ଭୁବନେଶ୍ବର(BT): ରାଜ୍ୟସଭା ନିର୍ବାଚନ ନେଇ ଆଜି ବାଜିଛି ବିଗୁଲ୍ । ପ୍ରକାଶ ପାଇଛି ରାଜ୍ୟ ସଭାପତି ନିର୍ବାଚନ ବିଜ୍ଞପ୍ତି । ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେଇଥିବା ବେଳେ ମାର୍ଚ୍ଚ 5ରେ ସରିବ । ମାର୍ଚ୍ଚ 6ରେ ନାମାଙ୍କନ ଯାଞ୍ଚ ହୋଇ ମର୍ଚ୍ଚ 16ରୁ ସକାଳ 9 ଟାରୁ ଅପରାହ୍ନ 5 ଯାଏଁ ଭୋଟିଂ ହେବ । ଓଡ଼ିଶାରେ 4 ଟି ଆସନ ପାଇଁ ହେବ ରାଜ୍ୟସଭା ନିର୍ବାଚନ । ଏନେଇ ବିଧିବଦ୍ଧ ସୂଚନା ଦେଇଛନ୍ତି ବିଧାନସଭା ସଚିବ ତଥା ନିର୍ବାଚନ ଆୟୋଗଙ୍କ ଦ୍ଵାରା ନିଯୁକ୍ତ ରିଟର୍ଣ୍ଣିଂ ଅଫିସର ସତ୍ୟବ୍ରତ ରାଉତ । ରିଟର୍ଣ୍ଣିଂ ଅଫିସର ସତ୍ୟବ୍ରତ ରାଉତ କହିଛନ୍ତି,”ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି । ମାର୍ଚ୍ଚ 5 ଯାଏଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିବ । ସେହିପରି ମାର୍ଚ୍ଚ 6 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ନେବ । ମାର୍ଚ୍ଚ 9 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ ଧାର୍ଯ୍ୟ ହୋଇଛି । ସେହିପରି ମାର୍ଚ୍ଚ 16 ତାରିଖ ସକାଳ 9ଟାରୁ ଅପରାହ୍ନ 4 ଯାଏଁ ଭୋଟ ଗ୍ରହଣ ହେବ । ଅପରାହ୍ନରେ ଭୋଟ ଗଣତି ହେବା ସହ ଫଳାଫଳ ଘୋଷଣା ହେବ । ଓଡ଼ିଶା ସମେତ 10 ରାଜ୍ୟର 37 ଆସନ ପାଇଁ ହେବ ଏହି ନିର୍ବାଚନ । ଓଡ଼ିଶାର 4 ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର 4 ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ 2ରେ ଶେଷ ହେଉଛି । ଏହି ସାଂସଦମାନେ ହେଉଛନ୍ତି ବିଜେପିର ମମତା ମହାନ୍ତ, ସୁଜିତ କୁମାର ଏବଂ ବିଜେଡିର ମୁନା ଖାଁ,ଓ ନିରଞ୍ଜନ ବିଶି ।”
ସେ ଆହୁରି ମଧ୍ୟ କହିଛନ୍ତି,” ପ୍ରତ୍ୟେକ ଦିନ ସକାଳ 11ରୁ ଅପରାହ୍ନ 3 ପର୍ଯ୍ୟନ୍ତ ଫର୍ମ ବିକ୍ରି ହେବ । ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ଏହା ହେବ । ସେହିପରି ମନୋନୟନ ପତ୍ର ପ୍ରଦାନ, ଗ୍ରହଣ ଓ ଯାଞ୍ଚ ମଧ୍ୟ ଏହି ସମ୍ମିଳନୀ କକ୍ଷରେ କରାଯିବ । ମାର୍ଚ୍ଚ 9 ତାରିଖ ଅପରାହ୍ନ 3 ଟା ସୁଦ୍ଧା ପ୍ରାର୍ଥୀ କିମ୍ବା ତାଙ୍କ ଦ୍ୱାରା ଚୟନ ହୋଇଥିବା ଏଜେଣ୍ଟଙ୍କ ଦ୍ଵାରା କରିପାରିବେ । ଯଦି ପ୍ରତିଦ୍ବନ୍ଦିତା ମୂଳକ ନିର୍ବାଚନ ହେଲେ ବିଧାନସଭାର କମିଟି ରୁମ 54 ନମ୍ବରରେ 16 ତାରିଖରେ ନିର୍ବାଚନ ହେବ । ରାଜ୍ୟସଭା ନିର୍ବାଚନ ଭାରତୀୟ ନିର୍ବାଚନ କମିଶନ ସତ୍ୟବ୍ରତ ରାଉତ ରିଟର୍ଣ୍ଣିଂ ଅଫିସର ଓ ବିଦ୍ୟାଧର ମାଝୀ ସହକାରୀ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି । ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର 6 ସେଟ୍ ପ୍ରାର୍ଥୀ ପତ୍ର ସଂଗ୍ରହ କରିଛନ୍ତି ।”
ସେପଟ 4ଟି ରାଜ୍ୟସଭା ଆସନରୁ ସଂଖ୍ୟା ଦୃଷ୍ଟିରୁ ବିଜେଡି ଗୋଟେ ଓ ବିଜେପି 2ଟି ଆସନରେ ବିଜୟ ହେବେ । ତେବେ କାହାକୁ ଉଭୟ ଦଳ ରାଜ୍ୟସଭା ପଠାଇବାକୁ ସ୍ଥିର କରିଛନ୍ତି, ତାହା ଏଯାଏଁ ଜଣାପଡ଼ିନାହିଁ । କୌଣସି ଦଳ ପ୍ରାର୍ଥୀଙ୍କୁ ନେଇ ସ୍ପଷ୍ଟ କରୁନାହାନ୍ତି । ରାଜ୍ୟସଭା ସମ୍ଭାବ୍ୟ ପ୍ରାର୍ଥୀଙ୍କ ଉପରେ ଏବେ ସବୁ ଦଳର ନଜର । ଉଭୟ ଦଳରୁ 10ରୁ ଉର୍ଦ୍ଧ୍ବ ରାଜ୍ୟସଭା ରେସରେ ଅଛନ୍ତି । ସେହିପରି ଚତୁର୍ଥ ସିଟ ଉପରେ ସଂଖ୍ୟା ଥାଉ କି ନଥାଉ, ସବୁ ଦଳ ଏହି ରେସରେ ଧାଇଁଲେଣି । ଓଡ଼ିଶାରୁ ରାଜ୍ୟସଭା ପାଇଁ ବିଜେପି କାହାକୁ ପ୍ରାର୍ଥୀ କରିବ, ତାହା ଦଳର କେନ୍ଦ୍ରୀୟ ନେତୃତ୍ୱ ସ୍ଥିର କରିବେ ବୋଲି ବିଜେପି ନେତା କହୁଛନ୍ତି । ସେପଟେ ପ୍ରାର୍ଥୀ ଚୟନ ଚୂଡାନ୍ତ କରିବା ପାଇଁ ଆଜି ସଂଧ୍ୟାରେ ବସିବ ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ । ରାଜ୍ୟସଭାର ଚତୁର୍ଥ ଆସନ ବିଜେପିକୁ ନ ଛାଡ଼ିବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଗୋଟି ଚାଳନା ଜାରି ରଖିଛନ୍ତି ।

















Leave a Reply