ଜଗତସିଂହପୁର/କଟକ, ୩୦ ଜୁଲାଇ: ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ନଦୀ ଗୁଡ଼ିକ ରେ ବଢ଼ୁଥିବା ଜଳସ୍ତର ଯୋଗୁଁ କଟକ ଓ ଜଗତସିଂହପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ଘରେ ପାଣି ପଶିବା ସହ ହେକ୍ଟର ହେକ୍ଟର ଚାଷଜମି ବନ୍ୟାଜଳରେ ବୁଡ଼ି ରହିଛି। ଏହାସହ କେତେକ ପ୍ରମୁଖ ସଡ଼କ ରେ ପାଣି ପ୍ରବାହିତ ହେବାରୁ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି।
ଜଗତସିଂହପୁର ସଦର ବ୍ଲକର ଜହ୍ନାପୁର ପଞ୍ଚାୟତ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ମାନଙ୍କ ମଧ୍ୟରେ ରହିଛି। ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ପ୍ରାୟ ୧୫୦ରୁ ୨୦୦ ପରିବାର ପାଣି ଘେରରେ ଫସି ରହିଛନ୍ତି। ଅନେକ ଘରେ ପାଣି ପଶିଯାଇଥିବା ରୁ ଲୋକମାନେ ଭୟ ଓ ଦୁର୍ଦ୍ଦଶା ମଧ୍ୟରେ ଦିନ କାଟୁଛନ୍ତି।
ସ୍ଥାନୀୟ ବାସିନ୍ଦା ମାନ ଙ୍କ କହିବା ଅନୁଯାୟୀ, ପ୍ରତିବର୍ଷ ବର୍ଷା ଋତୁରେ ଏହି ସମସ୍ୟା ଦେଖା ଦେଉଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇପାରୁ ନାହିଁ। ବାରମ୍ବାର ପ୍ରଶାସନ ଓ ଜନପ୍ରତିନିଧି ଙ୍କୁ ଜଣାଇଥିଲେ ମଧ୍ୟ ଜଳ ନିଷ୍କାସନ ବ୍ୟବସ୍ଥାରେ ସୁଧାର ଆସିନଥିବା ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଛୋଟ ପିଲା, ବୃଦ୍ଧବୃଦ୍ଧା ଓ ଗୃହପାଳିତ ପଶୁମାନେ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଅନ୍ୟପଟେ କଟକ ଜିଲ୍ଲାରେ ମଧ୍ୟ ବନ୍ୟାର ପ୍ରଭାବ ସ୍ପଷ୍ଟ ହୋଇଛି। ମୁଣ୍ଡଳୀ ରେ ୬ ଲକ୍ଷ କ୍ୟୁସେକ ରୁ ଅଧିକ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ବଡ଼ମ୍ବା ମା’ ଭଟ୍ଟାରିକା ମନ୍ଦିର ବେଢ଼ାରେ ବନ୍ୟାଜଳ ପ୍ରବେଶ କରିଛି।
କନ୍ଦରପୁର ଲେବଲ୍ କ୍ରସିଂ ନିକଟରେ ଘାଇ ସୃଷ୍ଟି ହେବାରୁ
କଟକ–ଜଗତସିଂହପୁର ଜାତୀୟ ରାଜପଥ (NH-55) ଉପରେ ପାଣି ପ୍ରବାହିତ ହେଉଛି। ଫଳରେ ଏହି ମୁଖ୍ୟ ସଡ଼କରେ ଯାତାୟାତ ବନ୍ଦ ରହିଥିବାବେଳେ ପୁରୁଣା ରାସ୍ତା ଦେଇ ଗାଡ଼ି ଚଳାଚଳ କରୁଛି। ୨୦ରୁ ଅଧିକ ଗ୍ରାମର ଲୋକ ଏଥିରେ ପ୍ରଭାବିତ ହୋଇଥିବା ସହ ଭାରୀଯାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି।
ବନ୍ୟାଜଳ ଦୀର୍ଘ ସମୟ ଧରି ଚାଷଜମିରେ ଜମି ରହିଥିବାରୁ ଧାନ ଓ ପନିପରିବା ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହେବା ଆଶଙ୍କା କରାଯାଉଛି। ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଥିବାବେଳେ ସ୍ଥାନୀୟ ଲୋକ ଶୀଘ୍ର ଜଳ ନିଷ୍କାସନ, ରିଲିଫ୍ ସହାୟତା ଓ ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି।
— ବିଭୂତି ଟିଭି (Bibhuti TV)

















Leave a Reply