ନିମାପଡ଼ା ବ୍ଲକ ଚଅଁରପଦା ପଞ୍ଚାୟତ ଡିହବାରି ଗ୍ରାମର ହରିହର ପଟ୍ଟନାୟକ। ହଠାତ୍ ଦେହ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ମେଡିକାଲ୍ ଯାଇଥିଲେ। ଚିକିତ୍ସା ସମୟରେ ଜାଣିବାକୁ ପାଇଲେ ତାଙ୍କର ହାର୍ଟ ସମସ୍ୟା ରହିଛି। ଡାକ୍ତର ମଧ୍ୟ ତାଙ୍କୁ ତୁରନ୍ତ ଅପରେସନ ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଅପରେସନ ପାଇଁ ତାଙ୍କ ପାଖରେ ସମ୍ବଳ ନଥିଲା। ରାଶନ କାର୍ଡରେ ନାଁ ନଥିବାରୁ ସ୍ବାସ୍ଥ୍ୟ କାର୍ଡ ମଧ୍ୟ ତାଙ୍କ ପାଖରେ ନଥିଲା।ଧାର ଉଧାର କରି ନିଜର ଚିକିତ୍ସା କରୁଥିବା ସମୟରେ ଶେଷରେ ନିରାଶ ହୋଇ ଚଅଁରପଦା ପଞ୍ଚାୟତର ସରପଞ୍ଚ ତପନ ମଲ୍ଲିକଙ୍କୁ ନିଜର ଦୁଃଖ ଜଣାଇଥିଲେ। ସରପଞ୍ଚ ମଧ୍ୟ ତାଙ୍କ ସମସ୍ୟାକୁ ଗୁରୁତ୍ବ ଦେଇ ତୁରନ୍ତ ତାଙ୍କର ରାସନ୍ କାର୍ଡ କରିବା ସହିତ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କୁ ତାଙ୍କର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ପରେ ପରେ ହରିହର ଙ୍କୁ ତୁରନ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବା ସହିତ ତାଙ୍କର ହାର୍ଟ ବାଇପାସ୍ ସର୍ଜରୀ ସଫଳ ହୋଇଥିଲା। ଏଥିସହିତ ସରକାରଙ୍କ ତରଫରୁ ତାଙ୍କୁ ଦୁଇ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ନିମାପଡ଼ା ର ତହସିଲଦାର ମନୋଜ ପ୍ରଧାନ, ସ୍ଥାନୀୟ ସରପଞ୍ଚ ତପନ ମଲ୍ଲିକ, ନିମାପଡ଼ା ବିଜେପି ମଣ୍ଡଳ ସଭାପତି ସତ୍ୟ ଭୁଷଣ ସ୍ବାଇଁ ଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କ ସ୍ବତନ୍ତ୍ର ପ୍ରତିନିଧି ଶ୍ରୀଯୁକ୍ତ ଅମୁଲ୍ୟ ପରିଡ଼ା ପ୍ରମୁଖ ଆଜି ସନ୍ଧ୍ୟାରେ ହରିହର ଙ୍କ ବାସଭବନ କୁ ଯାଇ ଦୁଇ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ତାଙ୍କୁ ପ୍ରଦାନ କରିଥିଲେ।
ସାଧାରଣ ଲୋକଙ୍କର ଘରେ ପହଞ୍ଚି ସହାୟତା ଯୋଗାଇ ଦେଇଥିବାରୁ ହରିହର ଙ୍କ ଗ୍ରାମବାସୀଙ୍କ ସମେତ ଆଖପାଖ ଅଞ୍ଚଳବାସୀ ସରକାର ଏବଂ ପଞ୍ଚାୟତର ସରପଞ୍ଚ ଙ୍କୁ ଅନେକ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି।
ହାର୍ଟ ଅପରେସନ ପାଇଁ ମିଳିଲା ଆର୍ଥିକ ସହାୟତା, ଖୁସି ହୋଇ ଉପ ମୂଖ୍ୟ ମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ୍।

















Leave a Reply