:- ଡଃ ରବିନ୍ଦ୍ରନାଥ ପାଢୀ
ପୁଣ୍ଯ ମାଟି ଇଏ ଓଡିଶା ମାଟି ମୋ
କରଇ କୋଟି ଜୁହାର
ପବିତ୍ରମାଟିର କୋଳେ ଲୋଟିଗଲେ
ଲାଗଇ ସେ ସ୍ଵର୍ଗପୁର l
କଳକଳ ନାଦେ ଝରଣା ବୁହଇ
ତାର ସବୁ ଆପଣାର
କଣ୍ଟା ଆପଣା ଫୁଲ ବି ଆପଣା
ତା ପାଖେ ସବୁ ଆଦର l
ଅଙ୍କାବଙ୍କା ହୋଇ ନଦୀ ଯାଏ ବହି
କ୍ଷେତେ ସବୁଜିମା ଭରେ
ସମୁଦ୍ରର ଢେଉ ପାଦ ଧୋଇଦେଇ
ନିତି ସେ ଜୁହାର କରେ l
ରଜଦୋଳି ଖେଳ ସାଙ୍ଗସାଥି ମେଳ
ବାର ମାସେ ତେର ଯାତ
ଓଡ଼ିଆର ପିଠା ଆହା କେତେ ମିଠା
ସବୁଆଡ଼େ ପରିଚିତ l
ଛାନ୍ଦ ଚମ୍ପୁ ଆଉ ଓଡିଶୀ ଜଣାଣ
ଗୁଣୁଗୁଣୁ ଆମେ ଗାଉ
କେତେ ମିଠା ସେହି ମଧୁର ସଙ୍ଗୀତ
ଭୁଲି ହେବ କି ସେ ଆଉ l
ଆମ ରାଇଜର ଭାଷା ତ ଓଡିଆ
ତା ପରି ସୁନ୍ଦର କିଏ
ଓଡ଼ିଶାର ନୃତ୍ଯ ଜଗତେ ପ୍ରସିଦ୍ଧ
ସଭିଙ୍କର ମନ ମୋହେ l
ସ୍ଵାଧୀନତା ପାଇଁ ଓଡ଼ିଆର ପୁଅ
ଦେଲେ କେତେ ବଳିଦାନ
ପାତିନାହିଁ ମଥା ବିଦେଶୀର ଆଗେ
ରଖିଅଛି ନିଜ ମାନ l
ବୀର ଓଡ଼ିଆର ବୀରତ୍ୱ ଓ ତ୍ୟାଗ
ଲେଖାଅଛି ଇତିହାସେ
ଓଡ଼ିଆଣୀ ବେଶ ଓଡିଆ ରାନ୍ଧଣା
ପ୍ରସିଦ୍ଧି ପାଇଛି ବିଶ୍ଵେ l
ଚଣ୍ଡାଶୋକରୁ ଧର୍ମାଶୋକର
ଦୟାନଦୀ ଅଛି ସାକ୍ଷୀ
ଗୁମ୍ଫାର ଗାତ୍ରରେ କଳା କୌଶଳ
ଦେଇ ଯାଇଅଛି ଲେଖି l
ଯାନିଯାତରାରେ ମେଳଣ ଉତ୍ସବେ
ଏକାଠି ହୁଅନ୍ତି ସର୍ବେ
ହିନ୍ଦୁ ମୁସଲିମ ଶିଖ୍ ଇଶାୟୀ
ଓଡିଆ କୁହନ୍ତି ଗର୍ବେ l
ପାଞ୍ଚକୋଟି ଲୋକ ଗୋଟିଏ ମନ ତ
ଓଡିଶା ପ୍ରଦେଶ ଇଏ
ପ୍ରଭୁ ଜଗନ୍ନାଥ ମା ସମଲେଇ
ବିପଦରେ ସାହା ହୁଏ l
ଏବେ ବି ଓଡ଼ିଆ ଦାଦନ ଖଟନ୍ତି
ସବୁଥାଇ ଆମ ରାଜ୍ୟେ
ଆମରି ସମ୍ପଦେ ଆମରି କଳାରେ
ସ୍ୱାବଲମ୍ବୀ ହେବା ନିଜେ l
ହାତ ଧରି ଯିଏ ଖଡି ଧରେଇଛି
ମଣିଷ କରିଛି ଯିଏ
ହାତ ଠାରି ଆଜି ଡାକୁଛି ଆମକୁ
ଆ ମୁଁ କୋଳେଇ ନିଏ ।
ପ୍ରାଧ୍ୟାପକ,ଉଦ୍ଭିଦ ବିଜ୍ଞାନ ବିଭାଗ
ତଥା ପ୍ରଶାସନିକ ଅଧିକାରୀ, ନିମାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ, ନିମାପଡ଼ା


















Leave a Reply