୍କ ନିକଟରେ ପହଞ୍ଚାଯାଉଛି।
କୁଜଙ୍ଗ ବ୍ଲକର ଜିଲ୍ଲାନାସୀ ପଞ୍ଚାୟତର ସାହାରଡ଼ିଆ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଥିବାରୁ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ, ବିଡିଓ ଓ ତହସିଲଦାର ବୋଟ୍ ଯୋଗେ ସେଠାରେ ପହଞ୍ଚି ରିଲିଫ ସାମଗ୍ରୀ ବଣ୍ଟନ କରିବା ସହ ଲୋକଙ୍କ ସମସ୍ୟା ବୁଝିଥିଲେ।
ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ଜିଲ୍ଲାରେ ୧୧ଟି ୨୪×୭ କଣ୍ଟ୍ରୋଲ ରୁମ୍, ୯ଟି ମୋବାଇଲ ହେଲ୍ଥ ଟିମ୍, ୧୫ଟି ୧୦୮ ଆମ୍ବୁଲାନ୍ସ, ୧୨ଟି ୧୦୨ ଆମ୍ବୁଲାନ୍ସ ଓ ୪ଟି ରାପିଡ୍ ରେସ୍ପନ୍ସ ଟିମ୍ ନିୟୋଜିତ କରାଯାଇଛି। ୧୦୫ ଜଣ ଗର୍ଭବତୀ ମହିଳାଙ୍କୁ ମା’ଗୃହ ଓ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବାବେଳେ ୫୬ଟି ସୁରକ୍ଷିତ ପ୍ରସବ ସମ୍ପନ୍ନ ହୋଇଛି। ୨,୪୭୦ଟି କୂଅ ବିଶୋଧନ କରାଯାଇଥିବା ସହ ୮ଟି ପାଣି ଟ୍ୟାଙ୍କର ଓ ଗୋଟିଏ ମୋବାଇଲ ୱାଟର ଟ୍ରିଟମେଣ୍ଟ ୟୁନିଟ୍ କାର୍ଯ୍ୟରେ ନିୟୋଜିତ ଅଛି।
ପଶୁପାଳନ କ୍ଷେତ୍ରରେ ୬,୮୧୯ଟି ବଡ଼ ଓ ୩,୪୩୦ଟି ଛୋଟ ଗୃହପାଳିତ ପଶୁ ପ୍ରଭାବିତ ହୋଇଥିବାବେଳେ ୨୨୯ କ୍ୱିଣ୍ଟାଲ ପଶୁଖାଦ୍ୟ ଓ ୪୫ କ୍ୱିଣ୍ଟାଲ ଗ୍ରୀନ୍ ଫଡର୍ ବଣ୍ଟନ କରାଯାଇଛି। ୧୬ଟି ପଶୁ ଚିକିତ୍ସା ଶିବିର ମାଧ୍ୟମରେ ୮୩୯ଟି ପଶୁଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି।
ବନ୍ୟାରେ ୨,୪୭୦ ହେକ୍ଟର ଚାଷଜମି, ୩,୦୩୯ ହେକ୍ଟର ତଳି ଘେର, ୧୨ ହେକ୍ଟର ମାଣ୍ଡିଆ ଚାଷ ଓ ୬୩.୫ ହେକ୍ଟର ପରିବା ଚାଷ ଜଳମଗ୍ନ ହୋଇଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଓଡ୍ରାଫ୍ ଓ ଏନ୍‌ଡିଆରଏଫ୍ ଟିମ୍ ନିୟୋଜିତ ରହିଛନ୍ତି।
ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାର ୧୦୪ଟି ବିଦ୍ୟାଳୟ ଓ ୧୯୦ଟି ଅଙ୍ଗନୱାଡ଼ି କେନ୍ଦ୍ରକୁ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ବନ୍ୟା ପରବର୍ତ୍ତୀ ସମୟରେ ସମସ୍ତ ପାନୀୟ ଜଳ ଉତ୍ସ ଓ ଜଳ ପ୍ରକଳ୍ପଗୁଡ଼ିକର ବିଶୋଧନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
– ବିଭୂତି ଟିଭି ବ୍ୟୁରୋ, ଜଗତସିଂହପୁର

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *