ନିମାପଡ଼ା, (BT)ତା. ୩୦/୦୭: ଧନୁଆଁ ନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖିଆଗରେ ରଖି ନିମାପଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ନିମାପଡ଼ା ବ୍ଲକ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ବ୍ଲକ ପ୍ରଶାସନ ଓ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନେଇ ଏକ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ସୂଚନା ଦିଆଯାଇଥିଲା ଯେ, ଧନୁଆଁ ନଦୀରେ ବନ୍ୟାଜଳ ପ୍ରବାହିତ ହେଲେ ବଡ଼ମାଛପୁର, ଧନୁଆଁ, ଅଲଣ୍ଡା, ଅନ୍ତୁଆ, ବଡ଼ଶିରୁବଳା, ସଲଙ୍ଗ ଓ ବାମନାଳ ପଞ୍ଚାୟତର ଶତାଧିକ ଗ୍ରାମ ଜଳବନ୍ଦୀ ହୋଇପଡ଼ିବା ସହ ଶହଶହ ଏକର ଚାଷଜମିରେ ବନ୍ୟାପାଣି ପ୍ରବେଶ କରି ଫସଲର କ୍ଷତି ହେବାର ଆଶଙ୍କା ରହିଛି। ଏହାସହ ବହୁ ଲୋକ ଓ ପଶୁସମ୍ପଦ ମଧ୍ୟ ପ୍ରଭାବିତ ହୋଇପାରନ୍ତି।
ବିଡିଓ ଅଭିଜିତ ଷଡ଼ଙ୍ଗୀ ବୈଠକରେ ସୂଚନା ଦେଇ କହିଥିଲେ ଯେ, ବନ୍ୟା ପରିସ୍ଥିତିର ତୁରନ୍ତ ମୁକାବିଲା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ପ୍ରଭାବିତ ପଞ୍ଚାୟତଗୁଡ଼ିକର ପିଇଓମାନଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ ସେମାନେ ପଞ୍ଚାୟତ ମୁଖ୍ୟାଳୟରେ ରହି ପରିସ୍ଥିତିର ନିରନ୍ତର ତଦାରଖ କରିବେ।
ବନ୍ୟା ପରିଚାଳନାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ସମସ୍ତ ଛୁଟି ବାତିଲ କରାଯାଇଛି। ଏଥିସହ ବ୍ଲକ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ଆକଳନ ପାଇଁ ବ୍ଲକ ଓ ତହସିଲ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କରିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ସେ ସ୍ୱାସ୍ଥ୍ୟ ବିଭାଗକୁ ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ ମହଜୁଦ ରଖିବା ସହ ବନ୍ୟାପ୍ରବଣ ଅଞ୍ଚଳର ଗର୍ଭବତୀ ମହିଳା, ବୃଦ୍ଧ ଓ ଅସହାୟ ବ୍ୟକ୍ତିମାନଙ୍କୁ ପୂର୍ବରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ।
ଏହି ସମୀକ୍ଷା ବୈଠକରେ ଉପଜିଲ୍ଲାପାଳ ରାଜ କିଶୋର ଜେନା, ପୁଲିସ ଉପଖଣ୍ଡ ଅଧିକାରୀ ଜନାର୍ଦ୍ଦନ ପାଢ଼ୀ, ତହସିଲଦାର ମନୋଜ ପ୍ରଧାନ, ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରୀତମ କୁମାର ପୋଥାଳ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ମୌସୁମୀ ମିଶ୍ରଙ୍କ ସମେତ ସ୍ୱାସ୍ଥ୍ୟ, କୃଷି ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ନିମାପଡ଼ାରେ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର; ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

















Leave a Reply