ଭୁବନେଶ୍ୱର (ବିଭୂତି ଟିଭି): ପାଇକାରୀ ଔଷଧ ଲାଇସେନ୍ସ କରାଇଦେବା ନାଁରେ ୬,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯାଜପୁରର ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର (ତଥା ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଦାୟିତ୍ୱରେ ଥିବା) ସଞ୍ଜୟ କୁମାର ହାଁସଦା।
ଅଭିଯୋଗ ଅନୁଯାୟୀ, ଜଣେ ଆବେଦନକାରୀ ନିଜର ପାଇକାରୀ ଔଷଧ ଦୋକାନ ପାଇଁ ଗତ ୧୧.୦୫.୨୦୨୫ ରେ ଲାଇସେନ୍ସ ନିମନ୍ତେ ଆବେଦନ କରିଥିଲେ। ଲାଇସେନ୍ସ ସୁପାରିଶ ପାଇଁ ଶ୍ରୀ ହାଁସଦା ବାରମ୍ବାର ଦୌଡ଼ାଇବା ସହ ୬,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏଥିରେ ନିରୁପାୟ ହୋଇ ଆବେଦନକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଆଜି (୦୩.୦୯.୨୦୨୬) ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ଯାଜପୁର ଛକ ନିକଟରେ ଚଢ଼ାଉ କରି ଶ୍ରୀ ହାଁସଦାଙ୍କୁ ୬,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ରଙ୍ଗେହାତ କାବୁ କରିଥିଲା। ପୋଲିସ ସାକ୍ଷୀଙ୍କ ଉପସ୍ଥିତିରେ ରସାୟନ ପରୀକ୍ଷା (Chemical Reaction) ଦ୍ୱାରା ଲାଞ୍ଚ ଗ୍ରହଣ କରିଥିବା ପ୍ରମାଣିତ ହେବା ସହ ନଗଦ ଟଙ୍କା ଜବତ କରାଯାଇଛି।୧.୭୮ ଲକ୍ଷରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ଜବତ
ଗିରଫଦାରୀ ପରେ ଭିଜିଲାନ୍ସ ପକ୍ଷରୁ ସଞ୍ଜୟ ହାଁସଦାଙ୍କ ଯାଜପୁରସ୍ଥିତ ଭଡ଼ାଘର, ଭବାନୀପାଟଣାରେ ଥିବା ପତ୍ନୀଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ଏକାସାଙ୍ଗରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ:
ଜଗତସିଂହପୁର କାର୍ଯ୍ୟାଳୟରୁ: ₹୧,୨୫,୨୦୦ (ଅଣହିସାବୀ ନଗଦ ଟଙ୍କା)
ବ୍ୟକ୍ତିଗତ ପାଖରୁ: ₹୫୩,୫୦୦ (ଅଣହିସାବୀ ନଗଦ ଟଙ୍କା)
ମୋଟ ଜବତ ନଗଦ ଟଙ୍କା: ₹୧,୭୮,୭୦୦
ଏହି ମାମଲାରେ କଟକ ଭିଜିଲାନ୍ସ ଥାନାରେ ମାମଲା (କେସ୍ ନଂ-୩୪, ତା ୦୨.୦୯.୨୦୨୬, ଧାରା ୭, ଦୁର୍ନୀତି ନିବାରଣ ଆଇନ) ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଉଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଯାଜପୁର ଓ ଜଗତସିଂହପୁରର ଅତିରିକ୍ତ ଦାୟିତ୍ୱରେ ଥିବା ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର
















Leave a Reply