ଭାରତଛାଡ଼ ଆନ୍ଦୋଳନରେ ନିମାପଡ଼ା ର ଅବଦାନ ସ୍ମରଣ
ନିମାପଡ଼ା, ୧୬/୯ (ବିଭୂତି ଟିଭି):
ନିମାପଡ଼ା ଥାନା ଶହିଦୀପଡ଼ିଆସ୍ଥିତ ଶହୀଦ ସ୍ତମ୍ଭ ନିକଟରେ ଆଜି ଶହୀଦ ଦିବସ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି। ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଶହୀଦ ସ୍ମୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିମାପଡ଼ାର ସ୍ୱାଧୀନତା ସଂଗ୍ରାମର ଗୌରବମୟ ଇତିହାସକୁ ସ୍ମରଣ କରାଯାଇଥିଲା।
ପୁରୀ ଜିଲ୍ଲା ପକ୍ଷରୁ ସ୍ୱତନ୍ତ୍ର ବାହିନୀର ଯବାନମାନେ ଶହୀଦ ଉଛବ ମଲ୍ଲିକ ଙ୍କ ସ୍ମୃତିରେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ବିଶିଷ୍ଟ ସମାଜ ନିର୍ମାତା ତଥା ପୂର୍ବତନ ରାଜ୍ୟ ସୂଚନା ଆୟୋଗ ସଦସ୍ୟ ଶ୍ରୀ ଜଗଦାନନ୍ଦ ଯୋଗଦେଇ ନିମାପଡ଼ାର ସ୍ୱାଧୀନତା ସଂଗ୍ରାମର ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ।
ସେ କହିଥିଲେ, ୧୯୪୨ ମସିହାର ଭାରତଛାଡ଼ ଆନ୍ଦୋଳନ ସମୟରେ ପୁରୀ ଜିଲ୍ଲାର ନିମାପଡ଼ା ଅଞ୍ଚଳରୁ ହଜାର ହଜାର ଚାଷୀ, ମୂଲିଆ, ଶ୍ରମିକ, ଛାତ୍ର ଓ ବୁଦ୍ଧିଜୀବୀ ମହାତ୍ମା ଗାନ୍ଧୀଙ୍କ ‘କର ବା ମର’ ଆହ୍ୱାନରେ ଅନୁପ୍ରାଣିତ ହୋଇ ଆନ୍ଦୋଳନରେ ସାମିଲ ହୋଇଥିଲେ। ନିମାପଡ଼ା ଥାନା ଦଖଲ ଉଦ୍ଦେଶ୍ୟରେ ଯାଇଥିବା ସମୟରେ ୨୦ ଜଣ ସଂଗ୍ରାମୀ ପୋଲିସ ଗୁଳିର ଶିକାର ହୋଇଥିବା ବେଳେ ସଂଗ୍ରାମୀ ଉତ୍ସବ ମଲ୍ଲିକ ଶହୀଦ ହୋଇଥିଲେ। ଏହି ଆନ୍ଦୋଳନ ସମୟରେ ପ୍ରାୟ ୩୬ ଜଣ ସଂଗ୍ରାମୀଙ୍କୁ ପୋଲିସ ଗିରଫ କରି ପୁରୀ ଜେଲ୍ରେ ରଖିଥିଲା ବୋଲି ସେ ସୂଚନା ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ବରିଷ୍ଠ ଐତିହାସିକ ତଥା ଶିକ୍ଷାବିତ୍ ଶ୍ରୀ ଯୋଗେନ୍ଦ୍ର ଚନ୍ଦ୍ର ମିଶ୍ର ଯୋଗଦେଇ ନିମାପଡ଼ାର ସ୍ୱାଧୀନତା ଆନ୍ଦୋଳନର ଅବଦାନ ବିଷୟରେ ଆଲୋଚନା କରିଥିଲେ। ଭାରତଛାଡ଼ ଆନ୍ଦୋଳନ ଆରମ୍ଭ ହେବା ସହିତ ନିମାପଡ଼ାରେ ଆନ୍ଦୋଳନ ତୀବ୍ର ହୋଇଥିଲା। ସଂଗ୍ରାମୀ ନେତା ମୋହନ ଦାସ ଆନ୍ଦୋଳନ ପୂର୍ବରୁ ବନ୍ଦୀ ହୋଇଯିବା ପରେ ପଦ୍ମଚରଣ ସାମନ୍ତସିଂହାରଙ୍କ ନେତୃତ୍ୱରେ ଆନ୍ଦୋଳନ ଆଗକୁ ବଢ଼ିଥିଲା ବୋଲି ସେ କହିଥିଲେ।
ଶହୀଦ ସ୍ମୃତି ସଂସଦର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସମୀର ଦାଶ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ସମ୍ପାଦକ ଡ. ବେଣୁଧର ସେନାପତି ଓ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସାହୁ ଓ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।
ଶହୀଦ ଦିବସ ଅବସରରେ ସକାଳୁ ପ୍ରଭାତ ଫେରି ଓ ରାମଧୂନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସକାଳ ୮ଟାରେ ନିମାପଡା ର ସଂଗ୍ରାମୀ ଓ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।
ଅପରାହ୍ନ ୨ଟାରେ ଶହୀଦ ଗ୍ରାମ କେଉଟତୋଟାରୁ ମଶାଲ ଶୋଭାଯାତ୍ରା ବାହାରି ଗଡ଼ଅଣ୍ଡିଆସ୍ଥିତ ଗାନ୍ଧୀ ପୀଠରେ ପହଞ୍ଚିଥିଲା। ସେଠାରୁ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରି ଶହୀଦ ସ୍ତମ୍ଭ ନିକଟରେ ପହଞ୍ଚିଥିଲା। ପରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।
















Leave a Reply