ମାନସିକ ସ୍ୱାସ୍ଥ୍ୟ ସଚେତନତା ଓ ଆଇନଗତ ସହାୟତା ଉପରେ ଗୁରୁତ୍ୱାରୋପ
ନିମାପଡ଼ା, ୧୦/୧୦ (ବିଭୂତି ଟିଭି): ପୁରୀ ଜିଲ୍ଲାର ନିମାପଡ଼ାସ୍ଥିତ ପିଙ୍ଗଳାକ୍ଷୀ ପବ୍ଲିକ ୱେଲଫେୟାର ଅର୍ଗାନାଇଜେସନ ପରିସରରେ ଶନିବାର, ଅକ୍ଟୋବର ୧୦ ତାରିଖ ଦିନ ନିମାପଡ଼ା ତାଲୁକ ଆଇନ ସେବା କମିଟିର ସୌଜନ୍ୟରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ-୨୦୨୬ ଉପଲକ୍ଷେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।
ଏହି ସଚେତନତା ସଭାରେ ନିମାପଡ଼ାର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ, ସିଭିଲ୍ ଜଜ୍ (ସିନିୟର ଡିଭିଜନ) ଶ୍ରୀ ପ୍ରୀତିଶ ମିଶ୍ର, ଜେ.ଏମ୍.ଏଫ୍.ସି. ପ୍ରଥମ ଶ୍ରେଣୀ ବିଚାରପତି ସୁଶ୍ରୀ ହର୍ଷିତା ମିଶ୍ର, ବରିଷ୍ଠ ଆଇନଜୀବୀ ଶ୍ରୀ ଦ୍ୱିଜବର ସ୍ୱାଇଁ, ଶ୍ରୀ ପ୍ରଭାତ କୁମାର ବେହେରା ଓ ଶ୍ରୀ ବିଜୟ କୁମାର ପରିଡ଼ା, ନିମାପଡ଼ା ମେଡିକାଲର ଡାକ୍ତର ମଧୁସ୍ମିତା ମିଶ୍ର, ସାଧାରଣ ସମ୍ପାଦକ ଶ୍ରୀ ଗଗନ ବିହାରୀ ଦାସ ଏବଂ ପିଙ୍ଗଳାକ୍ଷୀ ପବ୍ଲିକ ୱେଲଫେୟାର ଅର୍ଗାନାଇଜେସନର ଶ୍ରୀ ପଦ୍ମଲୋଚନ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।
ଉପସ୍ଥିତ ଅତିଥିମାନେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ଗୁରୁତ୍ୱ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହିତ ମାନସିକ ଅସୁସ୍ଥତାର ବିଭିନ୍ନ କାରଣ, ଏହାର ପ୍ରତିରୋଧ ଓ ଚିକିତ୍ସା ସମ୍ପର୍କରେ ଆଲୋଚନା କରିଥିଲେ। ମାନସିକ ସ୍ୱାସ୍ଥ୍ୟକୁ ଶାରୀରିକ ସ୍ୱାସ୍ଥ୍ୟ ପରି ସମାନ ଗୁରୁତ୍ୱ ଦେବା, ମାନସିକ ସମସ୍ୟାରେ ପୀଡ଼ିତ ବ୍ୟକ୍ତିଙ୍କ ପ୍ରତି ସହାନୁଭୂତି ଓ ସହଯୋଗ ପ୍ରଦର୍ଶନ କରିବା ସହିତ ସେମାନଙ୍କୁ ସାମାଜିକ ମୁଖ୍ୟସ୍ରୋତରେ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହା ସହିତ ମାନସିକ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ସମାଜରେ ରହିଥିବା ଭ୍ରାନ୍ତ ଧାରଣା ଓ ଭେଦଭାବ ଦୂର କରିବା, ଆବଶ୍ୟକ ସମୟରେ ଉପଯୁକ୍ତ ଚିକିତ୍ସା ଓ ପରାମର୍ଶ ଗ୍ରହଣ କରିବା ଏବଂ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ଅଧିକାର ଓ ସମ୍ମାନର ସୁରକ୍ଷା କରିବା ଦିଗରେ ସମୂହ ସଚେତନତାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଥିଲା।
ଏହି ଅବସରରେ ଅନୁଷ୍ଠାନ ଦ୍ୱାରା ପରିଚାଳିତ ବେଗର ରିହାବିଲିଟେସନ ହୋମ୍ରେ ରହୁଥିବା ମାନସିକ ଅସୁସ୍ଥ ଅନ୍ତେବାସୀ, ସ୍ୱତନ୍ତ୍ର ଶିକ୍ଷକ ତାଲିମ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅନୁଷ୍ଠାନର କର୍ମଚାରୀମାନେ ଯୋଗଦେଇଥିଲେ। ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣରେ ସଚେତନତା ସଭାଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।
ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ବୃଦ୍ଧି, ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ପ୍ରତି ସମ୍ବେଦନଶୀଳ ମନୋଭାବ ସୃଷ୍ଟି ଏବଂ ସେମାନଙ୍କୁ ଉପଯୁକ୍ତ ସହାୟତା ଯୋଗାଇଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
















Leave a Reply