ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବଜାର ହାଇସ୍କୁଲ ଛକ ନିକଟସ୍ଥ ମହାନ୍ତି କମ୍ୟୁନିକେସ୍ ମୋବାଇଲ ଦୋକାନରୁ ହୋଇଥିବା ବଡ଼ଧରଣର ଚୋରି ଘଟଣାର ପର୍ଦ୍ଦାଫାସ୍ କରିଛି ପୁରୀ ପୋଲିସ। ଘଟଣାରେ ଉତ୍ତରପ୍ରଦେଶର ଶାମଲି ଜିଲ୍ଲାରୁ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ୪୦ଟି ମୋବାଇଲ ଫୋନ, ୧ ଲକ୍ଷ ୮୦ ହଜାର ଟଙ୍କା ନଗଦ ଏବଂ ସଟର ଭାଙ୍ଗିବାରେ ବ୍ୟବହୃତ ଶାବଳ ଜବତ କରିଛି।
ସୂଚନା ଅନୁଯାୟୀ, ଗତ ୧୭ ଅଗଷ୍ଟ ୨୦୨୬ ରାତିରେ ମହାନ୍ତି କମ୍ୟୁନିକେସ୍ ଦୋକାନର ସଟର ଭାଙ୍ଗି ପ୍ରାୟ ୧ କୋଟି ଟଙ୍କା ମୂଲ୍ୟର ମୋବାଇଲ ଫୋନ ସହ ୧ ଲକ୍ଷ ୫୦ ହଜାର ଟଙ୍କା ନଗଦ ଚୋରି ହୋଇଥିଲା। ଏନେଇ ଅସ୍ତରଙ୍ଗ ଥାନାରେ କେସ୍ ନମ୍ବର ୨୧୭/୨୦୨୬ରେ ମାମଲା ରୁଜୁ ହୋଇଥିଲା।
ପୁରୀ ଏସ୍ପିଙ୍କ ନିର୍ଦ୍ଦେଶରେ ଗଠିତ ସ୍ୱତନ୍ତ୍ର ଟିମ୍ ସିସିଟିଭି ଫୁଟେଜ୍ ଓ ଟେକ୍ନିକାଲ ସର୍ଭେଲାନ୍ସ ଆଧାରରେ ତଦନ୍ତ କରି ଉତ୍ତରପ୍ରଦେଶର ଶାମଲି ଜିଲ୍ଲାରୁ ତିନି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ଜିସାନ୍ (୫୪), ଶୋକିନ୍ (୩୫) ଓ ଅବଦୁଲ କାଦିର (୨୩)। ତେବେ ମୁଖ୍ୟ ଅଭିଯୁକ୍ତ ପାରବେଜ୍ ଏବେବି ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଜିସାନ୍ କାକଟପୁର ଭଣ୍ଡାଘର ଗ୍ରାମର ରେଶମା ଶେଖଙ୍କୁ ବିବାହ କରିଥିଲେ। ତାଙ୍କ ପୁଅ ପାରବେଜ୍ କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ଫେରିବାଲା ଭାବେ କାମ କରୁଥିବାରୁ ମୋବାଇଲ ଦୋକାନଟି ଉପରେ ନଜର ରଖି ଚୋରିର ଯୋଜନା କରାଯାଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।
ଅଭିଯୁକ୍ତମାନଙ୍କ ଠାରୁ ୪୦ଟି ମୋବାଇଲ ଫୋନ, ୧ ଲକ୍ଷ ୮୦ ହଜାର ଟଙ୍କା ନଗଦ ଓ ସଟର ଭାଙ୍ଗିବା ପାଇଁ ବ୍ୟବହୃତ ଶାବଳ ଜବତ ହୋଇଛି। ଅବଶିଷ୍ଟ ଚୋରି ସାମଗ୍ରୀ ଜବତ କରିବା ସହ ଫେରାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।
ଅସ୍ତରଙ୍ଗ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସ୍ପି ପ୍ରତୀକ ସିଂ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ସମ୍ମିଳନୀରେ ନିମାପଡ଼ା ଏସ୍ଡିପିଓ ଜନାର୍ଦ୍ଦନ ପାଢ଼ୀ, ଅସ୍ତରଙ୍ଗ ଆଇଆଇସି ବିଦିତା ନାୟକ, ଚାରିଛକ ଥାନା ଆଇଆଇସି ଏସ୍. ପ୍ରିୟଦର୍ଶୀ ମହାନ୍ତି, କାକଟପୁର ଥାନା ଏସ୍ଆଇ ଅମିତ ପାଢ଼ୀଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
ଅସ୍ତରଙ୍ଗ ମୋବାଇଲ ଚୋରି ଘଟଣାର ପର୍ଦ୍ଦାଫାସ୍: ୪୦ ମୋବାଇଲ ଓ ୧.୮୦ ଲକ୍ଷ ଟଙ୍କା ଜବତ, ୩ ଗିରଫ
















Leave a Reply