ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଆକ୍ସନ ମୁଡ୍ ରେ ଅବକାରୀ ବିଭାଗ।୪୪ ଗ୍ରାମର ହେରୋଇନ, ନଗଦ ୧୨,୬୦୦ ଟଙ୍କା ସହ ଯୁବକ ଗିରଫ।

୪୪ ଗ୍ରାମ ହେରୋଇନ୍ ଜବତ, ଜଣେ ଗିରଫ
ଜଗତସିଂହପୁର, ୦୯/୦୯/୨୦୨୬:
ଜଗତସିଂହପୁର ଥାନା ଅନ୍ତର୍ଗତ ଆଳିପିଙ୍ଗଳ ବଜାରରେ ଅବକାରୀ ବିଭାଗର ଭ୍ରାମ୍ୟମାଣ ସଂସ୍ଥା ପକ୍ଷରୁ ଚଢ଼ାଉ କରାଯାଇ ଜଣେ କଥିତ ହେରୋଇନ୍ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ୪୪ ଗ୍ରାମ ହେରୋଇନ୍, ଗୋଟିଏ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍, ନଗଦ ୧୨,୬୦୦ ଟଙ୍କା ଏବଂ ଗୋଟିଏ ଟିଭିଏସ୍ ଲୁନା (OD-21-P-1827) ଜବତ କରାଯାଇଛି।
ଗିରଫ ବ୍ୟକ୍ତି ହେଲେ ଜଗତସିଂହପୁର ଥାନା ଅଧୀନ ଖମଙ୍ଗ ଗ୍ରାମର ଯୋଗେନ୍ଦ୍ର ନାଥ (୩୮)। ଅବକାରୀ ବିଭାଗର ସୂଚନା ଅନୁଯାୟୀ, ସେ ଦୀର୍ଘଦିନ ଧରି ଆଳିପିଙ୍ଗଳ ଅଞ୍ଚଳରେ ହେରୋଇନ୍ ବିକ୍ରି କରୁଥିବା ଅଭିଯୋଗ ରହିଥିଲା।
ଗୁଇନ୍ଦା ସୂଚନା ଆଧାରରେ ଅବକାରୀ ବିଭାଗ ଅଭିଯୁକ୍ତଙ୍କ ଗତିବିଧି ଉପରେ ନଜର ରଖିଥିଲା। ଗ୍ରାହକଙ୍କୁ ହେରୋଇନ୍ ବିକ୍ରି କରିବା ପାଇଁ ସେ ଆଳିପିଙ୍ଗଳ ବଜାରରେ ଥିବା ସୂଚନା ପାଇବା ପରେ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା।
ଟିମ୍‌ରେ ସବ୍-ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଳାଇ, ଏଏସ୍‌ଆଇ କ୍ଷୀରୋଦ କୁମାର ସାହୁଙ୍କ ସମେତ କନଷ୍ଟେବଳ ଶୁଭଶ୍ରୀ ବିଶ୍ୱାଳ, ସୁକାନ୍ତ ମାଝୀ ଓ ବିଶ୍ୱରଞ୍ଜନ ସ୍ୱାଇଁ ସାମିଲ ଥିଲେ। ଅଭିଯୁକ୍ତ ହେରୋଇନ୍ ବିକ୍ରି କରୁଥିବା ସମୟରେ ଅବକାରୀ କର୍ମଚାରୀମାନେ ତାଙ୍କୁ କାବୁ କରିଥିଲେ।
ଜବତ ହୋଇଥିବା ହେରୋଇନ୍ ସମେତ ଅନ୍ୟାନ୍ୟ ସାମଗ୍ରୀର ଆନୁମାନିକ କଳାବଜାରୀ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।
ଏହି ଘଟଣାରେ ଏନ୍‌ଡିପିଏସ୍ ଆକ୍ଟ, ୧୯୮୫ ଅନୁସାରେ ଜଗତସିଂହପୁର ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ସଂସ୍ଥାର କେସ୍ ନମ୍ବର ୧୫୬/୨୦୨୬-୨୭ରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ ଜିଲ୍ଲା ଦୌରାଜଜ, ଜଗତସିଂହପୁରଙ୍କ ନିକଟରେ ହାଜର କରାଯିବା ପରେ ଜାମିନ ନାମଞ୍ଜୁର ହୋଇଥିବା ଏବଂ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ସୂଚନା ମିଳିଛି।
ଅବକାରୀ ବିଭାଗର ସୂଚନା ଅନୁଯାୟୀ, ଯୋଗେନ୍ଦ୍ରଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଏକାଧିକ ଏନ୍‌ଡିପିଏସ୍ ମାମଲା ରହିଛି।
ଜଗତସିଂହପୁର ଅଞ୍ଚଳରେ ହେରୋଇନ୍ ଭଳି ମାଦକଦ୍ରବ୍ୟର ବେଆଇନ କାରବାରକୁ ରୋକିବା ପାଇଁ ସ୍ୱତନ୍ତ୍ର ଅପରେସନ୍ ଜାରି ରହିଥିବା ଜଗତସିଂହପୁର ଅବକାରୀ ଅଧୀକ୍ଷିକା ଶ୍ରୀମତୀ ଅନିତା ପ୍ରଧାନ କହିଛନ୍ତି। ନିଶା କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଗାମୀ ଦିନରେ ମଧ୍ୟ କଠୋର ଆଇନଗତ ପଦକ୍ଷେପ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *