ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଜଗତସିଂହପୁର ଜିଲ୍ଲା ରେ ଏସଆଇଆର କାର୍ଯ୍ୟର ଅଗ୍ରଗତି ସମୀକ୍ଷା

ଜଗତସିଂହପୁର, (BT)ତା ୧୨/୦୮/୨୬:ଭାରତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେଇ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ।
ନୂତନ ସମୟସୂଚୀ ଅନୁଯାୟୀ ଦାବି ଓ ଆପତ୍ତି ଦାଖଲର ଶେଷ ତାରିଖ ୧୯ ଅଗଷ୍ଟ, ନୋଟିସ ଜାରି ଓ ଦାବି-ଆପତ୍ତି ଶୁଣାଣିର ଶେଷ ତାରିଖ ୧୭ ସେପ୍ଟେମ୍ବର ଏବଂ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ୨୧ ସେପ୍ଟେମ୍ବର କରାଯିବ ବୋଲି ସୂଚନା ଦିଆଯାଇଥିଲା। ଅନୁପସ୍ଥିତ, ସ୍ଥାନାନ୍ତରିତ, ମୃତ ଏବଂ ନକଲି ଭୋଟରଙ୍କ ବିବରଣୀ ସମ୍ପର୍କରେ ସମସ୍ତ ତଥ୍ୟ ୱେବସାଇଟରେ ଉପଲବ୍ଧ ଥିବା ବେଳେ, ଫର୍ମ-୬, ୭, ୮, ୯, ୧୦, ୧୧, ୧୧(ଏ) ଏବଂ ୧୧(ବି) ସମ୍ବନ୍ଧୀୟ ସମସ୍ତ ସୂଚନା ମଧ୍ୟ ଅନଲାଇନରେ ଦେଖିହେବ ବୋଲି ବୈଠକରେ ଅବଗତ କରାଯାଇଥିଲା।
ଜିଲ୍ଲାର ୪ ଟି ନିର୍ବାଚନମଣ୍ଡଳୀ ଯଥା ୧୦୧ – ପାରାଦୀପ, ୧୦୨ – ତିର୍ତ୍ତୋଲ, ୧୦୩- ବାଲିକୁଦା ଏରସମା ଏବଂ ୧୦୪- ଜଗତସିଂହପୁର ଲାଗି ଜାରି ହୋଇଥିବା ସମସ୍ତ ୧,୩୪,୨୦୪ ଟି ନୋଟିସ ଗୁଡିକୁ ସଫଳତାର ସହିତ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୧,୦୭,୬୨୮ ଟି ନୋଟିସର ଶୁଣାଣି ସମ୍ପୂର୍ଣ୍ଣ ହୋଇଥିବା ସୂଚନା ଦିଆଯାଇଥିଲା।
ବୈଠକରେ ବିଜେଡି ପକ୍ଷରୁ ଲୋକନାଥ ସ୍ବାଇଁ, କଂଗ୍ରେସ ପକ୍ଷରୁ ସୁଶୀଲ କୁମାର ଦାଶ, ବିଜେପି ପକ୍ଷରୁ ଲିଙ୍ଗରାଜ ଲେଙ୍କା, ବହୁଜନ ସମାଜ ପାର୍ଟି ତରଫରୁ ଅଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ମତଦାତା ଶିକ୍ଷା ଓ ନିର୍ବାଚନୀ ଅଂଶଗ୍ରହଣ (SVEEP) ନୋଡାଲ ଅଧିକାରୀ ଶ୍ରୀମତୀ ତୃପ୍ତିମୟୀ ପ୍ରଧାନ ଓ ଡେପୁଟି କଲେକ୍ଟର (ନିର୍ବାଚନ) ଶ୍ରୀ ପ୍ରଶାନ୍ତ କୁମାର ସେଠୀ ବୈଠକରେ ଉପସ୍ଥିତ ରହି ରାଜନୈତିକ ଦଳର ପ୍ରତିନିଧିମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *