ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଅସ୍ତ ଜହ୍ନର କବିତା

ଅସ୍ତ ଜହ୍ନର କବିତା

  •          ନିତ୍ୟାନନ୍ଦ ମହାନ୍ତି

ନିଃଶ୍ୱାସକେ ବିଛେଇଦେଲି
ମୋର ଦରଜକୁ
ମାଟି ସହ ମିଶିଯାଉଥିବା ବୁଢ଼ାସୂର୍ଯ୍ୟର ରଙ୍ଗରେ
ମୁଁ ଦେଖୁଥିଲି
ଦରଜ ସବୁ ବିନ୍ଦୁ ବିନ୍ଦୁ ରକ୍ତ ପରି ଲାଲ l

ଦରଜ ସବୁ ନଇଁ ପଡ଼ିବା ବୟସରେ
ଏତେ କଅଁଳି ଯାଆନ୍ତି ଯେ
ଭସେଇ ହୁଏନି ତାକୁ ଫୁଲେଇ ନଈରେ
କିଂବା ଦିଅ ଦିଅ ବୋଲି ମାଗିଲେ
ଦେଇ ହୁଏନି କାହା ହାତର ଆଞ୍ଜୁଳାରେ l

ଦରଜ ସବୁ ସମୁଦ୍ରର ଢେଉ ପରି
ଭସା ବାଦଲ ଭିତରେ ଯେମିତି
ଛାତି ଥରେଇ ଡେଇଁ ଯାଏଁ ବିଜୁଳି l

ଦେହରୁ ଦରଜକୁ ଠେଲି ହୁଅନ୍ତାକି
ତୁମ ହୀରାର ଦେହକୁ
ତୁମକୁ ଫୁଲ ଦିଅନ୍ତି
ଇନ୍ଦ୍ରଧନୁ ଦିଅନ୍ତି
ତୁମେ ନାକରେ ଗାଆନ୍ତ
ବରଂ ମୋ ପାଇଁ ଗୋଟେ ବିରହର ଗୀତ l

ଦରଜକୁ ଶୁଖେଇ ହେବନି ତ
ଫୁଙ୍କି ଫୁଙ୍କି ଅନନ୍ତ ନିଃଶ୍ୱାସରେ
ଛପି ଛପି ଆସୁଥିବା ଦରଜର ଗତିକୁ
ଅଟକେଇ ହେବନି ତ ମନ୍ତୁରା ପାଣିରେ l

ଏମିତି ଦିନ ସବୁ ମିଶିଯାଉଥିବ
ଜହ୍ନର କଳଙ୍କ ଭିତରେ
କଥା ଆଉ ବଥା ଥିବ ହାଡ଼ର ମଞ୍ଜ ଭିତରେ
ଦରଜ ରହି ରହି ପାଉଁଶ ତଳର ନିଆଁ ପରି
ସବୁ ଚାହିଁ ଥିବ
କିଏ ପୋଛିଦେବ ଭୋଅର ଭୋଅର
କୁମ୍ଭାଟୁଆ ଡାକିବା ପୂର୍ବରୁ ନରମ ହାତରେ l

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *