ଡିଜିଟାଲ ସାମ୍ବାଦିକତାର ଦାୟିତ୍ୱ, ନୀତି ଓ ନୂଆ ସମ୍ଭାବନା ଉପରେ ଗୁରୁତ୍ୱ
ବ୍ରହ୍ମପୁର, ୩୧/୦୮ (ବିଭୂତି ଟିଭି):
ଡିଜିଟାଲ ମିଡ଼ିଆ କ୍ଷେତ୍ରରେ କାର୍ଯ୍ୟରତ ସାମ୍ବାଦିକ ଓ ମିଡ଼ିଆକର୍ମୀଙ୍କ ଦକ୍ଷତା ବିକାଶ ଏବଂ ଦାୟିତ୍ୱଶୀଳ ସାମ୍ବାଦିକତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ (ODMM) ପକ୍ଷରୁ ବ୍ରହ୍ମପୁରରେ ଏକ କ୍ଲଷ୍ଟର ସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରୁ ପ୍ରାୟ ୧୦୦ ଜଣ ସଦସ୍ୟ ଏହି ଶିବିରରେ ଯୋଗଦେଇଥିଲେ।
ODMMର ରାଜ୍ୟ କାର୍ଯ୍ୟକାରୀ ସଭାପତି ସୂର୍ଯ୍ୟକାନ୍ତ ଖେଡ଼ୱାଲସିଂଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ ଡିଜିଟାଲ ସାମ୍ବାଦିକତାର ମୌଳିକ ନୀତି, ଖବର ସଂଗ୍ରହ ଓ ପରିବେଷଣ, ମିଡ଼ିଆ ନୀତି, ସାମ୍ବାଦିକଙ୍କ ଦାୟିତ୍ୱବୋଧ ଏବଂ ଡିଜିଟାଲ ମିଡ଼ିଆର ବର୍ତ୍ତମାନ ଓ ଭବିଷ୍ୟତ ସମ୍ଭାବନା ଉପରେ ବିଶେଷ ଆଲୋଚନା ହୋଇଥିଲା।
ପ୍ରଥମ ପର୍ଯ୍ୟାୟର ପ୍ରଶିକ୍ଷଣରେ ଦୈନିକ ‘ସକାଳ’ ଖବରକାଗଜର ଏଡିସନ୍ ଇନ୍ଚାର୍ଜ ଶକ୍ତିଧର ରାଜଗୁରୁ ଯୋଗଦେଇ ଖବରର ଗୁଣବତ୍ତା, ସଠିକ୍ ତଥ୍ୟ, ଖବର ପରିବେଷଣର ଶୈଳୀ ଏବଂ ସାମ୍ବାଦିକତାର ବିଭିନ୍ନ ଦିଗ ଉପରେ ସଦସ୍ୟମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।
ଦ୍ୱିତୀୟ ପର୍ଯ୍ୟାୟରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ଭଞ୍ଜନଗର ପୌରପାଳିକା ଚେୟାରମ୍ୟାନ ଗୋପବନ୍ଧୁ ମହାପାତ୍ର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜର୍ଣ୍ଣାଲିଜମ୍ ଓ ମାସ୍ କମ୍ୟୁନିକେସନ୍ ବିଭାଗ ମୁଖ୍ୟ ଡ. ଜୟନ୍ତ କୁମାର ପଣ୍ଡା ଏବଂ ଓଟିଭିର ବ୍ୟୁରୋ ହେଡ୍ ଅଶୋକ କୁମାର ବ୍ରହ୍ମା ଯୋଗଦେଇ ଡିଜିଟାଲ ମିଡ଼ିଆର ନୂଆ ସୁଯୋଗ, ଚ୍ୟାଲେଞ୍ଜ, ସମ୍ଭାବନା ଓ ସାମ୍ବାଦିକମାନଙ୍କ ଦାୟିତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ODMMର ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ମୀରାବାଈ ଦେଓ, ସାଧାରଣ ସମ୍ପାଦକ କବିରାଜ ପାତ୍ର, ଉପସଭାପତି ବିଜୟାନନ୍ଦ ତ୍ରିପାଠୀ, ରୁଦ୍ର କୁମାର ପାତ୍ର ଓ ପଦ୍ମନ ବାତ୍ରା, ଜୋନାଲ ସଂଗଠନ ସମ୍ପାଦକ ଜି. ଅଜୟ କୁମାର, ସୁକାନ୍ତ ପ୍ରଧାନ, ଯଦାବ ବାଗ, ବରିଷ୍ଠ ସଦସ୍ୟ ସତୀଶ ପଟ୍ଟନାୟକ ଓ ସୁଶାନ୍ତ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ବ୍ରହ୍ମପୁର ଜିଲ୍ଲା ସଭାପତି ଅମରେନ୍ଦ୍ର କୁମାର ପଟ୍ଟନାୟକ, ମାଲକାନଗିରି ଜିଲ୍ଲା ସଭାପତି ରାକେଶ କୁଲଦୀପ, ଗଜପତି ଜିଲ୍ଲା ସଂଯୋଜକ ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟ, ରାୟଗଡ଼ା ଜିଲ୍ଲା ସଭାପତି ସନ୍ତୋଷ ବଛଙ୍କ ସମେତ ବିଭିନ୍ନ ଜିଲ୍ଲାର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଶିବିରରେ ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମର ସଫଳ ଆୟୋଜନରେ ‘ଜନ ବାଣୀ’ ନ୍ୟୁଜ୍ ଚ୍ୟାନେଲର କାର୍ଯ୍ୟକର୍ତ୍ତାମାନଙ୍କ ବିଶେଷ ସହଯୋଗ ପାଇଁ ODMMର ରାଜ୍ୟ କାର୍ଯ୍ୟକାରୀ ସଭାପତି ସୂର୍ଯ୍ୟକାନ୍ତ ଖେଡ଼ୱାଲସିଂ କୃତଜ୍ଞତା ଜଣାଇଥିଲେ। ଏଥିସହ ଶିବିରକୁ ସଫଳ କରିବାରେ ସହଯୋଗ କରିଥିବା ଗଞ୍ଜାମ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ମହାସଂଘ ପକ୍ଷରୁ ଅଭିନନ୍ଦନ ଜଣାଯାଇଥିଲା।
ଡିଜିଟାଲ ମିଡ଼ିଆର ପ୍ରଭାବ ଦିନକୁ ଦିନ ବଢ଼ୁଥିବା ବେଳେ ତଥ୍ୟର ସଠିକତା, ନିରପେକ୍ଷତା ଓ ଦାୟିତ୍ୱଶୀଳ ଖବର ପରିବେଷଣର ଗୁରୁତ୍ୱ ମଧ୍ୟ ବଢ଼ିଛି। ଏଭଳି ପ୍ରଶିକ୍ଷଣ ଶିବିର ମାଧ୍ୟମରେ ସାମ୍ବାଦିକମାନଙ୍କୁ ଆଧୁନିକ ଡିଜିଟାଲ ସାମ୍ବାଦିକତା ସହିତ ଯୋଡ଼ିବା ଏବଂ ଏକ ଅଧିକ ଶକ୍ତିଶାଳୀ, ଲୋକାଭିମୁଖୀ ଓ ଦାୟିତ୍ୱଶୀଳ ଡିଜିଟାଲ ମିଡ଼ିଆ ଗଠନ କରିବା ଦିଗରେ ODMMର ଏହି ପଦକ୍ଷେପ ଗୁରୁତ୍ୱ ବହନ କରୁଛି।
















Leave a Reply