ଜଗତସିଂହପୁର, ୧ ଅଗଷ୍ଟ: ଲଗାଣ ବର୍ଷା ଓ ମହାନଦୀ–ଦେବୀ ନଦୀର ବଢ଼ୁଥିବା ଜଳସ୍ତର ଯୋଗୁଁ ଜଗତସିଂହପୁର ଜିଲ୍ଲାର ଅନେକ ଅଞ୍ଚଳ ବନ୍ୟା ପ୍ରଭାବିତ ହୋଇଛି। ଏପରି ସ୍ଥିତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର, ରିଲିଫ୍ ବଣ୍ଟନ ଓ ଆଶ୍ରୟ ବ୍ୟବସ୍ଥା ଜାରି ରହିଛି।
ଜିଲ୍ଲାପାଳ ଜେ. ସୋନାଲଙ୍କ ସହ ସାଂସଦ ବିଭୁ ପ୍ରସାଦ ତରାଇ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଥିଲେ। ବନ୍ୟାଜଳରେ ବିଚ୍ଛିନ୍ନ ହୋଇଥିବା ପଞ୍ଚାୟତଗୁଡ଼ିକରେ କୌଣସି ପ୍ରଭାବିତ ପରିବାର ସହାୟତାରୁ ବଞ୍ଚିତ ନ ହେବେ ସେଥିପାଇଁ ସମସ୍ତ ବିଭାଗକୁ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ବନ୍ୟା ଆଶ୍ରୟସ୍ଥଳୀରେ ଶୁଖିଲା ଓ ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ, ଔଷଧ ଏବଂ ମହିଳା ଓ କିଶୋରୀମାନଙ୍କ ପାଇଁ ସାନିଟାରୀ ନ୍ୟାପକିନ୍ ଯୋଗାଇ ଦିଆଯାଉଛି। ମେଡିକାଲ ଟିମ୍ ଦ୍ୱାରା ବୃଦ୍ଧ ଓ ଅସୁସ୍ଥ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ନିୟମିତ ଭାବେ କରାଯାଉଛି।
ଜିଲ୍ଲାପାଳ କହିଛନ୍ତି ଯେ, ବନ୍ୟାଜଳ ହ୍ରାସ ପାଇବାର ତିନି ଦିନ ମଧ୍ୟରେ କୃଷି ଓ ଉଦ୍ୟାନ କୃଷି ବିଭାଗ କ୍ଷୟକ୍ଷତିର ଆକଳନ ରିପୋର୍ଟ ଦାଖଲ କରିବେ। ଏହା ପରେ ପ୍ରଭାବିତ ଚାଷୀମାନଙ୍କୁ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ। ସମ୍ଭାବ୍ୟ ଦେବୀ ନଦୀ ବନ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ ସ୍ପଷ୍ଟ କରିଛନ୍ତି।
ଜିଲ୍ଲାପାଳଙ୍କ ସହ ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା ରଘୁନାଥପୁର, ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଥିଲେ। ଅତିରିକ୍ତ ଜିଲ୍ଲାପାଳମାନେ ମଧ୍ୟ ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ଶୁଣିବା ସହ ସ୍ଥିତିର ଅନୁଧ୍ୟାନ କରିଥିଲେ।
ଜିଲ୍ଲା ଜରୁରୀକାଳୀନ ବିଭାଗର ସୂଚନା ଅନୁସାରେ ଶନିବାର ଅପରାହ୍ନ ୫ଟା ସୁଦ୍ଧା ୧୭୩୪ ଜଣଙ୍କୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାର ୩୫ଟି ଫ୍ରି କିଚେନ୍ ମାଧ୍ୟମରେ ନିରନ୍ତର ଖାଦ୍ୟ ବଣ୍ଟନ ଚାଲିଛି। ଏପର୍ଯ୍ୟନ୍ତ ୩୬.୯୯ କ୍ୱିଣ୍ଟାଲ୍ ଚୁଡ଼ା, ୯.୭୫ କ୍ୱିଣ୍ଟାଲ୍ ଗୁଡ଼ ଏବଂ ୪୨୫ଟି ପଲିଥିନ୍ ରୋଲ୍ ବଣ୍ଟନ କରାଯାଇଛି। ୧୧ଟି ମେଡିକାଲ ଟିମ୍ ଲୋକଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛନ୍ତି।
ପଶୁପାଳନ ବିଭାଗ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୪୧୯୦ଟି ଗୃହପାଳିତ ପଶୁଙ୍କୁ ଟିକାକରଣ କରାଯାଇଥିବା ବେଳେ ୨୫ଟି ପଶୁ ଚିକିତ୍ସା ଶିବିର ଓ ୮ଟି ମୋବାଇଲ ୟୁନିଟ୍ ମାଧ୍ୟମରେ ୧୧୯୪ଟି ପଶୁର ଚିକିତ୍ସା କରାଯାଇଛି।
ଅନ୍ୟପଟେ, ସମସ୍ତ ସମ୍ବେଦନଶୀଳ ନଦୀକୂଳ ଅଞ୍ଚଳରେ ସ୍ନାନ, ପହଁରିବା ଓ ମାଛ ଧରିବା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବା ଓ ଅନାବଶ୍ୟକ ଭାବେ ବନ୍ୟାଜଳ ନିକଟକୁ ନ ଯିବାକୁ ଅନୁରୋଧ କରାଯାଇଛି।
ଜଗତସିଂହପୁରରେ ବନ୍ୟା ମୁକାବିଲାରେ ପ୍ରଶାସନ ସକ୍ରିୟ; ୧୭୩୪ ଜଣଙ୍କୁ ଉଦ୍ଧାର, ରିଲିଫ୍ ବଣ୍ଟନ ଜାରି

















Leave a Reply