ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

“ରାଜନୀତିକ ହସ୍ତକ୍ଷେପକୁ ଖାତିର ନକରି ଗରିବଙ୍କ କଲ୍ୟାଣକୁ ଗୁରୁତ୍ୱ ଦିଅନ୍ତୁ ଅଧିକାରୀ”

ନିମାପଡ଼ା (BT)୨୭.୦୨.୨୦୨୬: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ନିମାପଡ଼ା ନିର୍ବାଚନମଣ୍ଡଳୀର ସରକାରୀ ଅଧିକାରୀଙ୍କ ପାଇଁ ଅନୁଷ୍ଠିତ ସମୀକ୍ଷା ଓ ପରାମର୍ଶ ବୈଠକରେ ଯୋଗଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ରାଜନୀତିକ ହସ୍ତକ୍ଷେପ ବିକାଶରେ ବାଧକ ସାଜିଥାଏ । ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ୱୟନର ବାଧକ ସାଜୁଥିବା ଏପରି ହସ୍ତକ୍ଷେପକୁ ନଶୁଣି ଗରିବଙ୍କୁ ନ୍ୟାୟ ପ୍ରଦାନ ପ୍ରତି ଗୁରୁତ୍ୱ ଦେବାକୁ ସେ ଏହି ଅବସରରେ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ବିିଭନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମଗୁଡ଼ିକର ଶତ ପ୍ରତିଶତ କ୍ରିୟାନ୍ୱୟନ ବାବଦରେ ଆଲୋକପାତ କରିବା ସହ ସେ କହିଥିଲେ, “୨୦୩୬ ମସିହା ଏବଂ ୨୦୪୭ ମସିହା ସୁଦ୍ଧା ବିକଶିତ ଓଡ଼ିଶା ଓ ବିକଶିତ ଭାରତର ଲକ୍ଷ୍ୟ ରହିଛି । ଯୁବକଙ୍କୁ ରୋଜଗାର, ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଏବଂ ଅନ୍ନଦାତାଙ୍କ ଆୟ ବଢ଼ାଇବା ଏବଂ ଜନସାଧାରଣଙ୍କ ସମସ୍ତ ମୌଳିକ ସମସ୍ୟାର ତ୍ୱରିତ ସମାଧାନ ଭଳି ଅନେକ ଲକ୍ଷ୍ୟ ସହ ଆମେ ଆଗକୁ ବଢ଼ୁଛେ । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଅଧିକାରୀଗଣ ନିଜ ନିଜ ସ୍ତରରେ ଦୃଢ଼ ସଂକଳ୍ପର ସହ କାର୍ଯ୍ୟ କରିବା ପାଇଁ ଏହି ଅବସରରେ ଆହ୍ୱାନ ଦେଉଛି । ”

ଏହି ଅବସରରେ ସେ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଦୁଇ ଚକିଆ ଯାନରେ ମଶାଧୂଆଁ ଯନ୍ତ୍ରର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଛୋଟ ଛୋଟ ଗଳିରେ ମଧ୍ୟ ଏହି ଦୁଇ ଚକିଆ ଯାନରେ ମଶାଧୂଆଁ ଯନ୍ତ୍ର ପହଞ୍ଚିବା ସହ ମଶା ନିୟନ୍ତ୍ରଣ କରାଯାଇପାରିବ ବୋଲି ସେ ଏହି ଅବସରରେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ଵ) ଶରତ ଚନ୍ଦ୍ର ମହାପାତ୍ର, ପୁରୀ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଉପଜିଲ୍ଲାପାଳ ରାଜ କିଶୋର ଜେନା, ନିମାପଡ଼ା ବ୍ଲକ୍‌ ଉନ୍ନୟନ ଅଧିକାରୀ ଡଃ ଅଭିଜିତ ଷଡ଼ଙ୍ଗୀ ଏବଂ ନିମାପଡ଼ା ନିର୍ବାଚନମଣ୍ଡଳୀର ଅନ୍ୟ ସମସ୍ତ ଅଧିକାରୀଗଣ ଉପସ୍ଥିତ ଥିଲେ ।

ଆଜି ସେ ନିମାପଡ଼ା ବ୍ଲକ୍‌ର ବିଷ୍ଣୁପୁର ଗ୍ରାମରେ ଅବସ୍ଥିତ ପ୍ରାଚୀନ ଶୈବପୀଠ ଶ୍ରୀ ସୋମନାଥ ମହାଦେବ ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ । ଏହି ଅବସରରେ ସେ ବାବା ସୋମନାଥଙ୍କ ଦର୍ଶନ କରିବା ସହ ଏହି ମନ୍ଦିରର ବିକାଶ ପାଇଁ ସ୍ଥିତି ସମୀକ୍ଷା କରିଥିଲେ । ଏହି ପ୍ରାଚୀନ ମନ୍ଦିରର ପୁନରୁଦ୍ଧାର ସହ ଉତ୍କଳୀୟ କାରୁକାର୍ଯ୍ୟର ପ୍ରତୀକ ପ୍ରାଚୀନ ମୂର୍ତ୍ତିଗୁଡ଼ିକର ସୁବ୍ୟବସ୍ଥିତ ସଂରକ୍ଷଣ ପାଇଁ ସେ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *