ଜାତିସଂଘର ଐତିହାସିକ ନିଷ୍ପତ୍ତିକୁ ରୁଚିକା ସମାଜ ମଙ୍ଗଳ ସଂଗଠନର ସ୍ୱାଗତ
ପୁରୀ: (BT)ବାଲ୍ୟ, ଅଳ୍ପ ବୟସ ଓ ବାଧ୍ୟତାମୂଳକ ବିବାହ ଉଚ୍ଛେଦ ପାଇଁ ନଭେମ୍ବର ୨୭ ତାରିଖକୁ ଆନ୍ତର୍ଜାତିକ ଦିବସ ଭାବେ ଘୋଷଣା କରିବା ଜାତିସଂଘର ଐତିହାସିକ ନିଷ୍ପତ୍ତିକୁ ପୁରୀ ଜିଲ୍ଲାରେ ଶିଶୁ ବିବାହ ବିରୋଧୀ ଅଭିଯାନରେ ସକ୍ରିୟ ରୁଚିକା ସମାଜ ମଙ୍ଗଳ ସଂଗଠନ ସ୍ୱାଗତ କରିଛି।
ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼. ବେଣୁଧର ସେନାପତି କହିଛନ୍ତି ଯେ, ‘ଜଷ୍ଟ ରାଇଟ୍ସ ଫର ଚିଲଡ୍ରେନ’ (JRC) ନେତୃତ୍ୱାଧୀନ ଶିଶୁ ବିବାହ ବିରୋଧୀ ଅଭିଯାନକୁ ଜାତିସଂଘର ଏହି ସ୍ୱୀକୃତି ବିଶ୍ୱସ୍ତରରେ ଏକ ବଡ଼ ସଫଳତା। ରୁଚିକା ଏହି ନେଟୱର୍କର ଏକ ସହଯୋଗୀ ସଂଗଠନ ଭାବେ ଦୀର୍ଘଦିନ ଧରି ଶିଶୁ ବିବାହ ରୋକିବା ଦିଗରେ କାର୍ଯ୍ୟ କରିଆସୁଛି।
ସେ କହିଛନ୍ତି, ଭାରତରୁ ଉଠିଥିବା ଶିଶୁ ବିବାହ ବିରୋଧୀ ସ୍ୱର ଆଜି ବିଶ୍ୱସ୍ତରୀୟ ସଂକଳ୍ପରେ ପରିଣତ ହୋଇଛି। ୨୦୨୪ ନଭେମ୍ବର ୨୭ରେ ଭାରତ ସରକାର ଓ JRC ସହଯୋଗୀ ସଂଗଠନମାନଙ୍କ ପକ୍ଷରୁ ‘ବାଲ୍ୟ ବିବାହ ମୁକ୍ତ ଭାରତ’ ଅଭିଯାନ ଆରମ୍ଭ ହୋଇଥିବାରୁ ଏହି ତାରିଖର ବିଶେଷ ଗୁରୁତ୍ୱ ରହିଛି।
ରୁଚିକାର ଜିଲ୍ଲା ସଂଯୋଜକ ଶ୍ରୀ ହେମନ୍ତ କୁମାର ଦାସଙ୍କ ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ପ୍ରଶାସନର ସହଯୋଗରେ ରୁଚିକା ସମାଜ ମଙ୍ଗଳ ସଂଗଠନ ୧,୯୫୩ଟି ବାଲ୍ୟ ବିବାହ ରୋକିବାରେ ସଫଳ ହୋଇଛି। ଏଥିସହ ୭,୦୦୦ ଗରିବ ପରିବାରକୁ ବିଭିନ୍ନ ସରକାରୀ ଯୋଜନା ସହ ଯୋଡ଼ାଯାଇଥିବାବେଳେ ୨ ଲକ୍ଷ ୪୮ ହଜାରରୁ ଅଧିକ ଲୋକଙ୍କୁ ବାଲ୍ୟ ବିବାହମୁକ୍ତ ଭାରତ ଗଠନ ପାଇଁ ଶପଥ ଗ୍ରହଣ କରାଯାଇଛି।
ଏହି ଆନ୍ତର୍ଜାତିକ ସ୍ୱୀକୃତି ପଛରେ JRCର ପ୍ରତିଷ୍ଠାତା ଶ୍ରୀ ଭୁବନ ଋଭୁଙ୍କ ଅବଦାନକୁ ମଧ୍ୟ ସଂଗଠନ ପକ୍ଷରୁ ସ୍ମରଣ କରାଯାଇଛି। ଶିଶୁ ବିବାହ ଉଚ୍ଛେଦ ପାଇଁ ଏକ ସ୍ୱତନ୍ତ୍ର ଆନ୍ତର୍ଜାତିକ ଦିବସ ଘୋଷଣା କରିବାକୁ ସେ ଆନ୍ତର୍ଜାତିକ ସ୍ତରରେ ଦୀର୍ଘଦିନ ଧରି ଦାବି ଉଠାଇଆସିଥିଲେ।
ସଂଗଠନର ସମ୍ପାଦକ ଶ୍ରୀ ଉମାଶଙ୍କର ଷଡ଼ଙ୍ଗୀ କହିଛନ୍ତି ଯେ, JRCର ସହଯୋଗୀ ସଂଗଠନଗୁଡ଼ିକ ଦେଶର ବିଭିନ୍ନ ରାଜ୍ୟ ଓ ଜିଲ୍ଲାରେ ସରକାରଙ୍କ ସହ ମିଶି ଶିଶୁ ବିବାହ ରୋକିବା ପାଇଁ କାର୍ଯ୍ୟ କରୁଛନ୍ତି। ସାମୂହିକ ପ୍ରୟାସରେ ଦେଶରେ ୫.୫ ଲକ୍ଷରୁ ଅଧିକ ଶିଶୁ ବିବାହ ରୋକାଯାଇଥିବା ସେ ସୂଚନା ଦେଇଛନ୍ତି।
ନଭେମ୍ବର ୨୭କୁ ଆନ୍ତର୍ଜାତିକ ଦିବସ ଘୋଷଣା ଶିଶୁ ବିବାହ ବିରୋଧରେ ବିଶ୍ୱବ୍ୟାପୀ ଜନସଚେତନତା ଓ ଜନଆନ୍ଦୋଳନକୁ ଆହୁରି ମଜବୁତ କରିବ ବୋଲି ରୁଚିକା ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
















Leave a Reply