ଭୁବନେଶ୍ବର: ଲୋକାର୍ପିତ ହେଲା ଓଡ଼ିଶା ଯାତ୍ରୀ ସରକାରୀ ଆପ । ଏଠି ଗୋଟିଏ କ୍ଲିକ୍ରେ ଉପଲବ୍ଧ ହେବ ଯାତ୍ରା ସୁରକ୍ଷା ଓ ଜରୁରୀ ସହାୟତା । ଏହି ସୁରକ୍ଷା ମଡ୍ୟୁଲ୍ ଓଡ଼ିଆ ଓ ଇଂରାଜୀ ଉଭୟ ଭାଷାରେ ଉପଲବ୍ଧ ହେବ। ଡିଜିଟାଲ୍ ଶାସନରେ ଆଉ ଏକ ବଡ଼ ପଦକ୍ଷେପ। ଗମନାଗମନ ସହ ନାଗରିକ ସୁରକ୍ଷାକୁ ଏକାଠି କରି ଦେଶରେ ପ୍ରଥମ ଥର ପାଇଁ ଏକ ସମନ୍ୱିତ ସରକାରୀ ପ୍ଲାଟଫର୍ମ ଆଣିଛି ଓଡ଼ିଶା। ‘ଓଡ଼ିଶା ଯାତ୍ରୀ’ ଆପ୍ରେ ଯୋଡ଼ାଯାଇଛି ଅତ୍ୟାଧୁନିକ ସୁରକ୍ଷା ମଡ୍ୟୁଲ୍, ଯାହା ସିଧାସଳଖ ଓଡ଼ିଶା ପୋଲିସ୍ ଏବଂ ଜରୁରୀକାଳୀନ ସେବା ୧୧୨ ସହ ସଂଯୁକ୍ତ।
‘ଓଡ଼ିଶା ଯାତ୍ରୀ’ ଆପ୍ରେ ଉନ୍ନତ ସୁରକ୍ଷା ମଡ୍ୟୁଲ୍ ଯୋଡ଼ି ଏହାକୁ ଦେଶର ପ୍ରଥମ ସରକାରୀ ସମନ୍ୱିତ ଗମନାଗମନ ଓ ନାଗରିକ ସୁରକ୍ଷା ପ୍ଲାଟଫର୍ମରେ ପରିଣତ କରାଯାଇଛି। ଏହା ମାଧ୍ୟମରେ ରାଜ୍ୟ ସରକାର ସ୍ମାର୍ଟ, ସୁରକ୍ଷିତ ଓ ନାଗରିକ-କେନ୍ଦ୍ରିକ ଡିଜିଟାଲ୍ ଶାସନ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପୂର୍ବରୁ ଏହି ଆପ୍ରେ ଅଟୋ ଓ କ୍ୟାବ୍ ବୁକିଂ, ‘ଆମ ବସ୍’ର ଟିକେଟିଂ ଓ ସୂଚନା, ବୋଟିଂ ସେବା ଭଳି ବିଭିନ୍ନ ଗମନାଗମନ ସୁବିଧା ଉପଲବ୍ଧ ଥିଲା। ଏବେ ସେଥିରେ ବ୍ୟକ୍ତିଗତ ସୁରକ୍ଷା ବ୍ୟବସ୍ଥା ଯୋଡ଼ାଯାଇଛି। ଫଳରେ ସାଧାରଣ ଲୋକ ଏକାଧାରରେ ଯାତ୍ରା ଓ ସୁରକ୍ଷା ସେବା ପାଇପାରିବେ।
ନୂଆ ସୁରକ୍ଷା ମଡ୍ୟୁଲ୍କୁ ଓଡ଼ିଶା ପୋଲିସ୍ ଓ ଜରୁରୀକାଳୀନ ସେବା ‘୧୧୨’ ସହ ସଂଯୋଗ କରାଯାଇଛି। ଜରୁରୀ ସ୍ଥିତିରେ ଗୋଟିଏ ଟ୍ୟାପ୍ରେ SOS ପଠାଇ ଉପଭୋକ୍ତା ନିଜର ଲାଇଭ୍ ଲୋକେସନ୍ ପୋଲିସ୍ ଓ ପରିବାର ସଦସ୍ୟଙ୍କ ପାଖକୁ ପଠାଇପାରିବେ। ଏହା ଦ୍ୱାରା ତୁରନ୍ତ ପ୍ରଶାସନିକ ସହାୟତା ମିଳିବା ସମ୍ଭବ ହେବ।
କେବଳ ତାହା ନୁହେଁ, ମୋବାଇଲ୍ ସ୍କ୍ରିନ୍ ବ୍ୟବହାର କରିବା ସମ୍ଭବ ନହେଲେ ମଧ୍ୟ ସହାୟତା ମାଗିହେବ। ଆଣ୍ଡ୍ରଏଡ୍ ଫୋନ୍କୁ ହଲାଇ କିମ୍ବା ଆଇଫୋନ୍ର ପଛପଟକୁ ଟ୍ୟାପ୍ କରି ‘ଜେସ୍ଚର-ଟ୍ରିଗର୍ଡ SOS’ ସକ୍ରିୟ କରାଯାଇପାରିବ। ଏହା ସହ ରହିଛି ରିୟଲ୍-ଟାଇମ୍, ଲୋକେସନ୍ ସେୟାରିଂ, ଇମରଜେନ୍ସି ସାଇରନ୍ ଏବଂ ଆମ୍ବିଏଣ୍ଟ ଅଡିଓ ରେକର୍ଡିଂ ଭଳି ଅତ୍ୟାଧୁନିକ ବ୍ୟବସ୍ଥା।
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ‘ନାଗରିକ ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଆବଶ୍ୟକ ସମୟରେ ପ୍ରତ୍ୟେକ ନାଗରିକଙ୍କୁ ନିର୍ଭରଯୋଗ୍ୟ ସହାୟତା ପହଞ୍ଚାଇବା ହିଁ ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ। ପ୍ରଯୁକ୍ତି ମାଧ୍ୟମରେ ସରକାରୀ ସେବାକୁ ଆହୁରି ପ୍ରତିକ୍ରିୟାଶୀଳ ଓ ସହଜ କରାଯାଉଛି। ଆଗାମୀ ଦିନରେ ଆନ୍ତଃସହର ବସ୍ ଟିକେଟିଂ, ପର୍ଯ୍ୟଟନ ସ୍ଥଳୀର ଡିଜିଟାଲ୍ ଟିକେଟିଂ ସମେତ ଅନ୍ୟାନ୍ୟ ସରକାରୀ ସେବାକୁ ମଧ୍ୟ ଏହି ଆପ୍ରେ ସାମିଲ କରାଯିବ। ସରକାରଙ୍କ ଲକ୍ଷ୍ୟ ହେଉଛି ‘ଓଡ଼ିଶା ଯାତ୍ରୀ’କୁ ଦେଶର ପ୍ରଥମ ସରକାରୀ ‘ସୁପର ଆପ୍’ ଭାବେ ବିକଶିତ କରିବା।‘

















Leave a Reply