ଜଗତସିଂହପୁର, ୨୫/୮ (ବିଭୁତି TV): ସମଗ୍ର ରାଜ୍ୟରେ ଅବକାରୀ ବିଭାଗ ପକ୍ଷରୁ ଚାଲିଥିବା ସ୍ପେଶାଲ ଡ୍ରାଇଭ୍ର ଅଂଶ ଭାବେ ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଓ ବିରିଡି ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ଦୁଇ ଜଣ କଥିତ ନିଶା ବେପାରୀଙ୍କୁ ଗିରଫ କରାଯିବା ସହ ୬୦ ଗ୍ରାମ ହେରୋଇନ, ୨ କେଜି ୨୦୦ ଗ୍ରାମ ଗଞ୍ଜେଇ ଏବଂ ନଗଦ ୧୦ ହଜାର ଟଙ୍କା ଜବତ କରାଯାଇଛି।
ବିରିଡି ଥାନା ଅନ୍ତର୍ଗତ ସରେଇକଣା ଗ୍ରାମରେ ବେଆଇନ ହେରୋଇନ କାରବାର ନେଇ ମିଳିଥିବା ସୂଚନା ଆଧାରରେ ଜଗତସିଂହପୁର ଅବକାରୀ ରେଞ୍ଜ ଇନ୍ସପେକ୍ଟର ଖିତୀଶ ଦାସଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀ ଓ ସବ୍ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଳାଇଙ୍କ ସହଯୋଗରେ ଟିମ୍ ଚଢ଼ାଉ କରିଥିଲା।
ଚଢ଼ାଉ ସମୟରେ ଜଣେ ମହିଳା ଘଟଣାସ୍ଥଳରୁ ଖସି ପଳାଇବାକୁ ଚେଷ୍ଟା କରୁଥିବାବେଳେ ସରେଇକଣା ଅଙ୍ଗନବାଡ଼ି କେନ୍ଦ୍ର ନିକଟରୁ ତାଙ୍କୁ କାବୁ କରାଯାଇଥିଲା। ଯାଞ୍ଚ ପରେ ତାଙ୍କ ନିକଟରୁ ୬୦ ଗ୍ରାମ ହେରୋଇନ ଏବଂ ନଗଦ ୧୦ ହଜାର ଟଙ୍କା ଜବତ ହୋଇଥିଲା। ଗିରଫ ମହିଳା ଜଣକ ସରେଇକଣା ଗ୍ରାମର ରସାନନ୍ଦ ସ୍ୱାଇଁଙ୍କ ସ୍ତ୍ରୀ ରତ୍ନାମଣୀ ସ୍ୱାଇଁ (୫୭) ବୋଲି ଜଣାପଡ଼ିଛି। ଜବତ ହେରୋଇନର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।
ଏହି ଘଟଣାରେ ଜଗତସିଂହପୁର ଅବକାରୀ ରେଞ୍ଜ କେସ୍ ନମ୍ବର ୩୮/୨୦୨୬-୨୭ ରୁଜୁ କରାଯାଇ ଅଭିଯୁକ୍ତାଙ୍କୁ ଜିଲ୍ଲା ଦୌରାଜଜଙ୍କ ଅଦାଲତକୁ ଚାଲାଣ କରାଯାଇଛି।
ସେହିପରି ପାରାଦ୍ୱୀପ ଲକ୍ ଥାନା ଅନ୍ତର୍ଗତ ପାରାଦ୍ୱୀପଗଡ଼ ଅଞ୍ଚଳରେ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ପାରାଦ୍ୱୀପ ଅବକାରୀ ରେଞ୍ଜ ଇନ୍ସପେକ୍ଟର ଶ୍ରୀକାନ୍ତ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏବଂ ପାରାଦ୍ୱୀପ ଅବକାରୀ ଥାନା ସବ୍ଇନ୍ସପେକ୍ଟର ଧର୍ମପଦ ଦାସଙ୍କ ସହଯୋଗରେ ଏହି ଚଢ଼ାଉ ହୋଇଥିଲା।
ଚଢ଼ାଉରେ ୨ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ପାରାଦ୍ୱୀପଗଡ଼ର ଲୋକନାଥ ମଲ୍ଲିକ (୩୧)ଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୨ ହଜାର ଟଙ୍କା ବୋଲି ପାରାଦ୍ୱୀପ ରେଞ୍ଜ ଇନ୍ସପେକ୍ଟର ଶ୍ରୀକାନ୍ତ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।
ଏହି ଘଟଣାରେ ପାରାଦ୍ୱୀପ ଅବକାରୀ ରେଞ୍ଜ କେସ୍ ନମ୍ବର ୩୪/୨୦୨୬-୨୭ ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଅତିରିକ୍ତ ଜିଲ୍ଲା ଦୌରାଜଜ, କୁଜଙ୍ଗଙ୍କ ଅଦାଲତକୁ ଚାଲାଣ କରାଯାଇଛି।
ଉଭୟ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି।
ଚଢ଼ାଉରେ ଜଗତସିଂହପୁର ଅବକାରୀ ରେଞ୍ଜ ଓ ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥାର କର୍ମଚାରୀଙ୍କ ସହ ପାରାଦ୍ୱୀପ ଅବକାରୀ ରେଞ୍ଜର ଅଧିକାରୀ ଓ କର୍ମଚାରୀମାନେ ସାମିଲ ଥିଲେ।
ନାର୍କୋଟିକ୍ସ ବ୍ୟବସାୟ ବିରୋଧରେ ଚଢ଼ାଉକୁ ଆହୁରି ତୀବ୍ର କରାଯିବ। ନିଶା କାରବାର ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆଧାରରେ ଆଗାମୀ ଦିନରେ ମଧ୍ୟ ଅବକାରୀ ବିଭାଗର ଅଭିଯାନ ଜାରି ରହିବ ବୋଲି ଅବକାରୀ ଅଧୀକ୍ଷିକା ଶ୍ରୀମତୀ ଅନିତା ପ୍ରଧାନ ପ୍ରକାଶ କରିଛନ୍ତି।
ବିଭୁତି TV — ନିଶା ବିରୋଧୀ ଅଭିଯାନର ଖବର,ଆପଣଙ୍କ ନଜରରେ।

















Leave a Reply