ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଶ୍ରୀମନ୍ଦିରରେ କରାଯିବ ଆକର୍ଷଣୀୟ ଆଲୋକୀକରଣ ବ୍ୟବସ୍ଥା ଖର୍ଚ୍ଚ ହେବ ୧୭ରୁ ୧୮ କୋଟି

ପୁରୀ(BT)ଶ୍ରୀମନ୍ଦିରକୁ କରାଯିବ ଆକର୍ଷଣୀୟ ଆଲୋକୀକରଣ । ୧୭ରୁ ୧୮ କୋଟି ଟଙ୍କାରେ ହେବ ଆଲୋକୀକରଣ ବ୍ୟବସ୍ଥା ।  ଶ୍ରୀମନ୍ଦିର ସହିତ ଭିତର ବେଢାରେ ଥିବା ପାର୍ଶ୍ବ ଦେବାଦେବୀ ମନ୍ଦିର ଗୁଡିକରେ ମଧ୍ୟ ସୁନ୍ଦର ଭାବେ କରାଯିବ ଆଲୋକୀକରଣ । ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଭାସୀ ମାଧ୍ୟମରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏହି ବୈଠକକୁ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଏଏସଆଇ ଅଧିକାରୀ, ପରିଚାଳନା କମିଟି ସେବାୟତ ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ଓବିସିସି ଅଧିକାରୀଙ୍କ ସହିତ ଦିଲ୍ଲୀ ସ୍ଥିତ ସ୍ଵିକୃତିପ୍ରାପ୍ତ ପରାମର୍ଶ ଅନୁଷ୍ଠାନର ପ୍ରତିନିଧି ବୈଠକରେ ଉପସ୍ଥିତ ଥିଲେ‌। ପ୍ରସ୍ତାବିତ ଆଲୋକୀକରଣ ସକାଶେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କେତେକ ନିର୍ଦ୍ଦଷ୍ଟ ପରାମର୍ଶ ଦିଆଯାଇଥିଲା। ଏଏସଆଇର ବୈଷୟିକ ପରାମର୍ଶ ଏବଂ ମାର୍ଗଦର୍ଶନରେ ବିସ୍ତୃତ ରୂପରେଖ ପ୍ରସ୍ତୁତି କରାଯାଇଥିବା ବେଳେ ଏହି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯିବ।ଏଥିପାଇଁ ୧୭ରୁ ୧୮ କୋଟି ଟଙ୍କାର ବଜେଟ ମଧ୍ୟ କରାଯାଇଛି । ଶ୍ରୀମନ୍ଦିର ଚାରି ଦ୍ବାର, ମେଘନାଦ ପାଚେରୀ, କୁରୁମବେଢା, ଜଗମୋହନ, ନାଟମଣ୍ଡପ, ଗର୍ଭଗୃହ, ଭୋଗମଣ୍ଡପ, ଆନନ୍ଦ ବଜାରର ଆଲୋକୀକରଣ ହେବ। ସେହିପରି ଭିତର ବେଢା଼ରେ ମା’ ଲକ୍ଷ୍ମୀ, ବିମଳାଙ୍କ ସହିତ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ମନ୍ଦିର ଏବଂ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଆଲୋକୀକରଣ କରାଯିବ। ଶ୍ରୀମନ୍ଦିରକୁ ଆଲୋକୀକରଣ କରାଯିବା ପରେ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନେ ଏକ ନୂଆ ଅନୁଭୂତି ପାଇପାରିବେ । ଆସନ୍ତା ତିନିରୁ ଚାରିମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *