ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଜଗତସିଂହପୁର ଜିଲ୍ଲା ସଦର ମହକୁମା ରେ ୮୦ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ଜଗତସିଂହପୁର, (BT)ତା ୧୫.୦୮.୨୦୨୬:ଜଗତସିଂହପୁର ଜିଲ୍ଲା ସଦର ମହକୁମା ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ରେ ୮୦ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ ହୋଇଯାଇଅଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ, କଟକ ଶ୍ରୀଯୁକ୍ତ ସୁଧାଂଶୁ ମୋହନ ସାମଲ, ଭା.ପ୍ର.ସେ. ଜାତୀୟ ପତାକା ଉତ୍ତୋଳନ କରିବା ସହ ଆନୁଷ୍ଠାନିକ ପାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ବନ୍ଦେ ମାତରଂ ଗାନ ଓ ଜାତୀୟ ପତାକା ଉତ୍ତୋଳନ ପରେ ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି ଦେଶର ସ୍ୱାଧୀନତା ପାଇଁ ଅମର ବଳିଦାନ ଦେଇଥିବା ମହାନ ସଂଗ୍ରାମୀ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂହଙ୍କ ସମେତ ଓଡ଼ିଶାର ଅନେକ ବରପୁତ୍ର—ଉତ୍କଳମଣି ଗୋପବନ୍ଧୁ ଦାସ, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ ଏବଂ ଅମର ସହିଦ ବାଜି ରାଉତ ପ୍ରମୁଖଙ୍କୁ ଏହି ପବିତ୍ର ଅବସରରେ ସ୍ମରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଜଗତସିଂହପୁର ମାଟିର ଗୌରବ ତଥା ଜାତୀୟ କବି ବୀରକିଶୋର ଦାସଙ୍କର କାଳଜୟୀ ପଦକୁ ସ୍ମରଣ କରି ଶ୍ରମଜୀବୀ ଭାଇ ଓ ଭଉଣୀମାନ ଙ୍କର ଗୁରୁତ୍ୱକୁ ଉପସ୍ଥାପନ କରିଥିଲେ । ସେ କହିଥିଲେ ଯେ ଜଗତସିଂହପୁର କେବଳ ଉଚ୍ଚ ସଂସ୍କୃତି ଓ ସାରସ୍ୱତ ସାଧନାର ପବିତ୍ର ଭୂମି ନୁହେଁ, ବରଂ ଆଜି ସମଗ୍ର ଓଡ଼ିଶାର ଅର୍ଥନୀତି, ଶିଳ୍ପାୟନ ଓ ପ୍ରଗତିର ଏକ ପ୍ରମୁଖ ଶକ୍ତିକେନ୍ଦ୍ର ଭାବେ ପରିଚିତ ହୋଇଛି, ଯାହା କି ଜିଲ୍ଲାର ବାଣିଜ୍ୟିକ କାରବାରକୁ ବୃଦ୍ଧି କରିବା ସହ ଆଗାମୀ ଦିନରେ ହଜାର ହଜାର ସ୍ଥାନୀୟ ଯୁବପିଢ଼ି ଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଜିଲ୍ଲାର ଗର୍ବ ପାରାଦୀପ ବନ୍ଦର ଆଜି ଦେଶର ଏକ ଅଗ୍ରଣୀ ବନ୍ଦର ଭାବେ ନିଜର ସ୍ଥାନ ସୁଦୃଢ଼ କରିଚାଲିଛି। ଏହା ଓଡ଼ିଶାର ଆର୍ଥିକ ମୂଳଦଣ୍ଡ କୁ ଆହୁରି ସୁଦୃଢ଼ କରିବ। ପ୍ରଶାସକ ଭାବେ ମୋର ଦୃଢ଼ ବିଶ୍ୱାସ ଯେ, ପ୍ରଶାସନର ପ୍ରକୃତ ସଫଳତା ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ସମୟାନୁବର୍ତ୍ତି କାର୍ଯ୍ୟସମ୍ପାଦନ ଉପରେ ନିର୍ଭର କରେ। ସରକାରଙ୍କ ପ୍ରତ୍ୟେକ ଜନ କଲ୍ୟାଣକାରୀ ଯୋଜନାର ସୁଫଳ ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଗ୍ରାମୀଣ ଭିତ୍ତିଭୂମି, ରାସ୍ତାଘାଟ ଓ ସାମଗ୍ରିକ ଉନ୍ନୟନ କାର୍ଯ୍ୟକୁ ନିରନ୍ତର ଭାବେ ଆଗେଇ ନିଆଯାଉଛି । ଜଗତସିଂହପୁର ଜିଲ୍ଲାର ସାମଗ୍ରିକ ବିକାଶ, ଜନସାଧାରଣଙ୍କ ସୁଖ, ସମୃଦ୍ଧି ଓ ସ୍ୱାବଲମ୍ବନ ପାଇଁ ପ୍ରଶାସନ ସମସ୍ତଙ୍କ ସହଯୋଗରେ ନିରନ୍ତର କାର୍ଯ୍ୟ କରିବ । ଏକ ସମୃଦ୍ଧ, ସଶକ୍ତ ଓ ବିକଶିତ ଜଗତସିଂହପୁର ଗଠନ ଆମ ସମସ୍ତଙ୍କର ସାମୂହିକ ସଂକଳ୍ପ ହେବା ଉଚିତ ବୋଲି ସେ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ପହଞ୍ଚିବା ପରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା ମୁଖ୍ୟ ଅତିଥି ଙ୍କୁ ପତାକା ସ୍ତମ୍ଭ ନିକଟକୁ ପାଛୋଟି ଆଣିଥିଲେ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ନାଉଗାଁହାଟ ଉଚ୍ଚ ବିଦ୍ୟାଳୟ, ନାଉଗାଁହାଟ ର ଛାତ୍ରୀ ଗାୟତ୍ରୀ ପୋଲେଇ ଙ୍କୁ ମୁଖ୍ୟ ଅତିଥି ପାଞ୍ଚଜନ୍ୟ ସାଂସ୍କୃତିକ ଓ ସାମାଜିକ ପରିଷଦ, ପୂର୍ଣ୍ଣ ଚନ୍ଦ୍ର ସ୍ମାରକ ମେଧାବୃତ୍ତି ଏବଂ ଜଗତସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରୀ ସଂସଦ ପକ୍ଷରୁ ପୁରସ୍କାର ସ୍ଵରୂପ ନଗଦ ଅର୍ଥ ରାଶି,ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲାସ୍ତରୀୟ ବକ୍ତୃତା , ଦେଶାତ୍ମବୋଧକ ସଙ୍ଗୀତ, ଜଣାଅଜଣା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ପ୍ୟାରେଡରେ ମୋଟ ୨୫ ଟି ଦଳ ଭାଗ ନେଇଥିଲେ ଓ ସେମାନଙ୍କ ମଧ୍ୟରୁ ୟୁନିଫର୍ମ ଗ୍ରୁପ ରୁ ଏସ କେ ଏକାଡେମୀ (ଏୟାର ୱିଙ୍ଗ) ,ସିନିୟର୍ ସିଭିଲିଆନ ଦଳରୁ ଡ୍ରିମ୍ ଇଣ୍ଡିଆ ସ୍କୁଲ, ଜୁନିୟର୍ ସିଭିଲିଆନ ଦଳରୁ ଜଗତସିଂହପୁର ପବ୍ଲିକ୍ ସ୍କୁଲ ଶ୍ରେଷ୍ଠ ବିବେଚିତ ହୋଇ ମୁଖ୍ୟ ଅତିଥିଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ। ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ୟାରେଡ୍ ରେ ଅଂଶ ଗ୍ରହଣ କରିଥିଲେ। ପରେ ଶୁଦ୍ଧାନନ୍ଦ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ, ରସଲପୁର, ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସ୍କଲାର ଇଂଲିଶ ମିଡିଅମ ସ୍କୁଲ ର ଛାତ୍ରଛାତ୍ରୀ ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଏବଂ ମୁଖ୍ୟ ଅତିଥି ସେମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ସହ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ । ବର୍ଷୀୟାନ ସ୍ବାଧୀନତା ସଂଗ୍ରାମୀ ଶ୍ରୀଯୁକ୍ତ ଭାଗୀରଥି ସ୍ୱାଇଁ ଙ୍କୁ ମୁଖ୍ୟ ଅତିଥି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସହର ମଧ୍ୟରେ ଥିବା ସମସ୍ତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ଗୁଡ଼ିକ ରେ ମାଲ୍ୟାର୍ପଣ କରାଯାଇଥିଲା । ପ୍ୟାରେଡ୍ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଏବଂ ଜିଲ୍ଲା କାରାଗାର ଆଳିପିଙ୍ଗଳ ର ଅନ୍ତେବାସୀଙ୍କୁ ଫଳବଣ୍ଟନ କରାଯାଇଥିଲା । ଚଳିତ ବର୍ଷ ହର ଘର ତ୍ରିରଙ୍ଗା ଅଭିଯାନ ଅନ୍ତର୍ଗତ ଉପସ୍ଥିତ ସମସ୍ତ ଅତିଥି ଓ ଜନସାଧାରଣ ତ୍ରିରଙ୍ଗା ସେଲ୍ଫି ପଏଣ୍ଟ ରେ ସେଲ୍ଫି ଉଠାଇ ଥିଲେ । ପ୍ରତ୍ୟୁଷ ରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ରାମଧୁନ ରେକର୍ଡ ଯୋଗେ ସହରରେ ପରିବେଷଣ କରାଯାଇଥିଲା। ଏହି ଉତ୍ସବରେ ଜିଲ୍ଲା ପରିଷଦର ସଭାପତି ଶ୍ରୀ ମନୋଜ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଶ୍ରୀ ସମ୍ବିତ୍ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ଜ୍ୟୋତି ଶଙ୍କର ରାୟ,ଅତିରିକ୍ତ ଜିଲ୍ଲାପାଳ, ପାରାଦୀପ, ଶ୍ରୀ ନିରଞ୍ଜନ ବେହେରା,ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ,ଜିଲ୍ଲା ପରିଷଦ, ଶ୍ରୀ ଅକ୍ଷୟ ପିଲ୍ଲେ , ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ ,ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ବିଶୋଇ,ପ୍ରଶାସନିକ ଅଧିକାରୀ , ସହରର ବୁଦ୍ଧିଜିବୀ, ଆଇନଜିବୀ,ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ଶ୍ରୀ ଡମ୍ବରୁଧର ହୋନାଗା ପ୍ୟାରେଡ ପରିଚାଳନା କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ,ବିଭାଗର କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷାବିତ ଶ୍ରୀ ସୁଭାଷ ଚନ୍ଦ୍ର ରାଉତ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ। ସନ୍ଧ୍ୟାରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ମଞ୍ଚରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ୩ ଡି ଡ୍ୟାନସ୍ ଏକାଡେମୀ,ଜଗତସିଂହପୁର, ଶ୍ରୀ ମନ୍ଦିର, ଜଗତସିଂହପୁର, ଦୁଃଖୀରାମ ସ୍ୱାଇଁ କଳା ପ୍ରତିଷ୍ଠାନ,ଜଗତସିଂହପୁର,
ସରସ୍ୱତୀ ସଙ୍ଗୀତକଳା ବିଦ୍ୟା ମନ୍ଦିର, ଜଗତସିଂହପୁର,ମା ସରସ୍ୱତୀ କଳା ବିକାଶ କେନ୍ଦ୍ର, ତିର୍ତ୍ତୋଲ, ବଳଦେବଜୀଉ ସାଂସ୍କୃତିକ ପରିଷଦ, ସିଦ୍ଧଳ ଦଳ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ତ୍ରିରଙ୍ଗା କନ୍ସର୍ଟ ପରିବେଷଣ କରାଯାଇଥିଲା ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *