ନିତ୍ୟାନନ୍ଦ ମହାନ୍ତି
ପ୍ରେମକୁ ଖୁଣ୍ଟୁ ଖୁଣ୍ଟୁ ଝୁଣ୍ଟି ପଡ଼ିଲି
ତାରଖୁଣ୍ଟି ଉପରେ କାଉ କା କଲାବେଳେ
ଦେହ ସାରା ମୋର ଧୂଳି ଆଉ ଧୂଳି l
ପଛକୁ ଦେଖିଲି
କେହି ନାହିଁ
କେବଳ ନିଃଶବ୍ଦ ବେଳ
ମାଟି ଉପରେ ଭସା ମେଘର ଉଡ଼ନ୍ତା ଛାଇ l
ଆଉ ନଜର ନାହିଁ ସଂଜ ପାରି
ତମ ଚକ୍ ଚକ୍ ଜହ୍ନ ରାତି
ଉଡ଼ନ୍ତା ଚୁମା
କେବେ ଦେଇଥିବା ତୁମ ଲାଜ ଲାଜ
ପ୍ରଥମ ପ୍ରେମର ପ୍ରଥମ ଚିଠି l
ଏବେ ସଂସାର ସାରିବାର ବେଳ
ତମ ପାହାଡ଼ ପାଖ ଖବର
କିଏ ଦେଖୁଛି
ସକାଳ ଚା କପ୍ ରେ ଅସମ୍ଭବ ଝଡ଼ l
ପୁରୁଣା କଥା
ହୃଦୟକୁ ଛୁଉଁ ଛୁଉଁ ବ୍ୟଥା ଏବଂ ବ୍ୟଥା
ଖଟରେ
ବେଳେବେଳେ କେବେ ବାଟରେ l
ଏବେ ଅଙ୍ଗୁର କମଳା ଦେଖିଲେ ଡର
ଚାକିରି ଶେଷ
ପାଣି ଫୋଟକା ପରି ଦେହରେ ବଥ
କେବେ ଆଣ୍ଠୁରେ ଦରଜ
କେବେ ଅଣ୍ଟାରେ ତ
କେବେ ଛାତିରେ ଦରଜ l
ଦେଖ
ପଡିଯାଉ ଯାଉ କେତେ କଥା
ରକ୍ ରକ୍ ପାଦ ତଳ କେତେବେଳଠୁଁ
ମାଉଁସ ଭିତରେ ପଶିଛି ଗୋଟେ ବାଉଁଶକଣ୍ଟା


















Leave a Reply