ଜାଗ୍ରତ ଯୁବଶକ୍ତି ପକ୍ଷରୁ ସ୍ଥିତି ଅନୁଧ୍ୟାନ, ଆବାସ ଯୋଗାଇଦେବାକୁ ପ୍ରଶାସନ ନିକଟରେ ଦାବି
ନିମାପଡ଼ା/ଗୋପ: ସ୍ୱାଧୀନତାର ୮୦ ବର୍ଷ ପରେ ମଧ୍ୟ ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କେତେକ ଅଞ୍ଚଳରେ ଲୋକମାନେ ଭଙ୍ଗା ଚାଳିଆ ଓ ଝାଟିମାଟି ଘରେ ପାଲ ଟାଣି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଥିବା ଖବର ପାଇ ଜାଗ୍ରତ ଯୁବଶକ୍ତି ସଂଗଠନର ଏକ ପ୍ରତିନିଧି ଦଳ ଗୋପ ବ୍ଲକ ଅନ୍ତର୍ଗତ ନାଗପୁର ପଞ୍ଚାୟତରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି।
ନାଗପୁର ପଞ୍ଚାୟତର ନେତପୁର, ମାଳିସାହି ଆଦି ଗ୍ରାମରେ ପହଞ୍ଚି ଜାଗ୍ରତ ଯୁବଶକ୍ତିର ପ୍ରତିନିଧିମାନେ ସ୍ୱର୍ଣ୍ଣଲତା ବେହେରା, ରାନୁଲତା ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ପରିବାରଙ୍କ ସହ ଆଲୋଚନା କରିଥିଲେ। ଭଙ୍ଗା ଚାଳ ଛପର ଘରେ ଶିଶୁ, ମହିଳା ଓ ବୟସ୍କମାନେ କିପରି ଜୀବନଯାପନ କରୁଛନ୍ତି, ସେ ସମ୍ପର୍କରେ ସଂଗଠନ ପକ୍ଷରୁ ତଥ୍ୟ ସଂଗ୍ରହ କରାଯାଇଥିଲା।
ଏହି ଅବସରରେ ସମ୍ପୃକ୍ତ ପରିବାରଗୁଡ଼ିକ କେବେଠାରୁ ଆବାସ ଯୋଜନା ପାଇଁ ଆବେଦନ କରିଛନ୍ତି, ସରକାରୀ ସ୍ତରରେ ଘରର ଯୋଗ୍ୟତା ନିରୀକ୍ଷଣ ହୋଇଛି କି ନାହିଁ ଏବଂ ଆବାସ ଯୋଜନାରେ ସେମାନଙ୍କ ନାମ ସାମିଲ ହୋଇଛି କି ନାହିଁ, ସେନେଇ ପଚାରି ବୁଝାଯାଇଥିଲା।
ଜାଗ୍ରତ ଯୁବଶକ୍ତିର ଆବାହକ ଆଦର୍ଶ ଦାଶ, ସଂଯୋଜକ ସମୀର ରଞ୍ଜନ ରାଉତରାୟ, ମୁଖ୍ୟ ଉପଦେଷ୍ଟା ଅଜୟ କୁମାର ମିଶ୍ର, ଗୋପ ବ୍ଲକ ସଂଗଠକ ସନ୍ତୋଷ କୁମାର ନାୟକଙ୍କ ସମେତ ସ୍ଥାନୀୟ ଲୋକପ୍ରତିନିଧିମାନେ ଏହି ଅନୁଧ୍ୟାନରେ ସାମିଲ ହୋଇଥିଲେ।
ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଯେଉଁ ପରିବାରଗୁଡ଼ିକ ପ୍ରକୃତରେ ଆବାସ ପାଇଁ ଯୋଗ୍ୟ, ସେମାନଙ୍କ ସବିଶେଷ ତଥ୍ୟ ସଂଗ୍ରହ କରାଯାଇ ଆସନ୍ତା କାର୍ଯ୍ୟଦିବସରେ ଗୋପ ବ୍ଲକ ପ୍ରଶାସନ ନିକଟରେ ବିଧିବଦ୍ଧ ଭାବେ ଦାବିପତ୍ର ପ୍ରଦାନ କରାଯିବ। ଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ଯୋଜନାରେ ଘର ଯୋଗାଇଦେବା ସହ ସେମାନଙ୍କ ସମସ୍ୟାର ଶୀଘ୍ର ସମାଧାନ ପାଇଁ ପ୍ରଶାସନ ନିକଟରେ ଦାବି କରାଯିବ ବୋଲି ଜାଗ୍ରତ ଯୁବଶକ୍ତି ପକ୍ଷରୁ ପ୍ରକାଶ କରାଯାଇଛି।
— ବିଭୂତି ଟିଭି (Bibhuti TV)
















Leave a Reply