ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

କବିତା ଶୀର୍ଷକ -ବନ୍ୟା


ବନ୍ୟା ଗୋ ଆଗୋ ବନ୍ୟା ଗୋ!
ତୁମେ କାହା ନାରୀ କାହା କନ୍ୟା ଗୋ?
କାହାର ଦେଉଛ ସଂସାର ଉଜାଡି
କାହାକୁ କରୁଛ ଧନ୍ୟା ଗୋ!
ବନ୍ୟା ଗୋ ଆଗୋ ବନ୍ୟା ଗୋ !

କାହା ପାଇଁ ତୁମେ ଉପଭୋଗ୍ୟ ହୁଅ
କାହା ପାଇଁ ସାଜ ଭୋକ ଉପାସର ଜ୍ଵାଳା।
କାହା ପାଇଁ ତୁମେ ପରମ ଆନନ୍ଦ
କାହା ପାଇଁ ତୁମେ କରମ ଆଦରା ବେଳା।।
କାହା ପାଇଁ ତୁମେ କ୍ରୀଡା କଉତୁକ
କାହା ପାଇଁ ତୁମେ ଶତ ଶ୍ରାବଣର ଧାରା।
କାହା ପାଇଁ ତୁମେ ଜୀବନ ଜୀବିକା
କାହାପାଇଁ ତୁମେ ଜିଇଁ ରହିବାର କଳା।।

ବନ୍ୟା ଗୋ ତୁମେ
ଏ ମାଟି କରିଛ ଧନ୍ୟ।
ତୁମରି ଲାଗିତ କଂସେଇ ବି ଏଠି
ଅରଜି ପାରୁଛି ପୂଣ୍ୟ।।
ତୁମରି ଲାଗିତ ସହରୀ ମନରେ
କେତେ କଉତୁକ ଜାଗେ।
ବୁଡିଯାଉଥିବା ନିଜ ଛବି ଦେଖି
ତାକୁ ଭାରି ମଜ୍ଜା ଲାଗେ।।

ବନ୍ୟା ଗୋ ତୁମେ
ସତେ କି କୁହୁକ ଜାଣ।
ତୁମକୁ ଦେଖିଲେ କାହିଁକି କେଜାଣି
ଛଟପଟ ହୁଏ ପ୍ରାଣ।।
ଆସିଲେ ସର୍ବସ୍ବ ଲୁଟିନିଅ ହେଲେ
ନଆସିଲେ ଭାରି ବାଧେ।
ଲାଗୁଛି ଯେମିତି ତୁମ ଆମ ପ୍ରେମ
ନିଇତି ଦିନିଆ ବୋଧେ।।

ତଥାପି ଗୋ ବନ୍ୟା ସମ୍ପର୍କ ଆମର
ଏମିତି ଅତୁଟ ଥାଉ।
ବରଷକେ ଥରେ ଅଧେ ଆସୁଥବ
ଯିଏ ଯେତେ ଯାହା କହୁ।।
କପଟି ମଣିଷ ଅନ୍ତର ବାହାର
ବୁଝିବା ଜମାରୁ ଏତେଟା ସହଜ ନୁହେଁ।
ନାହିଁ ନାହିଁ ବୋଲି ଯାହାକୁ କହିବ
ଜାଣିବ ତାକୁ ହିଁ ସବୁଠୁ ଅଧିକ ଚାହେଁ।।

କବି ବଜ୍ରବାଣ ଗଙ୍ଗାଧର ଓଝା
ଓଲମରା, ନିମାପଡ଼ା, ପୁରୀ
ଦୂରଭାଷ -୯୪୩୯୬୭୫୨୩୯

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *