ନିମାପଡ଼ା: ନିମାପଡ଼ା ତହସିଲ ଅଧୀନସ୍ଥ ପାଟପୁର ଓ ବାମନାଳ ରାଜସ୍ୱ ନିରୀକ୍ଷକ ପରିସର ଅନ୍ତର୍ଗତ ଧନୂଆ ଓ ମୂଗେଇ ନଦୀର ଉପନାଳ ଡି.ସି.-୧୫ ଏବଂ ଡି.ସି.-୧୬ର ବନ୍ଧବାଡ଼ରେ ବେଆଇନ ଭାବେ ବୃକ୍ଷରୋପଣ ଓ ଘଞ୍ଚ ଜଙ୍ଗଲ ସୃଷ୍ଟି ହେବାରୁ ଲଗାଣ ବର୍ଷା ଏବଂ ବନ୍ୟାଜଳର ସ୍ୱାଭାବିକ ନିଷ୍କାସନ ଗୁରୁତର ଭାବେ ବ୍ୟାହତ ହୋଇଥିବା ଅଭିଯୋଗ ହୋଇଛି।
ଏହି ଉପନାଳଗୁଡ଼ିକର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ଦାୟିତ୍ୱ ଜଳସେଚନ ଏବଂ ଜଳ ନିଷ୍କାସନ ବିଭାଗ ଅଧୀନରେ ରହିଥିବା ବେଳେ ସମ୍ପୂର୍ଣ୍ଣ ତଦାରଖ ଦାୟିତ୍ୱ ନିମାପଡ଼ା ତହସିଲଦାରଙ୍କ ଉପରେ ନ୍ୟସ୍ତ ରହିଛି। ତେବେ ଦୀର୍ଘଦିନ ଧରି ଯଥୋଚିତ ରକ୍ଷଣାବେକ୍ଷଣର ଅଭାବ ଓ ବେଆଇନ ବୃକ୍ଷରୋପଣ ଯୋଗୁଁ ଉପନାଳଗୁଡ଼ିକରେ ଜଳ ପ୍ରବାହ ବାଧାପ୍ରାପ୍ତ ହେଉଛି।
ଫଳସ୍ୱରୂପ ଅନ୍ତୁଆର, ଧଳେଶ୍ୱର, ସଲଙ୍ଗ, ବାମନାଳ, ରାହାଙ୍ଗଗୋରଡ଼ା, ଡଭାର ସମେତ ପ୍ରାୟ ସାତଟି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମିରୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନାହିଁ। ଏହାର ପ୍ରଭାବରେ ଚାଷୀମାନେ ତଳି ପ୍ରସ୍ତୁତି, ଧାନ ରୁଆ ଓ ଅନ୍ୟାନ୍ୟ କୃଷି କାର୍ଯ୍ୟ ଆରମ୍ଭ କରିପାରୁ ନଥିବାରୁ ବ୍ୟାପକ କ୍ଷତି ସମ୍ମୁଖୀନ ହେଉଛନ୍ତି।
ଏନେଇ ପୁରୀ ଜିଲ୍ଲା ନୀଳାଚଳ କୃଷକ ମହାସଂଘର ସମ୍ପାଦକ ବିପ୍ରବର ପାତ୍ର, ବ୍ଲକ୍ ସଭାପତି ଦିବାକର ନାୟକ, ଧରଣୀଧର ମହାପାତ୍ର, ସନ୍ତୋଷ ପରିଡ଼ା ଓ ସହ-ସମ୍ପାଦକ ଚନ୍ଦ୍ରକାନ୍ତ ରାଉତ ପ୍ରମୁଖ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ମହାସଂଘ ପକ୍ଷରୁ ଦାବି କରାଯାଇଛି ଯେ, ନିମାପଡ଼ା ତହସିଲ ପ୍ରଶାସନ ଓ ଜଳସେଚନ ବିଭାଗ ତୁରନ୍ତ ଉପନାଳଗୁଡ଼ିକର ସ୍ଥିତି ପରିଦର୍ଶନ କରି ବେଆଇନ ବୃକ୍ଷରୋପଣ ଓ ଘଞ୍ଚ ଜଙ୍ଗଲ ହଟାଇ ଜଳ ନିଷ୍କାସନ ବ୍ୟବସ୍ଥା ସ୍ୱାଭାବିକ କରିବା ସହ ଚାଷୀମାନଙ୍କ ସ୍ୱାର୍ଥରେ ଜରୁରୀ ପଦକ୍ଷେପ ଗ୍ରହଣ କରନ୍ତୁ। ଏହି ସମ୍ପର୍କରେ ପୁରୀ ଜିଲ୍ଲାପାଳ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଯାଇଥିବା ଜଣାପଡ଼ିଛି।
– ବିଭୂତି ଟିଭି (Bibhuti TV)
ଧନୂଆ ଓ ମୂଗେଇ ନଦୀର ଉପନାଳରେ ଘଞ୍ଚ ଜଙ୍ଗଲ ସୃଷ୍ଟି ଯୋଗୁଁ ଜଳ ନିଷ୍କାସନ ବ୍ୟାହତ; ହଜାର ହଜାର ହେକ୍ଟର ଚାଷଜମି ପ୍ରଭାବିତ

















Leave a Reply