ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ତିର୍ତ୍ତୋଲର ବନ୍ୟାଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ; ପ୍ରଭାବିତଙ୍କୁ ସମସ୍ତ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ

ଜଗତସିଂହପୁର(BT), ୨୯ ଜୁଲାଇ: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ବୁଧବାର ତିର୍ତ୍ତୋଲ ବ୍ଲକର ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି।
ଜିଲ୍ଲାପାଳ ତରଜଙ୍ଗା ପଞ୍ଚାୟତର କୋଟକଣ, ମଣିଜଙ୍ଗା ପଞ୍ଚାୟତର ହରିପୁର ଏବଂ ତିର୍ତ୍ତୋଲ ପଞ୍ଚାୟତର ଆଦିବାସୀ ସାହି ପରିଦର୍ଶନ କରି ପ୍ରଭାବିତ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ପ୍ରଶାସନ ପକ୍ଷରୁ ପ୍ରାୟ ୧୨୦ ଜଣ ପ୍ରଭାବିତଙ୍କୁ ନିକଟସ୍ଥ ଆଶ୍ରୟସ୍ଥଳୀକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିବାବେଳେ ସେଠାରେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ପାନୀୟ ଜଳ, ଆବଶ୍ୟକ ଔଷଧ ଓ ପଲିଥିନ୍ ଆଦି ଯୋଗାଇ ଦିଆଯାଉଛି।
ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରଭାବିତ ଲୋକଙ୍କ ପାଇଁ ସମସ୍ତ ମୌଳିକ ସୁବିଧା ସୁନିଶ୍ଚିତ କରିବା ସହ ଲୋକମାନଙ୍କୁ ଭୟଭୀତ ନହୋଇ ଆଶ୍ରୟସ୍ଥଳୀରେ ସୁରକ୍ଷିତ ଭାବେ ରହିବାକୁ ସଚେତନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ପ୍ରଭାବିତ ପରିବାରଙ୍କ ଗୃହପାଳିତ ପଶୁପକ୍ଷୀଙ୍କୁ ତୁରନ୍ତ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରିବା, ସେମାନଙ୍କ ପାଇଁ ଗୋଖାଦ୍ୟ, ପାନୀୟ ଜଳ ଓ ଆବଶ୍ୟକ ଔଷଧର ବ୍ୟବସ୍ଥା କରିବାକୁ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଏହାସହ ବର୍ଷାଜନିତ ଫସଲ କ୍ଷୟକ୍ଷତିର ଆକଳନ କରି ଶୀଘ୍ର ରିପୋର୍ଟ ଦାଖଲ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେବା ସହ ତିର୍ତ୍ତୋଲର ଆଦିବାସୀ ସାହି ନିକଟସ୍ଥ ଅଞ୍ଚଳରେ ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ଏକ ଡ୍ରେନେଜ୍ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଏହି ପରିଦର୍ଶନ ସମୟରେ ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ବିଡିଓ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *